ଅଚାନକ୍ ରକ୍ତଚାପ କମିଗଲେ, ତାକୁ ନିୟନ୍ତ୍ରଣ କରିନେବା ଜରୁରି । ଏହି ସମୟରେ କିଛି ଭୁଲ୍ କରି ବସିଲେ ଜୀବନ ଉପରେ ଖୁବ୍ ପ୍ରଭାବ ପଡିଥାଏ । ବିଶେଷକରି ନିମ୍ନ ରକ୍ତଚାପରେ କେଉଁ ଦିଗ ପ୍ରତି ବିଶେଷ ଧ୍ୟାନ ଦିଆଯିବା ଉଚିତ୍। ଅଚାନକ୍ ନିମ୍ନ ରକ୍ତଚାପ ହେବା ଦ୍ୱାରା ଶରୀରରେ ପ୍ରତିକ୍ରିୟା ଦେଖିବାକୁ ମିଳିଥାଏ। ନିମ୍ନ ରକ୍ତଚାପ ହେବା ଦ୍ୱାରା ମୁଣ୍ଡ ବୁଲାଇବା, ଦୁର୍ବଳ ଲାଗିବା,ଜାଲଜାଲୁଆ ଦେଖାଦେବା ଓ ଝାଳ ବାହାରିବା ପରି ଲକ୍ଷଣମାନ ଦେଖା ଦେଇଥାଏ । କିଛି ଲୋକ ହଡବଡେଇ ହେବା ସହ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ଭୁଲ୍ କରି ବସନ୍ତି । ଫଳରେ ଅବସ୍ଥା ବିଗିଡି ଯାଇଥାଏ । ନିମ୍ନ ରକ୍ତଚାପ ହେବା ଖୁବ୍ ସାଧାରଣ କଥା ।

ବିଶେଷକରି ଯେତେବେଳେ ଶରୀର ଦୁର୍ବଳ ହେବା ସହ କମ୍ ପାଣି ପିଇବା, ଅଧିକ ସମୟ ଯାଏ କିଛି ନ ଖାଇବା କିମ୍ବା କୌଣସି ଔଷଧ ଖାଇବା ଯୋଗୁ ରକ୍ତଚାପ କମିଯାଇଥାଏ । ଏହି ସ୍ଥିତିରେ କୌଣସି କାମ କରିବା ଅନୁଚିତ୍ । କାରଣ ଏହି ସମୟରେ କିଛି କାମ କରିବା ଦ୍ୱାରା ହୃଦୟ, ମସ୍ତିଷ୍କ ଓ କିଡ୍ନୀ ଉପରେ ଚାପ ପଡିଥାଏ । ସଞ୍ଜୟଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେଜ୍ ହସ୍ପିଟାଲରେ ମ୍ୟାନେଜମେଣ୍ଟ ଏଚ୍ଓଡି ଡାକ୍ତର ରାଜେଶ ହର୍ଷବର୍ଦ୍ଧନଙ୍କ ଅନୁସାରେ ରକ୍ତଚାପ କମ୍ ଥିବା ବେଳେ ବିଶେଷକରି ୫ଟି କାମ ନ କରିବା ଉଚିତ୍ । ଯେପରିକି

ଅଚାନକ୍ ଠିଆ ହୁଅନ୍ତୁ ନାହିଁ: ରକ୍ତଚାପ ନିମ୍ନ ହେବା ଦ୍ୱାରା ରକ୍ତର ପ୍ରବାହର ସନ୍ତୁଳନ ବିଗିଡି ଯାଇଥାଏ । ଡାକ୍ତର ରାଜେଶ ହର୍ଷବର୍ଦ୍ଧନଙ୍କ ଅନୁସାରେ ଅଚାନକ୍ ଠିଆ ହେବା ଦ୍ୱାରା ରକ୍ତ ପ୍ରବାହ ପାଦ ଆଡକୁ ତୀବ୍ର ବେଗରେ ହୋଇଥାଏ । ତେଣୁ ମସ୍ତିଷ୍କରେ ରକ୍ତ ପ୍ରବାହ କମି ଚାଲେ । ଫଳରେ ଅଚାନକ୍ ବେହୋସ୍ ହେବା ସହ ମୁଣ୍ଡରେ ଆଘାତ ଲାଗିବାର ଆଶଙ୍କା ମଧ୍ୟ ଉପୁଜିପାରେ । ତେଣୁ ଅଚାନକ୍ ରକ୍ତଚାପ କମିବା ପରେ ଆରାମ କରିବା ଜରୁରି ।

ଶରୀରକୁ ଓଜନିଆ କରୁଥିବା ଖାଦ୍ୟ ଖାଆନ୍ତୁ ନାହିଁ: ନିମ୍ନ ରକ୍ତଚାପ ରହିଥିଲେ ଶରୀରକୁ ଭାରୀ କରୁଥିବା ବା ହଜମ ପାଇଁ ଅଧିକ ସମୟ ଲାଗୁଥିବା ଖାଦ୍ୟଠାରୁ ଦୂରେଇ ରୁହନ୍ତୁ । କାରଣ ଖାଦ୍ୟକୁ ହଜମ ପାଇଁ ଅଧିକ ସମୟ ଲାଗିବା ଦ୍ୱାରା ରକ୍ତ ପ୍ରବାହ ପାଚନତନ୍ତ୍ର ଆଡକୁ ବଢିବା ସହ ମସ୍ତିଷ୍କକୁ ରକ୍ତ ପ୍ରବାହ କମିଥାଏ । ଫଳରେ ଶରୀର ଅଧିକ ଦୁର୍ବଳ ଲାଗିବା ସହ ଅଳସୁଆ ଅନୁଭବ ହୋଇଥାଏ । ତେଣୁ ନିମ୍ନ ରକ୍ତଚାପ ଥିବା ବେଳେ ସହଜରେ ହଜମ ହେଉଥିବା ଖାଦ୍ୟ ଖାଇବା ଆବଶ୍ୟକ ।

ଅଧିକ ସମୟ ଠିଆ ହୋଇ ରୁହନ୍ତୁନି: ଦୀର୍ଘ ସମୟ ଯାଏ ଗୋଟିଏ ଜାଗାରେ ଠିଆ ହୋଇ ରହିବା ଦ୍ୱାରା ପାଦରେ ରକ୍ତ ଜମା ହେବାର ଆଶଙ୍କା ରହିଥାଏ । ବିଶେଷକରି ନିମ୍ନ ରକ୍ତଚାପ ଥିବା ଆନେମିଆ ରୋଗୀ, ବୟସ୍କ ଲୋକ ବା ଗର୍ଭବତୀ ମହିଳାମାନଙ୍କ ପାଇଁ ଏହା ଖୁବ୍ କ୍ଷତିକାରକ । ଯଦି ଅଧିକ ସମୟ ଯାଏ ଠିଆ ହେବାକୁ ପଡେ, ତେବେ ହାଲ୍କା ହାଲ୍କା ପାଦକୁ ହଲାଇବା ଜରୁରି । ମଝିରେ ମଝିରେ ବସିପଡିବା ଉଚିତ୍ । ଫଳରେ ରକ୍ତ ସଞ୍ଚାଳନ ବଜାୟ ରହିବ ।

ତୁରନ୍ତ ବ୍ୟାୟାମ କରନ୍ତୁ ନାହିଁ: ନିମ୍ନ ରକ୍ତଚାପ ଥିବା ବେଳେ ବ୍ୟକ୍ତି ଖୁବ୍ ଦୁର୍ବଳ ରହିଥାଏ । ତେଣୁ ଏହି ସମୟରେ ବ୍ୟାୟାମ କରିବା ଦ୍ୱାରା ଶରୀର ଉପରେ ଅତିରିକ୍ତ ଚାପ ପଡିଥାଏ, ଯାହା ଶରୀର ପାଇଁ ଆଦୌ ଭଲ ନୁହେଁ । ତେଣୁ ଏହି ସମୟରେ ବ୍ୟାୟାମ ନ କରିବା ଭଲ ।

ଲୁଣ ଖାଇବା ଛାଡନ୍ତୁ ନାହିଁ: ନିମ୍ନ ରକ୍ତଚାପ ସମୟରେ ଶରୀରକୁ ସୋଡିୟମ୍ର ଆବଶ୍ୟକତା ରହିଥାଏ । କିଛି ଲୋକ ଲୁଣ-ମୁକ୍ତ ଡାଏଟ୍ରେ ରହିଥାନ୍ତି, ଯାହା ନିମ୍ନ ରକ୍ତଚାପକୁ ଆହୁରି ବଢାଇଥାଏ । ବରଂ ଏହି ସମୟରେ ରୋଗୀକୁ ଲେମ୍ବୁ, ଲୁଣ ଓ ଚିନି ମିଶାଇ ପାଣି କିମ୍ବା ଲୁଣି ବିସ୍କୁଟ୍ ଖାଇବାକୁ ଦେବା ଉଚିତ୍ । ଫଳରେ ରକ୍ତଚାପ ନିୟନ୍ତ୍ରଣକୁ ଆଣିବା ସହଜ ହୋଇପାରିବ ।