ନୂଆଦିଲ୍ଲୀ,୬।୧୦:ଗାଜାରେ ଶାନ୍ତି ଫେରାଇବାକୁ ଚାହୁଁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ । ଏଥିପାଇଁ ହମାସ ଓ ଇସ୍ରାଏଲ ମଧ୍ୟରେ ଅସ୍ତ୍ରବିରତି ନେଇ ଆଲେଚନା ଜାରି ରଖିଛନ୍ତି। ହମାସ ଯଦିଓ ଟ୍ରମ୍ପଙ୍କର କିଛି ପ୍ରସ୍ତାବ ଉପରେ ରାଜି ହୋଇଛି କିନ୍ତୁ ଇସ୍ରାଏଲ ଏବେ ବି କିଛି ସ୍ପଷ୍ଟ କରିନି। ଏପରିକି ଗାଜାରେ ମଧ୍ୟ ଆକ୍ରମଣ ଜାରି ରଖିଛି। ଏହା ଭିତରେ ନେତନ୍ୟାହୁଙ୍କୁ ଫୋନ୍ କରିଥିଲେ ଟ୍ରମ୍ପ। ହେଲେ ନେତନ୍ୟାହୁଙ୍କୁ କଥା ଶୁଣି ଟ୍ରମ୍ପ ରାଗିଯାଇ ତାଙ୍କୁ ନକାରତ୍ମକ ବ୍ୟକ୍ତି ବୋଲି କହିଛନ୍ତି।

ଇସ୍ରାଏଲ ଓ ହମାସ ମଧ୍ୟରେ ଶାନ୍ତି ପାଇଁ ଟ୍ରମ୍ପ ଦେଇଛନ୍ତି ୨୦ ସୁତ୍ରୀୟ ଶାନ୍ତି ପ୍ରସ୍ତାବ। କିଛି ବିନ୍ଦୁ ଉପରେ ହମାସ ଯଦିଓ ସହମତ ହୋଇଛି, କିନ୍ତୁ ଇସ୍ରାଏଲ ଏବେ ବି ସ୍ପଷ୍ଟ କରିନି। ହମାସ କହିଛି ସେ ବନ୍ଧକଙ୍କୁ ମୁକ୍ତ କରିବାକୁ ପ୍ରସ୍ତୁତ, କିନ୍ତୁ ବଦଳରେ ଇସ୍ରାଏଲକୁ ପାଲେଷ୍ଟାଇନ୍ କଏଦୀଙ୍କୁ ଛାଡିବାକୁ ହେବ। ଏହା ସହ ଗାଜାରୁ ଇସ୍ରାଏଲ ସୈନିକଙ୍କୁ ହଟାଇବାକୁ ହେବ। ଏହାପରେ ଟ୍ରମ୍ପ ଇସ୍ରାଏଲକୁ କହିଥିଲେ ସେ ତୁରନ୍ତ ଗାଜାରେ ବୋମା ମାଡ ବନ୍ଦ କରୁ। ତେବେ ଇସ୍ରାଏଲ ଆକ୍ରମଣ ବନ୍ଦ କରିନାହିଁ।  ତିନି ଦିନ ହେବ ଇସ୍ରାଏଲ ଆକ୍ରମଣରେ ଅନେକ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ହୋଇଛି। ଏନେଇ ନେତନ୍ୟାହୁଙ୍କୁ ଫୋନ୍ କରିଥିଲେ ଟ୍ରମ୍ପ। ସେ କହିଥିଲେ, ହମାସର କିଛି ସର୍ତ୍ତ ମାନିବାକୁ ହେବ। ହେଲେ ନେତନ୍ୟାହୁ ରାଜି ହୋଇନଥିଲେ। ଏହା ଶୁଣି ରାଗି ଯାଇଥିଲେ ଟ୍ରମ୍ପ। ସେ କହିଥିଲେ ତୁମେ ଖୁବ୍ ନେଗେଟିଭ୍ ବ୍ୟକ୍ତି।

ଏକ୍ସିୟସ୍‌ର ରିପୋର୍ଟ ଅନୁସାରେ, ଟ୍ରମ୍ପ ଶାନ୍ତି ପ୍ରସ୍ତାବ ଉପରେ ହମାସର ସହମତି ନେଇ ନେତନ୍ୟାହୁଙ୍କୁ ଜଣାଇଥିଲେ। ଏହାପରେ ନେତନ୍ୟାହୁ କରିଥିଲେ ଏଥିରେ ଖୁସି ହେବାର କିଛି ନାହିଁ। ନେତନ୍ୟାହୁଙ୍କ ଏଭଳି ପ୍ରତିକ୍ରିୟା ଶୁଣିବା ମାତ୍ରେ ରାଗି ଯାଇଥିଲେ ଟ୍ରମ୍ପ। ନେତନ୍ୟାହୁଙ୍କୁ ନକାରତ୍ମକ ବ୍ୟକ୍ତି ବୋଲି  କହିଥିଲେ। କାରଣ ଟ୍ରମ୍ପ ଚାହାନ୍ତି ଇସ୍ରାଏଲ ମଧ୍ୟ କିଛି ସର୍ତ୍ତ ମାନୁ। କାରଣ ଗାଜାରେ ଅସ୍ତବିରତି ହେଲେ ଟ୍ରମ୍ପଙ୍କୁ ଏହାର କ୍ରେଡିଟ୍ ମିଳିବ। ସେ ବହୁବାର ଯୁଦ୍ଧ ରୋକିବାର ମଧ୍ୟ ଦାବି କରିସାରିଛନ୍ତି।