ନୂଆଦିଲ୍ଲୀ,୦୯/୦୧: ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ବୋମାରେ ଉଡ଼ାଇ ଦେବୁ । ଇମେଲରେ ଏମିଛି କିଛି ଧମକ ଆସିଛି । ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି ଆନନ୍ଦ ବୋଷଙ୍କୁ ହତ୍ୟା ଧମକ ମିଳିଛି । ଅଭିଯୁକ୍ତ ଇମେଲରେ ତାଙ୍କର ମୋବାଇଲ୍ ନମ୍ବର ମଧ୍ୟ ଦେଇଛନ୍ତି । ଧମକ ଆସିବା ପରେ ସୁରକ୍ଷା ବଢାଇ ଦିଆଯାଇଛି । ରାଜ୍ୟପାଳଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ରାଜ୍ୟ ପୁଲିସ ଏବଂ ସିଆରପିଏଫ ମିଳିତ ଭାବରେ କାର୍ଯ୍ୟ କରୁଥିବା ଲୋକଭବନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ରାଜ୍ୟପାଳଙ୍କୁ ଜେଡ୍-ପ୍ଲସ୍ ବର୍ଗର ସୁରକ୍ଷା ଦିଆଯାଇଛି । ବର୍ତ୍ତମାନ ପ୍ରାୟ ୬୦-୭୦ କେନ୍ଦ୍ରୀୟ ପୁଲିସ କର୍ମଚାରୀ ସୁରକ୍ଷା ଦାୟିତ୍ୱରେ ଅଛନ୍ତି ।

ରାଜ୍ୟପାଳଙ୍କ ପାଇଁ Z-ପ୍ଲସ୍ ବର୍ଗର ସୁରକ୍ଷା- ରାଜ୍ୟପାଳଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ବେଙ୍ଗଲ ପୁଲିସ୍‌ ଏବଂ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF)ମିଳିତ ଭାବରେ କାର୍ଯ୍ୟ କରୁଛନ୍ତି । ତାଙ୍କୁ Z-ପ୍ଲସ୍ ସୁରକ୍ଷା ଯୋଗାଇ ଦିଆଯାଇଛି । ଏହି ଧମକ ପରେ, ରାଜ୍ୟପାଳଙ୍କ ସୁରକ୍ଷା ପାଇଁ ବରିଷ୍ଠ ସୁରକ୍ଷା ଅଧିକାରୀଙ୍କ ବୈଠକ ବସିଛି । ଗୃହମନ୍ତ୍ରୀଙ୍କୁ ସୂଚିତ କରିବା ସହ ସୁରକ୍ଷା ଦାୟିତ୍ବରେ CRPF ଯବାନ​​​​​​​ ନିୟୋଜିତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଧ୍ୟ ଏ ନେଇ ସୂଚୀତ କରାଯାଇଛି । ଏହି ମାମଲାରେ କେନ୍ଦ୍ର ଗୃହମନ୍ତ୍ରଣାଳୟକୁ ମଧ୍ୟ ସୂଚନା ଦିଆଯାଇଛି । କିଏ ଓ କାହିଁକି ଏପରି ଧମକପୂର୍ଣ୍ଣ ଇମେଲ୍‌ ପଠାଇଛି ତାର ତଦନ୍ତ ଚାଲିଛି । 

ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଲା ଭାଜପା- ଏହି ଘଟଣାକୁ ନେଇ ପ୍ରତିକ୍ରିୟା ଦେଇ ବିଜେପି ଆଇଟି ସେଲ୍ ପ୍ରମୁଖ ଅମିତ୍ ମାଲବିୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି । ଟିଏମସି ସରକାରଙ୍କ ଉପରେ ପଶ୍ଚିମବଙ୍ଗ ଆଇନ, ସୁରକ୍ଷା ସ୍ଥିତି ଉପରେ ପ୍ରଶ୍ନ ଉଠାଇଛି । ରାଜ୍ୟରେ ଆଇନ ବ୍ୟବସ୍ଥା ଧ୍ୱଂସ ହୋଇଥିବା ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ମମତା ବାନାର୍ଜୀ ଶାସନରେ ଆପଣଙ୍କୁ ସ୍ୱାଗତ, ଯେଉଁଠା ରାଜ୍ୟପାଳ ସୁରକ୍ଷିତ ନାହାନ୍ତି । ପଶ୍ଚିମବଙ୍ଗରେ ଆଇନ୍ ବ୍ୟବସ୍ଥା ହୋହଲିଯାଇଛି । ଗୃହମନ୍ତ୍ରୀ ମମତା ବାନାର୍ଜୀଙ୍କ କୋଇଲା ତସ୍କରୀ ଏବଂ ମନି ଲଣ୍ଡିଂ ଅଭିଯୋଗର ସାମ୍ନା କରୁଛନ୍ତି । ଏକ କମ୍ପାନୀକୁ ବଞ୍ଚାଇବାକୁ ଇଡ଼ିଠୁ ଫାଇଲ୍ ଛଡାଇ ନେଲେ । ମମତା ବାନାର୍ଜୀ ଜଣେ ଅପ୍ରତିହତ ବିପର୍ଯ୍ୟୟ ।