ନୂଆଦିଲ୍ଲୀ ୨୬/୧୨: ଆଜିକାଲି, ଅଧିକାଂଶ ଲୋକ ସନ୍ତୁଳିତ ଖାଦ୍ୟ ଉପରେ ଧ୍ୟାନ ଦେଉଛନ୍ତି। କ୍ୟାଲୋରିର ଯତ୍ନ ନେଉଛନ୍ତି ଏବଂ ପ୍ରତିଦିନ ବ୍ୟାୟାମ ମଧ୍ୟ କରୁଛନ୍ତି, ହେଲେ ଓଜନ କମ୍ ହେଉ ନାହିଁ। ଏହା ହେବା ଦ୍ୱାରା ଅନେକ ଲୋକ ଅଧର୍ଯ୍ୟ ହୋଇ ଫଛକୁ ଫେରିଯାଆନ୍ତି। ନିକଟରେ, ଆମେରିକାର ଜଣେ ଫ୍ୟାମିଲି ଏବଂ ଲାଇଫଷ୍ଟାଇଲ ମେଡିସିନ ଡାକ୍ତର ଜନି ହାଡକ୍ ଏକ ଇନଷ୍ଟାଗ୍ରାମ୍ ଭିଡିଓରେ ଏହା ଉପରେ ବ୍ୟାଖ୍ୟା କରିଛନ୍ତି, ଯାହାକୁ ସାଧାରଣତଃ ଲୋକେ ବୁଝି ପାରନ୍ତି ନାହିଁ।

ଡକ୍ଟର ହାଡକ୍ ଏକ ଇନଷ୍ଟାଗ୍ରାମ ଭିଡିଓରେ କହିଛନ୍ତି, "ଏହାର ସବୁଠାରୁ ବଡ଼ କାରଣ ଇନସୁଲିନ୍ ପ୍ରତିରୋଧ ହୋଇପାରେ, ଯାହାକୁ ଆମେ ପ୍ରାୟତଃ ବୁଝିପାରୁନାହୁଁ। ଇନସୁଲିନ୍ ହେଉଛି ରକ୍ତ ଶର୍କରାକୁ ନିୟନ୍ତ୍ରଣ କରୁଥିବା ହରମୋନ୍। ଯେତେବେଳେ ଆପଣଙ୍କ ଶରୀର ଇନସୁଲିନ୍ ଠିକ୍ ଭାବରେ ପ୍ରକ୍ରିୟାକରଣ କରେ ନାହିଁ, ସେତେବେଳେ ଆପଣଙ୍କ କୋଷଗୁଡ଼ିକ ଶର୍କରାକୁ ଶକ୍ତି ଭାବରେ ବ୍ୟବହାର କରିପାରେ ନାହିଁ। ଏହାଦ୍ୱାରା ରକ୍ତରେ ଶର୍କରା ସ୍ତର ଉପର ତଳ ହୋଇଥାଏ ଏବଂ ଶରୀର ଚର୍ବି ସଂରକ୍ଷଣ କରିଥାଏ। ଆପଣ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ କି ନାହିଁ, ଏହି ସ୍ତିତି ଓଜନ ହ୍ରାସ କରିବା ଅତ୍ୟନ୍ତ କଷ୍ଟକର କରିଦିଏ।"

 

ଡକ୍ଟର ହାଡକଙ୍କ ଅନୁସାରେ, ଅତ୍ୟଧିକ କାର୍ବୋହାଇଡ୍ରେଟ୍ ସେବନ ମଧ୍ୟ ଇନସୁଲିନ୍ ପ୍ରତିରୋଧ ବୃଦ୍ଧି ପାଇଁ ଦାୟୀ। ଯେତେବେଳେ ବି ଆପଣ କାର୍ବୋହାଇଡ୍ରେଟ୍ ଖାଆନ୍ତି, ରକ୍ତରେ ଶର୍କରା ଏବଂ ଇନସୁଲିନ୍ ବୃଦ୍ଧି ପାଏ। ଆମେରିକୀୟମାନେ ପ୍ରତିଦିନ ହାରାହାରି ୨୫୦-୩୦୦ ଗ୍ରାମ କାର୍ବୋହାଇଡ୍ରେଟ୍ ଖାଇଥାନ୍ତି, ଯାହା ଶରୀରର ଆବଶ୍ୟକତାଠାରୁ ବହୁତ ଅଧିକ। ଏହା ରକ୍ତ ଶର୍କରା ନିୟନ୍ତ୍ରଣକୁ ଖରାପ କରେ ଏବଂ ଇନସୁଲିନ୍ ପ୍ରତିରୋଧକୁ ବୃଦ୍ଧି କରେ।

ତେବେ ଏହି ସମସ୍ୟାର ଧୀରେ ଧୀରେ ମୁକାବିଲା କରିବା ପାଇଁ ଡକ୍ଟର ହାଡକ୍ କିଛି ସରଳ ପରିବର୍ତ୍ତନ ପରାମର୍ଶ ଦେଇଛନ୍ତି।

-ପ୍ରତ୍ୟେକ ଭୋଜନରେ ପର୍ଯ୍ୟାପ୍ତ ପ୍ରୋଟିନ୍ ନିଅନ୍ତୁ। ଡାକ୍ତରଙ୍କ ମତରେ, ଭୋକ କମାଇବା ଏବଂ ପେଟ ପୂରଣ ଅନୁଭବ କରିବା ପାଇଁ ପ୍ରତି ଭୋଜନରେ ୪୦-୫୦ ଗ୍ରାମ ପ୍ରୋଟିନ୍ ଖାଇବାକୁ ଲକ୍ଷ୍ୟ ରଖନ୍ତୁ।

-ଆପଣଙ୍କ ଖାଇବା ଏବଂ ପିଇବା ସମୟକୁ ସୀମିତ କରିବା ପାଇଁ ମଝିରେ ମଝିରେ ଉପବାସ କରନ୍ତୁ, ଯାହା ରକ୍ତରେ ଶର୍କରା ଏବଂ ଇନସୁଲିନ୍ ସ୍ତରକୁ ସ୍ଥିର କରିବାରେ ସାହାଯ୍ୟ କରିପାରିବ।

-ଯଦି ଆପଣ ସମୟ,ଖାଦ୍ୟ ଏବଂ ବ୍ୟାୟାମର ସଠିକ୍ ଯତ୍ନ ନେଉଛନ୍ତି କିନ୍ତୁ ତଥାପି ଓଜନ ହ୍ରାସ ହେଉନାହିଁ, ତେବେ ଆପଣଙ୍କର ଇନସୁଲିନ୍ ପ୍ରତିରୋଧ ଯାଞ୍ଚ କରିବା ଉଚିତ୍।