ନୂଆଦିଲ୍ଲୀ, ୧୨/୦୩: ଭାରତୀୟ କୁସ୍ତି ସଂଘ (ଡବ୍ଲ୍ୟୁଏଫ୍‌ଆଇ) ଉପରୁ କେନ୍ଦ୍ର କ୍ରୀଡ଼ା  ମନ୍ତ୍ରଣାଳୟ ବାସନ୍ଦାଦେଶ ପ୍ରତ୍ୟାହୃତ  କରିନେଇଛି । ଫଳରେ ନିର୍ବାଚିତ  ଅଧିକାରୀମାନେ ସଂଘର ସମ୍ବିଧାନ  ଆଧାରରେ ଏଥର କାର୍ଯ୍ୟ କରିବେ । ବ୍ରିଜଭୂଷଣ ସରଣ ସିଂଙ୍କ ନାମରେ  ମହିଳା କୁସ୍ତିଯୋଦ୍ଧାମାନେ ଯୌନ ଶୋଷଣ  ଅଭିଯୋଗ ଆଣିବା ପରେ ସେ ସଭାପତି  ପଦରୁ ଅନ୍ତର ହୋଇଥିଲେ । ସଂଘର  ନୂଆ ନିର୍ବାଚନ ହୋଇଥିଲା । ଏଥିରେ  ବ୍ରିଜଭୂଷଣଙ୍କ ଏକାନ୍ତ ଅନୁଗତ ସଞ୍ଜୟ  ସିଂ ନୂଆ ସଭାପତି ଭାବେ ନିର୍ବାଚିତ  ହୋଇଥିଲେ । ନିର୍ବାଚନରେ ଅନିୟମିତତା  ହେବା ଏବଂ ବ୍ରିଜଭୂଷଣଙ୍କ ଅନୁଗତମାନେ  ନିର୍ବାଚିତ ହେବା ନେଇ କ୍ରୀଡ଼ାବିତମାନେ  ବିରୋଧ କରିଥିଲେ । ଏହାପରେ କ୍ରୀଡ଼ା ମନ୍ତ୍ରଣାଳୟ ଡବ୍ଲ୍ୟୁଏଫ୍‌ଆଇ ଉପରେ  ବାସନ୍ଦ ଲଗାଇଥିଲା । ଭାରତୀୟ  ଅଲିମ୍ପିକ୍ସ ସଂଘ(ଆଇଓଏ) ଏହାର  ପରିଚାଳନା ନିମନ୍ତେ ଏକ ଆଡ୍‌-ହକ କମିଟି ଗଠନ କରିଥିଲା ।  

୨୦୨୩ ଡିସେମ୍ବର ୨୧ ତାରିଖରେ  ଡବ୍ଲ୍ୟୁଏଫ୍‌ଆଇ ନିର୍ବାଚନ ହୋଇଥିଲା ।  ୨୪ ତାରିଖରେ ବାସନ୍ଦାଦେଶ ଲାଗିଥିଲା ।  ୧୫ ମାସ ପରେ ଏହା ପ୍ରତ୍ୟାହୃତ  ହୋଇଥିବାରୁ ସଭାପତି ସଞ୍ଜୟ କେନ୍ଦ୍ର  କ୍ରୀଡ଼ା ମନ୍ତ୍ରଣାଳୟକୁ ଧନ୍ୟବାଦ  ଜଣାଇଛନ୍ତି । ଅମାନ ଆଗକୁ ଏସିଆନ୍‌ ଚାମ୍ପିଅନସିପ୍‌ ରହିଛି । ଡବ୍ଲ୍ୟୁଏଫ୍‌ଆଇ  ଏଥିପାଇଁ ଦଳ ଚୟନ କରିବ ।