ନୂଆଦିଲ୍ଲୀ,୫।୧୦: ପଶ୍ଚିମବଙ୍ଗର ଦାର୍ଜିଲିଂରେ ପ୍ରାକୃତିକ ବିପର୍ଯ୍ୟୟ। ଲଗାତାର ପ୍ରବଳ ବର୍ଷା ସହ ଭୂସ୍ଖଳନ ଯାେଗୁଁ ୧୭ ଜଣଙ୍କର ମୃତ୍ୟୁ ହୋଇଛି। ଅଧିକାରୀମାନେ କହିଛନ୍ତି ଯେ ବିପର୍ଯ୍ୟୟ ଯୋଗୁଁ ଦାର୍ଜିଲିଂ ସିକିମ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଆଖପାଖର ଅନେକ ଗାଁ ଯୋଗାଯୋଗରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି। ଭୂସ୍ଖଳନ ଯୋଗୁଁ ଘର ଭାଙ୍ଗି ଯାଇଥିବା ବେଳେ, ରାସ୍ତାଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି । ସ୍ଥାନୀୟ ପ୍ରଶାସନ, ପୋଲିସ ଏବଂ ଏନଡିଆରଏଫ ଦଳ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।
ଦାର୍ଜିଲିଂରେ ଭୂସ୍ଖଳନ ଯୋଗୁଁ ସିକିମକୁ ସଂଯୋଗ କରୁଥିବା ରାସ୍ତା ସମେତ ପ୍ରମୁଖ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଇଣ୍ଟରନେଟ୍ ସେବା ମଧ୍ୟ ପ୍ରଭାବିତ ହୋଇଛି। ଦାର୍ଜିଲିଂର ମିରିକ ଏବଂ ସୁଖିଆରେ ଭୂସ୍ଖଳନ ଯୋଗୁଁ ସର୍ବାଧିକ ପ୍ରଭାବିତ ହୋଇଛି। ଦାର୍ଜିଲିଂ ଜିଲ୍ଲା ପୋଲିସ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଅଧିକାରୀମାନେ କହିଛନ୍ତି। ପ୍ରବଳ ବର୍ଷା ଯୋଗୁଁ ଦାର୍ଜିଲିଂର ସମସ୍ତ ପର୍ଯ୍ୟଟନସ୍ଥଳ ବନ୍ଦ ହୋଇଯାଇଛି।
ସିକିମରେ ପ୍ରବଳ ବର୍ଷା ଲୋକଙ୍କୁ ଭୟଭୀତ କରିଛି। ପାଣିପାଗ ବିଭାଗ ପୂର୍ବରୁ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଥିଲା। ଆଇଏମଡି ଆଜି ସିକିମର ଛଅଟି ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି କରିଛି।। ପ୍ରବଳ ବର୍ଷା ସହ ୩୦ରୁ ୪୦ କିଲୋମିଟର ବେଗରେ ପ୍ରବଳ ପବନ ହେବାର ପୂର୍ବାନୁମାନ କରାଯାଇଥିଲା। ଯାହା ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ଜାରି ରହିବ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ‘ଏକ୍ସ’ ରେ ରାଷ୍ଟ୍ରପତି ଭବନରୁ ଏକ ପୋଷ୍ଟରେ ଲେଖାଯାଇଛି,‘ପଶ୍ଚିମବଙ୍ଗର ଦାର୍ଜିଲିଂରେ ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ଜୀବନହାନି ଅତ୍ୟନ୍ତ ଦୁଃଖଦ। ମୁଁ ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ପ୍ରକାଶ କରୁଛି।
ପ୍ରଧାନମନ୍ତ୍ରୀ ମୋଦୀ, ଦାର୍ଜିଲିଂରେ ସେତୁ ଭୁଶୁଡ଼ିବା ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଏକ୍ସରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ମୋଦି ଲେଖିଛନ୍ତି, ‘ଦାର୍ଜିଲିଂରେ ସେତୁ ଭୁଶୁଡ଼ିବା ଘଟଣାରେ ଧନ-ଜୀବନ କ୍ଷୟକ୍ଷତିରେ ମୁଁ ଗଭୀର ଦୁଃଖିତ। ଯେଉଁମାନେ ସେମାନଙ୍କ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ମୋର ସମବେଦନା ରହିଛି। ମୁଁ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି।’