ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ନିଜ ମନ୍ତ୍ରୀମଣ୍ଡଳର ସହଯୋଗୀଙ୍କ ମଧ୍ୟରେ ବିଭାଗ ବଣ୍ଟନ କରିଛନ୍ତି। ପ୍ରଦେଶ ବିଜେପିର ପୂର୍ବତନ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କୁ ପଞ୍ଚାୟତିରାଜ ବିକାଶ ବିଭାଗର ଦାୟିତ୍ୱ ଦିଆଯାଇଥିବା ବେଳେ ଅଗ୍ନିମିତ୍ରା ପଲ୍ଙ୍କୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ କରାଯାଇଛି। ଶନିବାର (୯ ମେ ) କୋଲକାତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନେକ ବିଜେପି ନେତାଙ୍କ ଉପସ୍ଥିତିରେ ଏହି ସମସ୍ତ ନେତା ମୁଖ୍ୟମନ୍ତ୍ରୀଙ୍କ ସହ ଶପଥ ଗ୍ରହଣ କରି ଥିଲେ। ଶପଥ ନେଇଥିବା ନେତାଙ୍କ ମଧ୍ୟରେ ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟତୀତ ଅନ୍ୟ ପାଞ୍ଚ ଜଣ ମନ୍ତ୍ରୀ ମଧ୍ୟ ସାମିଲ ଥିଲେ।
ଏହି ମନ୍ତ୍ରୀମାନଙ୍କ ମଧ୍ୟରେ ଦିଲ୍ଲୀପ ଘୋଷ, ଅଶୋକ କୀର୍ତ୍ତନିୟା, ଖୁଦିରାମ ଟୁଡୁ, ଅଗ୍ନିମିତ୍ରା ପଲ୍ ଏବଂ ନିଶୀଥ ପ୍ରମାଣିକ ଅଛନ୍ତି। ସୂଚନାଯୋଗ୍ୟ ଯେ, ବିଜେପି ଏକ ଐତିହାସିକ ଜନାଦେଶ ସହ ସତ୍ତାକୁ ଆସି ମମତା ବାନାର୍ଜୀଙ୍କ ୧୫ ବର୍ଷର ଶାସନର ଅନ୍ତ ଘଟାଇଛି।
କାହାକୁ କେଉଁ ମନ୍ତ୍ରଣାଳୟ?
ଦିଲ୍ଲୀପ ଘୋଷ - ପଞ୍ଚାୟତିରାଜ ବିକାଶ ଏବଂ ପ୍ରାଣୀ ସମ୍ପଦ ବିକାଶ
ଅଶୋକ କୀର୍ତ୍ତନିୟା - ଖାଦ୍ୟ ମନ୍ତ୍ରୀ
ଖୁଦିରାମ ଟୁଡୁ - ପଛୁଆ ବର୍ଗ କଲ୍ୟାଣ
ଅଗ୍ନିମିତ୍ରା ପଲ୍ - ମହିଳା ଓ ଶିଶୁ କଲ୍ୟାଣ
ନିଶୀଥ ପ୍ରମାଣିକ- ଉତ୍ତର ବଙ୍ଗ ବିକାଶ, କ୍ରୀଡ଼ା ଏବଂ ଯୁବ କଲ୍ୟାଣ
'ନବନ୍ନା'ରେ ମନ୍ତ୍ରୀମଣ୍ଡଳରଆଜିପ୍ରଥମ ବୈଠକ
ଏହା ପୂର୍ବରୁ ପଶ୍ଚିମବଙ୍ଗର ନବଗଠିତ ସରକାର ସୋମବାର ରାଜ୍ୟ ସଚିବାଳୟ 'ନବନ୍ନା'ରେ ପ୍ରଥମ କ୍ୟାବିନେଟ୍ ବୈଠକ କରିଛନ୍ତି। ବୈଠକ ପରେ ସରକାର ପ୍ରଶାସନିକ, ସୁରକ୍ଷା ଏବଂ କଲ୍ୟାଣମୂଳକ ପଦକ୍ଷେପ ପାଇଁ ଏକ ବିସ୍ତୃତ ରୂପରେଖ ପ୍ରସ୍ତୁତ କରିଛନ୍ତି। ଏଥିରେ ଭାରତ-ବାଂଲାଦେଶ ସୀମାରେ ବାଡ଼ ଲଗାଇବା ପାଇଁ ସୀମା ସୁରକ୍ଷା ବଳ (BSF) କୁ ଜମି ହସ୍ତାନ୍ତର କରିବା ଏବଂ ରାଜ୍ୟରେ 'ଆୟୁଷ୍ମାନ ଭାରତ' ସମେତ କେନ୍ଦ୍ରର ବିଭିନ୍ନ ଜନକଲ୍ୟାଣ ଯୋଜନା ଆରମ୍ଭ କରିବା ସାମିଲ ଅଛି।
ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ଆଜି ପ୍ରଥମ କ୍ୟାବିନେଟ୍ ବୈଠକରେ ଆମେ BSF କୁ ଜମି ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛୁ। ଏହି ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେଉଛି ଏବଂ ଆଗାମୀ ୪୫ ଦିନ ମଧ୍ୟରେ ଏହା ଗୃହ ମନ୍ତ୍ରାଳୟକୁ ହସ୍ତାନ୍ତର କରାଯିବ। ଏହା ପରେ BSF ସୀମାରେ ବାଡ଼ କାମ ଶେଷ କରିବ ଏବଂ ଅନୁପ୍ରବେଶ ସମସ୍ୟାର ସମାଧାନ ହୋଇପାରିବ।
ବାଂଲାଦେଶ ସହରାଜ୍ୟର୨୨୧୬.୭ କି.ମି ଲମ୍ବା ସୀମା
ନିର୍ବାଚନ ପ୍ରଚାର ସମୟରେ ସୀମାରେ ବାଡ଼ ଲଗାଇବା ଏବଂ ଅନୁପ୍ରବେଶ ରୋକିବା ପାଇଁ BSF କୁ ଜମି ଯୋଗାଇବା ବିଜେପିର ଏକ ମୁଖ୍ୟ ପ୍ରସଙ୍ଗ ଥିଲା। ପୂର୍ବତନ ତୃଣମୂଳ କଂଗ୍ରେସ ସରକାର ଜାଣିଶୁଣି BSF କୁ ଜମି ଦେଉନଥିବା ବିଜେପି ଅଭିଯୋଗ କରିଥିଲା। ବାଂଲାଦେଶ ସହ ପଶ୍ଚିମବଙ୍ଗର ୨୨୧୬.୭ କିଲୋମିଟର ଲମ୍ବା ସୀମା ରହିଛି, ଯାହାର ଏକ ବଡ଼ ଅଂଶରେ ଏପର୍ଯ୍ୟନ୍ତ ବାଡ଼ ଲଗାଯାଇ ନାହିଁ।
ଏହାସହ ମଧ୍ୟ ପଢନ୍ତୁ : ୟୁପିର ଠାକୁର ରାଜ ସିଂହ କିଏ ? ଶୁଭେନ୍ଦୁ ଅଧିକାରୀଙ୍କର ପିଏଙ୍କ ହତ୍ୟାକାଣ୍ଡରେ ଗିରଫ କଲା କୋଲକାତା ପୁଲିସ