ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମଙ୍ଗ ଧରିବେ ଶୁଭେନ୍ଦୁ ଅଧିକାରୀ । ବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାଲି ଶପଥ ଗ୍ରହଣ କରିବେ ଶୁଭେନ୍ଦୁ । ତାଙ୍କ ନାମ ଘୋଷଣା କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ମୁଖ୍ୟମନ୍ତ୍ରୀ ଭାବେ ଅନ୍ୟ ନେତାଙ୍କ ନାଁ ଚର୍ଚ୍ଚା ହୋଇଥିବାବେଳେ ଶୁଭେନ୍ଦୁଙ୍କ କାହିଁକି ବଛାଗଲା ? ଏଭଳି ପ୍ରଶ୍ନ ଉଠିଥିବାବେଳେ ଏହାର ଉତ୍ତର ମଞ୍ଚରେ କହିଛନ୍ତି ଶାହ । ପଶ୍ଚିମବଙ୍ଗର ବିଶ୍ବ ବଙ୍ଗଳା କନଭେନସନ ସେଣ୍ଟରରେ ଅନୁଷ୍ଠିତ ବୈଠକରେ ତାଙ୍କ ନାମ ଘୋଷଣା ହୋଇଛି ।

ତେବେ ବୈଠକ ପରେ ଶାହ ନିଜର ଅଭିଭାଷଣରେ ଶୁଭେନ୍ଦୁଙ୍କ ପ୍ରଂଶସା କରିବା ସହ କାହିଁକି ତାଙ୍କୁ ମୁଖ୍ୟମନ୍ତ୍ରୀ କରାଗଲା ଏ ସମ୍ପର୍କରେ ମଧ୍ୟ କହିଛନ୍ତି । ଶାହ କହିଥିଲେ କି, ବଙ୍ଗରେ ବିଜେପି କର୍ମୀମାନେ ଦୀର୍ଘ ସଂଘର୍ଷ ଏବଂ ହିଂସାର ସମ୍ମୁଖୀନ ହୋଇଛନ୍ତି । ଏହାସହ ଦାବି କରିଛନ୍ତି କି, ୩୨୧ ଜଣ ଦଳୀୟ କର୍ମୀଙ୍କ ପ୍ରାଣହାନୀ ଘଟିଛି । ତଥାପି ଦଳୀୟ କର୍ମୀମାନେ କେବେ ମଧ୍ୟ ମନୋବଳ ଭାଙ୍ଗିନାହାନ୍ତି । ଏଥର ବଙ୍ଗର ଲୋକମାନେ ଆମକୁ ଯେଭଳି ସମର୍ଥନ ଜଣାଇଲେ ତାହା ବର୍ଣ୍ଣନା କରିବା ପାଇଁ ଶବ୍ଦ ନାହିଁ । ରାଜ୍ୟରେ ଦଳକୁ ବିପୁଳ ଜନ ସମର୍ଥନ ମିଳିଛି ।

 

ଏହାସହ ସେ କହିଛନ୍ତି କି, ଶୁଭେନ୍ଦୁ ଦୁଇଟି ଆସନରୁ ଲଢ଼ିଥିବାବେଳେ ଉଭୟରେ ବିଜୟ ହାସଲ କରିଛନ୍ତି । ସେ ମମତାଙ୍କୁ ମଧ୍ୟ ପରାସ୍ତ କରିଛନ୍ତି । ଦଳ ପାଇଁ ଶୁଭେନ୍ଦୁଙ୍କ ଅବଦାନ ଅଧିକ ରହିଛି । ଏହାସହ ଆସନ୍ତାକାଲି ଶପଥ ଗ୍ରହଣ ବିଷୟରେ ଶାହ କହିଛନ୍ତି କି,ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ନୂତନ ସରକାରଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ପ୍ରସ୍ତୁତି ଚାଲିଛି, ଯେଉଁଥିରେ ପ୍ରଧାନମନ୍ତ୍ରୀ ଯୋଗଦେବାର ଆଶା କରାଯାଉଛି।

ଏହାସହ ପଢ଼ନ୍ତୁ : ନନ୍ଦିଗ୍ରାମ ନା ଭବାନୀପୁର, କେଉଁ ଆସନ ଛାଡ଼ିବେ ଶୁଭେନ୍ଦୁ ?