ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଜେପିର ପୂର୍ବତନ ଅଧ୍ୟକ୍ଷ ଦିଲୀପ ଘୋଷ (୬୦) ଦଳୀୟ ସହଯୋଗୀ ରିଙ୍କୁ ମଜୁମଦାରଙ୍କୁ ବିବାହ କରିଛନ୍ତି। ଏପ୍ରିଲ ୧୮ ତାରଖରେ କୋଲକାତାର ନିଉ ଟାଉନସ୍ଥିତ ତାଙ୍କ ବାସଭବନରେ ଏକ ସାଦାସିଧା ବୈଦିକ ସମାରୋହରେ ଏହି ବିବାହ ସମ୍ପନ୍ନ ହୋଇଛି। ଏହା ଦିଲୀପଙ୍କ ପ୍ରଥମ ବିବାହ ଏବଂ ରିଙ୍କୁଙ୍କ ଦ୍ୱିତୀୟ ବିବାହ। ରିଙ୍କୁଙ୍କର ପୂର୍ବ ବିବାହରୁ ଜଣେ ପୁତ୍ର ଅଛନ୍ତି। 

ରିଙ୍କୁ ମଜୁମଦାର ବିଜେପିର ଜଣେ ସକ୍ରିୟ କର୍ମୀ ଏବଂ ମହିଳା ମୋର୍ଚ୍ଚା, ଓବିସି ଫ୍ରଣ୍ଟ ଓ ହସ୍ତତନ୍ତ ସେଲରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ବିବାହରେ କେବଳ ନିକଟ ଆତ୍ମୀୟମାନେ ଉପସ୍ଥିତ ଥିଲେ ବୋଲି ଜଣାପଡିଛି। 

ଦିଲୀପ ଘୋଷ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି ଯେ, “ମା’ଙ୍କ ଇଚ୍ଛା ଅନୁସାରେ ମୁଁ ବିବାହ କରିଛି। ଏହା ମୋ ରାଜନୈତିକ ଜୀବନ ଉପରେ କୌଣସି ପ୍ରଭାବ ପକାଇବ ନାହିଁ।” ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଅନ୍ୟମାନଙ୍କୁ ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇଛନ୍ତି। ମମତା ଫୁଲତୋଡ଼ା ଓ ଶୁଭେଚ୍ଛା ପତ୍ର ପଠାଇ ଦିଲ୍ଲୀପଙ୍କୁ ଅଭିନନ୍ଦନ ଜଣାଇଛନ୍ତି। 

ତୃଣମୂଳ ନେତା କୁନାଲ ଘୋଷ ଏକ୍ସରେ ମଜାଳିଆ ଢଙ୍ଗରେ କହିଛନ୍ତି, “ଦିଲୀପ ଓ ରିଙ୍କୁ ଇକୋ ପାର୍କରେ ସକାଳୁଆ ବୁଲିବା ସମୟରେ ପରିଚିତ ହୋଇଥିଲେ। ଏହି ପାର୍କ ମମତାଙ୍କ ସୃଷ୍ଟି, ତେଣୁ ଏହି ବିବାହରେ ମମତାଙ୍କର ମଧ୍ୟ ଅବଦାନ ରହିଛି।” 

ବିଜେପିର ରାଜ୍ୟ ଅଧ୍ୟକ୍ଷ ସୁକାନ୍ତ ମଜୁମଦାର ଓ ଅନ୍ୟ ନେତା ଶୁଭେଚ୍ଛା ଜଣାଇଥିବା ବେଳେ, ବିରୋଧୀ ଦଳ ନେତା ଶୁବେନ୍ଦୁ ଅଧିକାରୀ କୈଣସି ମନ୍ତବ୍ୟ ଦେବାକୁ ମନା କରିଦେଇଛନ୍ତି। 

ଦିଲୀପ ଘୋଷ ଆରଏସଏସରୁ ରାଜନୀତି ଆରମ୍ଭ କରି ୨୦୧୫ରେ ବିଜେପି ରାଜ୍ୟ ଅଧ୍ୟକ୍ଷ ହୋଇଥିଲେ। ୨୦୧୯ରେ ସେ ଖଡ଼ଗପୁରରୁ ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କ ନେତୃତ୍ୱରେ ବିଜେପି ରାଜ୍ୟରେ ୧୮ଟି ଆସନ ଜିତିଥିଲା। ସେ ଆଗାମୀ ବିଧାନସଭା ନିର୍ବାଚନରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବେ ବୋଲି ଆଶା କରାଯାଉଛି।