କୋଲକାତା,୮।୬: ପଶ୍ଚିମବଙ୍ଗରେ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକୁ ପୂର୍ବରୁ ଯେକୌଣସି ତଦନ୍ତ ପାଇଁ ସରକାରୀ ଅନୁମତି ଆବଶ୍ୟକ ଥିଲା। ଏଥର ବିଜେପି ସରକାର ତୃଣମୂଳ କଂଗ୍ରେସ ଶାସନ ସମୟରେ ନିଆଯାଇଥିବା ନିଷ୍ପତ୍ତିକୁ ବଦଳାଇ ଦେଇଛି। କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସିକୁ ତଦନ୍ତ ପାଇଁ ସାଧାରଣ ଅନୁମତି ପ୍ରଦାନ କରାଯାଇଛି। ଶୁଭେନ୍ଦୁ ଅଧିକାରୀଙ୍କ ସରକାର ପଶ୍ଚିମବଙ୍ଗରେ ସିବିଆଇ ତଦନ୍ତ ପାଇଁ ପୂର୍ଣ୍ଣ ଅନୁମତି କିମ୍ବା "ସାଧାରଣ ସମ୍ମତି" ପ୍ରଦାନ କରିଛନ୍ତି।
ହୋମ୍ ଆଣ୍ଡ ହିଲ୍ ଆଫେୟାର୍ସ ବିଭାଗ ପକ୍ଷରୁ ୮ ଜୁନ୍ ୨୦୨୬ ରେ ଜାରି ନୋଟିଫିକେସନ୍ ଅନୁସାରେ, ଦିଲ୍ଳୀ ସ୍ପେଶାଲ ପୋଲିସ ଏଷ୍ଟାବ୍ଲିସମେଣ୍ଟ (ଡିଏସ୍ପିଇ) ଆକ୍ଟ,,୧୯୪୬ ଅନୁସାରେ, ସିବିଆଇକୁ ରାଜ୍ୟରେ କେନ୍ଦ୍ର ସରକାରଙ୍କ କର୍ମଚାରୀ, କେନ୍ଦ୍ର ସାର୍ବଜନୀନ ଉପକ୍ରମ (ପିଏସ୍ୟୁ)ର କର୍ମଚାରୀ ଓ ତାଙ୍କ ସହ ଜଡିତ ମାମଳାର ଯାଞ୍ଚ କରିବାର ଅନୁମତି ଦିଆଯାଇଛି।
ଏହି ନୋଟିଫିକେସନର ସିଧା ଅର୍ଥ ଏହା ଯେ,ପଶ୍ଚିମବଙ୍ଗ ସରକାର ସିବିଆଇକୁ ରାଜ୍ୟରେ କିଛି ମାମଲାର ଯାଞ୍ଚ କରିବା ପାଇଁ ପୁଣିଥରେ ସାଧାରଣ ସହମତି ଦେଇଛନ୍ତି। କିନ୍ତୁ ଏହି ଛାଡ ସମ୍ପୂର୍ଣ୍ଣ ଭାବରେ ବିନା ସର୍ତ୍ତରେ ନୁହେଁ। ଏହି ଅଧିକାର ଦିଲ୍ଲୀ ସ୍ପେଶାଲ ପୋଲିସ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ ୧୯୪୬ର ଧାରା ୬ ଅନୁସାରେ, ଦିଆଯାଇଛି। ନୋଟିଫିକେସନ୍ ୮ ଜୁନ୍ ୨୦୨୬ କୁ ତୁରନ୍ତ ଲାଗୁ ହେଉଛି।
କେଉଁ ମାମଲାରେ ଯାଞ୍ଚ କରିପାରିବ ସିବିଆଇ ?
- କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ସମ୍ପର୍କିତ ମାମଲା
- କେନ୍ଦ୍ର ସାର୍ବଜନିକ ଉପକ୍ରମ (PSUs) କର୍ମଚାରୀଙ୍କ ସହ ଜଡିତ ମାମଲା
- ଯଦି କୌଣସି ବ୍ୟକ୍ତି ଏହି କେନ୍ଦ୍ର କର୍ମଚାରୀ କିମ୍ବା କେନ୍ଦ୍ର ଉପକ୍ରମର କର୍ମଚାରୀଙ୍କ ସହ ମିଶି ଅପରାଧ କରିବାର ଅଭିଯୋଗ ରହିଛି, ତେଣୁ ତାଙ୍କ ବିରୋଧରେ ମଧ୍ୟ ଯାଞ୍ଚ କରିହେବ।
କେଉଁ ମାମଲାରେ ସିବିଆଇ ସିଧା ଯାଞ୍ଚ କରିପାରିବନି ?
ପଶ୍ଚିମବଙ୍ଗ ସରକାର ନିୟନ୍ତ୍ରଣ ଥିବା ରାଜ୍ୟ ସରକାରୀ କର୍ମଚାରୀଙ୍କ ମାମଲାରେ ସିବିଆଇ ସିଧା ଯାଞ୍ଚ କରିପାରିବନି। ଏଭଳି ମାମଲାରେ ସିବିଆଇକୁ ପ୍ରଥମ ରାଜ୍ୟ ସରକାରଙ୍କୁ ଲିଖିତ ଅନୁମତି ନେବାକୁ ହେବ। ଅର୍ଥାତ ବଙ୍ଗଳାରେ ସିବିଆଇକୁ ସବୁ ମାମଳାର ତଦନ୍ତ ପାଇଁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି ବୋଲି କହିବା ଭୁଲ ହେବ। ବିଜ୍ଞପ୍ତି ପଢିବା ପରେ ସ୍ପଷ୍ଟ ଭାବରେ ଜଣାପଡ଼ିଛି ଯେ ଏହି ଛାଡ଼ଗୁଡ଼ିକ ମୁଖ୍ୟତଃ କେନ୍ଦ୍ର ସରକାରୀ କର୍ମଚାରୀ, କେନ୍ଦ୍ରୀୟ ଉଦ୍ୟୋଗ ଏବଂ ସମ୍ପର୍କିତ ବିଷୟଗୁଡ଼ିକ ପାଇଁ ରହିଛି। ଅନୁମତି ବିନା ସିବିଆଇ ଏବେ ବି ରାଜ୍ୟ ସରକାରୀ ଅଧିକାରୀଙ୍କ ସିଧାସଳଖ ତଦନ୍ତ କରିପାରିବ ନାହିଁ।