ଯେତେବେଳେ ସ୍ୱାସ୍ଥ୍ୟ କଥା ଆସେ, ସେତେବେଳେ ଭିଟାମିନ୍, ମିନେରାଲ୍ସ, ପ୍ରୋଟିନ୍, ଆଣ୍ଟିବାୟୋଟିକ୍ସ ଓ ଆଣ୍ଟି- ଅକ୍ସିଡାଣ୍ଟସ୍ ପରି ଶବ୍ଦର ବ୍ୟବହାର କରାଯାଇଥାଏ । ସମସ୍ତେ ଜାଣନ୍ତି ଯେ ଏହା ଶରୀର ପାଇଁ ଜରୁରି, କିନ୍ତୁ ଏହା କେମିତି ଓ କେଉଁଠାରୁ ଆସେ କେବେ ଭାବିଛନ୍ତି? ଚାଲନ୍ତୁ ଜାଣିବା ଆଣ୍ଟିବାୟୋଟିକସ୍ ଓ ଆଣ୍ଟିଅକ୍ସିଡାଣ୍ଟସ୍ ବିଷୟରେ ଅଧିକ କିଛି ତଥ୍ୟ ।
ଆଣ୍ଟିବାୟୋଟିକସ୍ କ'ଣ ?
ଏହା ଏକ ଔଷଧ(କେମିକାଲ୍ କମ୍ପାଉଣ୍ଡ), ଯାହା ଶରୀରରେ ବ୍ୟାକ୍ଟେରିଆଲ୍ ସଂକ୍ରମଣକୁ ରୋକିବାରେ ସହଯୋଗ କରିଥାଏ । ଏହା ଆମ ଶରୀରର ବ୍ୟାକ୍ଟେରିଆକୁ ନଷ୍ଟ କରିବା ସହ ଏହାକୁ ବଢାଉଥିବା ପ୍ରକ୍ରିୟାକୁ ରୋକିଥାଏ । ଯାହା ଶରୀରକୁ ଅନେକ ସମସ୍ୟାରୁ ରକ୍ଷା କରିଥାଏ । ଆଣ୍ଟିବାୟୋଟିକ୍ର ଅର୍ଥ ହେଉଛି ଜୀବର ବିରୋଧୀ ଅର୍ଥାତ୍ ଶରୀରରେ ମହଜୁଦ ଥିବା ଜୀବାଣୁକୁ ନଷ୍ଟ କରୁଥିବା ଔଷଧକୁ ଆଣ୍ଟିବାୟୋଟିକ୍ କୁହାଯାଏ ।
ବ୍ୟାକ୍ଟେରିଆଲ୍ ସଂକ୍ରମଣ ପାଇଁ ରାମବାଣ
ଆଣ୍ଟିବାୟୋଟିକ୍ସ ଶରୀରରେ ହେଉଥିବା ବ୍ୟାକ୍ଟେରିଆଲ୍ ସଂକ୍ରମଣ ସହ ଲଢି ମଣିଷକୁ ସୁସ୍ଥ ରଖିଥାଏ । ଯେପରିକି ଆଖି, କାନ ଓ ସାଇନସ୍ ସଂକ୍ରମଣ, ଗଳା ସଂକ୍ରମଣ, ଦାନ୍ତ ସଂକ୍ରମଣ, ଚର୍ମ ସଂକ୍ରମଣ, ବ୍ଲାଡର୍ ଏବଂ କିଡ୍ନୀ ସଂକ୍ରମଣ ଓ ବ୍ୟାକ୍ଟେରିଆଲ୍ ନିମୋନିଆ ଆଦି ।
ଭୂତାଣୁ ସଂକ୍ରମଣ ପାଇଁ ନୁହେଁ
ଆଣ୍ଟିବାୟୋଟିକ୍ସ ବ୍ୟାକ୍ଟେରିଆକୁ ନଷ୍ଟ କରିଥାଏ । ତେଣୁ ଡାକ୍ତର ଥଣ୍ଡାକାଶ ଓ ଫ୍ଲୁ ପାଇଁ ଆଣ୍ଟିବାୟୋଟିକ୍ସ ନେବାକୁ ପରାମର୍ଶ ଦେଇ ନଥାନ୍ତି । ତଥାପି କିଛି ଲୋକ ଭ୍ରମରେ ରହିଥାନ୍ତି ।
ଫାଇଦା
ଡାକ୍ତରୀ ବିଜ୍ଞାନ ଅନୁସାରେ ଆଣ୍ଟିବାୟୋଟିକ୍ସ କୌଣସି ବରଦାନଠାରୁ କମ୍ ନୁହେଁ ।
ଏହା ଶରୀରର ସମସ୍ତ ବ୍ୟାକ୍ଟେରିଆଲ୍ ସଂକ୍ରମଣକୁ ନଷ୍ଟ କରିଥାଏ ।
ଏହା ଶରୀରର ସୁସ୍ଥ ହେବା ପ୍ରକ୍ରିୟାକୁ ତୀବ୍ର କରିଥାଏ ।
ଆଣ୍ଟିବାୟୋଟିକ୍ସ ସମସ୍ୟା ଓ ଯନ୍ତ୍ରଣାରୁ ମୁକ୍ତି ଦେବା ସହ ସୁସ୍ଥତା ଅନୁଭବ କରାଇଥାଏ ।
ସଂକ୍ରମଣ ଗୋଟିଏ ଅଙ୍ଗରୁ ଅନ୍ୟ ଅଙ୍ଗକୁ ବ୍ୟାପିବାରୁ ରକ୍ଷା କରିଥାଏ । ଅନ୍ୟକୁ ମଧ୍ୟ ସଂକ୍ରମିତ କରି ନଥାଏ ।
କୌଣସି ବଡ଼ ସମସ୍ୟାରୁ ସୁରକ୍ଷା ଦେଇଥାଏ ।
ହୋଇପାରେ ପାର୍ଶ୍ୱ ପ୍ରତିକ୍ରିୟା
ପ୍ରତ୍ୟେକ ବ୍ୟକ୍ତିର ଶରୀର ଅଲଗା । ତେଣୁ ଔଷଧର ପ୍ରଭାବ ମଧ୍ୟ ନିଆରା ଦେଖିବାକୁ ମିଳିଥାଏ । କିଛି ଲୋକଙ୍କଠାରେ ଆଣ୍ଟିବାୟୋଟିକ୍ସ ନେବା ଦ୍ୱାରା ବିଭିନ୍ନ ପାଶ୍ୱର୍ ପ୍ରତିକ୍ରିୟା ଦେଖିବାକୁ ମିଳିଥାଏ । ଯେପରିକି ବାନ୍ତି ହେବା, ଝାଡା ହେବା, ଶରୀରେ ରାସେସ୍ ହେବା ପରି ସମସ୍ୟାମାନ ଦେଖା ଦେଇଥାଏ । ଏହି ସମସ୍ୟା ହେଲେ ଡାକ୍ତର ପରାମର୍ଶ କରିବା ଉଚିତ୍ ।
ଧ୍ୟାନ ଦିଅନ୍ତୁ
ପିଲାଙ୍କୁ ଆଣ୍ଟିବାୟୋଟିକ୍ସ ଦିଅନ୍ତୁନାହିଁ । ଆଗାମୀ ଥର ପାଇଁ ଆଣ୍ଟିବାୟୋଟିକ୍ସ ବଞ୍ଚାଇ ରଖନ୍ତୁ ନାହିଁ । ଆଣ୍ଟି ବାୟୋଟିକ୍ସର ପୁରା କୋର୍ସକୁ ସାରିବାକୁ ଚେଷ୍ଟା କରନ୍ତୁ । ଗର୍ଭ ନିରୋଧକ ନେଉଥିଲେ ଡାକ୍ତର ପରାମର୍ଶ କ୍ରମେ ଆଣ୍ଟିବାୟୋଟିକସ୍ ନିଅନ୍ତୁ ।
ଆଣ୍ଟିଅକ୍ସିଡାଣ୍ଟସ୍ କଣ ?
ଏହା ଏମିତି ଏକ ଅଣୁ, ଯାହା ଶରୀରକୁ ଫ୍ରି ରେଡିକଲ୍ସ ସହ ଲଢିବାରେ ସହଯୋଗ କରିଥାଏ । ହାର୍ଭାର୍ଡ ହେଲଥ୍ ଅନୁସାରେ ଫ୍ରି ରେଡିକଲ୍ସ ଆମ ଡିଏନ୍ଏ ଓ ଶରୀରର କୋଷକୁ କ୍ଷତି ପହଞ୍ଚାଇଥାଏ ଏବଂ ଆମେ ରୋଗର ଶିକାର ହୋଇଥାଉ । ଆଣ୍ଟିଅକ୍ସିଡାଣ୍ଟସ୍କୁ ବୁଝିବା ପୂର୍ବରୁ ଫ୍ରି ରେଡିକଲ୍ସକୁ ବୁଝିବାକୁ ପଡିବ ।
ପ୍ରି ରେଡିକଲ୍ସ ଏତେ ଫ୍ରି କଣ ପାଇଁ ?
ଫ୍ରି ରେଡିକଲ୍ସ ଅର୍ଥାତ୍ ମୁକ୍ତ କଣିକା, ଯାହା ଶରୀରରେ ଲଗାତାର ତିଆରି ହୋଇଥାଏ । ଦୂଷିତ ବାତାବରଣ, ଚିନ୍ତା ଓ ବଦଳୁଥିବା ଜୀବନଶୈଳୀ ବହୁ ମାତ୍ରାରେ ଫ୍ରି ରେଡିକଲ୍ସକୁ ବଢାଇବାରେ ସହଯୋଗ କରିଥାଏ । ଏହାବ୍ୟତୀତ ଅନ୍ୟ କେତେକ କାରଣରୁ ଶରୀରରେ ଫ୍ରି ରେଡିକଲ୍ସ ସଂଖ୍ୟା ତୀବ୍ର ବେଗରେ ବଢିଥାଏ । ଯେପରିକି ଧୂମପାନ ବା ଆଲକହଲ୍, ପ୍ରଦୂଷଣ, ଉଚ୍ଚ ରକ୍ତଚାପ, ଶରୀରରେ କମ୍ ବା ଅଧିକ ମାତ୍ରାର ଅମ୍ଳଜାନ, ଅଧିକ ଫ୍ୟାଟି ଏସିଡ୍, ବ୍ୟାକ୍ଟେରିଆଲ୍-ଫଙ୍ଗାଲଭାଇରାଲ୍ ସଂକ୍ରମଣ, ଅତ୍ୟଧିକ ଆଇରନ୍-ମ୍ୟାଗ୍ନେସିୟମ୍ଜିଙ୍କ୍, ଆଣ୍ଟି-ଅକ୍ସିଡାଣ୍ଟର ଅଭାବ ଓ ଅତ୍ୟଧିକ ଭିଟାମିନ୍ସି-ଇ ଆଦି । ଆମେ ଯେତେ ଚାହିଁଲେ ମଧ୍ୟ ଶରୀରକୁ ଫ୍ରି ରେଡିକଲ୍ସରୁ ମୁକ୍ତ କରିପାରିବା ନାହିଁ । ଏହା ଆମକୁ ଯେତେ କ୍ଷତି ପହଞ୍ଚାଇଲେ ମଧ୍ୟ ଏହାର ଆବଶ୍ୟକତା ରହିଛି । ଏହା ସଂକ୍ରମଣ ସହ ଲଢିବାରେ ଇମ୍ୟୁନ୍ କେଷିକାମାନଙ୍କୁ ସହଯୋଗ କରିଥାଏ । ସେଥିପାଇଁ ଶରୀରରେ ଫ୍ରି ରେଡିକଲ୍ସ ଓ ଆଣ୍ଟି-ଅକ୍ସିଡାଣ୍ଟସ୍ର ମାତ୍ରା ସନ୍ତୁଳିତ ରହିବା ଆବଶ୍ୟକ ।
ପ୍ରକୃତିର ଦାନ ଆଣ୍ଟି-ଅକ୍ସିଡାଣ୍ଟସ୍
ଆଣ୍ଟିଅକ୍ସିଡାଣ୍ଟସ୍ ଉଭୟ ମଣିଷ ଓ ଜୀବମାନଙ୍କର ଶରୀର ପାଇଁ ଆବଶ୍ୟକ ହୋଇଥାଏ । ପ୍ରକୃତି ମଣିଷ ଶରୀରକୁ ଏମିତି ସୃଷ୍ଟି କରିଛି ଯେ ଆମ ଶରୀର ନିଜେ ଆଣ୍ଟିଅକ୍ସିଡାଣ୍ଟ ତିଆରି କରିବା ସହ କାର୍ଯ୍ୟକାରୀ ମଧ୍ୟ କରିଥାଏ । ସେଥିପାଇଁ ସମସ୍ତ ଫଳ, ପନିପରିବା, ମାଂସ ଓ ମାଛରେ ଆଣ୍ଟିଅକ୍ସିଡାଣ୍ଟସ୍ ରହିଥାଏ । ଅବଶ୍ୟ ଆଜିକାଲିର ଜୀବନଶୈଳୀ ଓ ଚିନ୍ତା କାରଣରୁ ଏହା ଆମ ପାଇଁ ପର୍ଯ୍ୟାପ୍ତ ହେଉନାହିଁ । ସେଥିପାଇଁ ଆମକୁ ଡାଏଟ୍ ମାଧ୍ୟମରେ ଆଣ୍ଟି-ଅକ୍ସିଡାଣ୍ଟ ନେବାକୁ ପଡୁଛି ।
ପ୍ରମୁଖ ସ୍ରୋତ
ରଙ୍ଗବେରଙ୍ଗ ଫଳ, ପରିବା, ଶସ୍ୟଜାତୀୟ ଖାଦ୍ୟ ଓ ଡ୍ରାଏଫୁଡ୍ସ ଆଦିକୁ ଡାଏଟ୍ରେ ନିଶ୍ଚୟ ସାମିଲ୍ କରନ୍ତୁ ।
ଭିଟାମିନ୍-ଏ : କ୍ଷୀର, ଲହୁଣୀ ଓ ଅଣ୍ଡାରେ ଭିଟାମିନ୍ ସହ ଆଣ୍ଟି ଅକ୍ସିଡାଣ୍ଟ ରହିଥାଏ ।
ଭିଟାମିନ୍-ଇ: ଫ୍ରି ରେଡିକଲ୍ସକୁ ଫାଇଟର ଭାବେ ଗ୍ରହଣ କରାଯାଏ । ବାଦାମ, ସୂର୍ଯ୍ୟମୁଖୀ ମଞ୍ଜି, ଆଲମ୍ଣ୍ଡ ଆଦି ଭିଟାମିନ୍-ଇ’ରେ ଭରପୂର।
ଭିଟାମିନ୍-ସି: ସମସ୍ତ ଖଟାଫଳ ଭିଟାମିନ୍-ସି’ରେ ଭରପୂର । ଏହା ଆଣ୍ଟି-ଅକ୍ସିଡାଣ୍ଟର ପ୍ରମୁଖ ସ୍ରୋତ । ଏହାବ୍ୟତୀତ ଅମୃତଭଣ୍ଡା, ଷ୍ଟ୍ରବେରୀ, ଟମାଟୋ, ଆଳୁ, ବୋକ୍ରୋଲୀରେ ମଧ୍ୟ ଭିଟାମିନ୍-ସି ରହିଥାଏ ।