ନୂଆଦିଲ୍ଲୀ ୧୬/୦୯ : ଆଜିକାଲି ଫିଟନେସ୍ ପ୍ରେମୀଙ୍କ ମଧ୍ୟରେ ଖୁବ୍ ଲୋକପ୍ରିୟ ମାଚା ଗ୍ରୀନ୍ ଟି’। ଏହି ଚା’ ମହଙ୍ଗା ଏବଂ ଏହାର ଲାଭ ସାଧାରଣ ଚା’ ଅପେକ୍ଷା ଅଧିକ। ଏହାକୁ ତିଆରି କରିବାର ପ୍ରକ୍ରିୟା ମଧ୍ୟ ସାଧାରଣ ଚା’ ଠାରୁ ଭିନ୍ନ। କାମେଲିଆ ସାଇନେନ୍ସିସ୍ ନାମକ ଏକ ଉଦ୍ଭିଦର ସବୁଜ ଚା’ ପତ୍ରକୁ ପାଉଡର କରାଯାଏ। ଏଥିରେ ଗ୍ରୀନ୍ ଟି ଅପେକ୍ଷା ଅଧିକ ପୁଷ୍ଟିକର ତତ୍ତ୍ୱ ରହିଥାଏ। ବିଶ୍ୱର ମହଙ୍ଗା ଚା’ ତାଲିକାରେ ମାଚା ଟି ଅନ୍ତର୍ଭୁକ୍ତ। ଭାରତରେ ଏହାର ମୂଲ୍ୟ ପ୍ରତି କିଲୋଗ୍ରାମ ୧ ଲକ୍ଷ ଟଙ୍କାରୁ ଆରମ୍ଭ ହୁଏ। ଏହି ଚା’ ଲୁଜ୍ ପାଉଡର ଆକାରରେ ଏବଂ ଟି ବ୍ୟାଗ୍ ଆକାରରେ ଉପଲବ୍ଧ।
ମାଚା ଟି’ ପିଇବାର ଲାଭ :
ମେଟାବୋଲିଜିମ୍ ବୃଦ୍ଧି ପାଏ : ମାଚା ଟି’ ପିଇବା ଦ୍ଵାରା ମେଟାବୋଲିଜିମ୍ ବୃଦ୍ଧି ପାଏ। ଏଥିରେ ଏପିଗାଲୋକାଟେଚିନ୍ ଗାଲେଟ୍ (EGCG) ନାମକ ଏକ ଯୌଗିକ ଥାଏ ଯାହା ମେଟାବୋଲିଜିମ୍ କୁ ସୁଦୃଢ଼ କରିବା ପାଇଁ କାମ କରେ। ଦ୍ରୁତ ମେଟାବୋଲିଜିମ୍ ଯୋଗୁଁ ଶରୀରରେ ଜମା ହୋଇଥିବା ଅତିରିକ୍ତ ଚର୍ବି ହ୍ରାସ ପାଏ।
ମସ୍ତିଷ୍କ ପାଇଁ ଲାଭଦାୟକ : ମାଚା ଟି’ ପିଇବା ଦ୍ୱାରା ମସ୍ତିଷ୍କକୁ ଶକ୍ତିଶାଳୀ କରିଥାଏ। ଏଥିରେ କ୍ୟାଫିନ୍ ଏବଂ ଏଲ-ଥିନିନ୍ ନାମକ ଏକ ଆମିନୋ ଏସିଡ୍ ଥାଏ। ଏଲ-ଥିନିନ୍ ଆପଣଙ୍କ ମସ୍ତିଷ୍କକୁ ଆରାମ ଦିଏ ଏବଂ ଧ୍ୟାନ ବୃଦ୍ଧି କରିବାରେ ସାହାଯ୍ୟ କରେ।
ଯକୃତ ପାଇଁ ଲାଭଦାୟକ : ମାଚା ଟି’ ମଧ୍ୟ ଯକୃତ ପାଇଁ ଖୁବ ଲାଭଦାୟକ। ମାଚା ଟି’ରେ କ୍ଲୋରୋଫିଲ୍ ଥାଏ ଯାହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ। ଯକୃତ ସ୍ୱାସ୍ଥ୍ୟକୁ ଉନ୍ନତ କରେ।
ପ୍ରଦାହ ହ୍ରାସ କରେ : ଅନେକ ଗବେଷଣାରୁ ଜଣାପଡିଛି ଯେ ମାଚା ଟି’ରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ପ୍ରଦାହ ବିରୋଧୀ ଗୁଣ ଉଭୟ ଭଲ ପରିମାଣରେ ଥାଏ। ଏହାକୁ ପିଇବା ଦ୍ୱାରା ପ୍ରଦାହ ହ୍ରାସ ହୁଏ ଏବଂ ହୃଦରୋଗର ଆଶଙ୍କା ମଧ୍ୟ କମିଥାଏ।