ନୂଆଦିଲ୍ଲୀ ୨୨/୦୨: ଅମୃତଭଣ୍ଡାକୁ ସ୍ୱାସ୍ଥ୍ୟ ପାଇଁ ଉତ୍ତମ ବୋଲି ବିବେଚନା କରାଯାଏ। ଏହାକୁ ଖାଇବା ଦ୍ୱାରା ଅନ୍ତନଳୀର ସ୍ୱାସ୍ଥ୍ୟ ଭଲ ରୁହେ। କୋଷ୍ଠକାଠିନ୍ୟ, ଗ୍ୟାସ୍, ଏସିଡିଟି ଏବଂ ପାଚନ ସମସ୍ୟା ଦୂର କରିବାରେ ଅମୃତଭଣ୍ଡା ସାହାଯ୍ୟ କରେ। ହେଲେ କିଛି ଲୋକ ଏହାକୁ ଖାଲିପେଟରେ ଖାଉଥିବା ବେଳେ ଆଉ କିଛି ଏହାକୁ ଖାଦ୍ୟ ଖାଇବା ପରେ ଖାଇଥାନ୍ତି । ତେବେ ଆସନ୍ତୁ ଜାଣିବା ଅମୃତଭଣ୍ଡାକୁ ଖାଲି ପେଟରେ ଖାଇବାର ସ୍ୱାସ୍ଥ୍ୟଲାଭ ବିଷୟରେ...

ଖାଲି ପେଟରେ ଅମୃତଭଣ୍ଡା ଖାଇବାର ଫାଇଦା :

ପାଚନ ଶକ୍ତି ବୃଦ୍ଧି କରେ - ଖାଲି ପେଟରେ ଅମୃତଭଣ୍ଡା ଖାଇବା ଦ୍ୱାରା ପାଚନ ଶକ୍ତି ବୃଦ୍ଧି ପାଏ। ଏଥିରେ ପେପିନ ନାମକ ଏକ ଏନଜାଇମ ଥାଏ, ଯାହା ପେଟରେ ପ୍ରୋଟିନକୁ ଭାଙ୍ଗିବାରେ ସାହାଯ୍ୟ କରେ। ପେଟ ଫୁଲିବା ସମସ୍ୟାରେ ପୀଡିତ ଲୋକଙ୍କ ପାଇଁ ଅମୃତଭଣ୍ଡା ଏକ ଭଲ ଫଳ। ଏହା ଅନ୍ୟାନ୍ୟ ପାଚନ ସମସ୍ୟାକୁ ମଧ୍ୟ ଦୂର କରିବାରେ ସାହାଯ୍ୟ କରେ। ଏଥିରେ ଭିଟାମିନ୍ ସି ମଧ୍ୟ ଥାଏ, ଯାହା ଏକ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ। ଖାଲି ପେଟରେ ସମସ୍ତ ପୋଷକ ତତ୍ତ୍ୱ ଅଧିକ ପ୍ରଭାବଶାଳୀ ଭାବରେ ଶୋଷିତ ହୁଏ।

ମଜବୁତ ଇମ୍ୟୁନ ସିଷ୍ଟମ- ଖାଲି ପେଟରେ ଅମୃତଭଣ୍ଡା ଖାଇବା ଦ୍ଵାରା ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ଏହା ଆପଣଙ୍କୁ ଥଣ୍ଡା ଏବଂ ସଂକ୍ରମଣ ଭଳି ଋତୁକାଳୀନ ରୋଗରୁ ରକ୍ଷା କରିଥାଏ। ଆପଣଙ୍କର ପେଟ ସଫା ରହିବା ସହ ରୋଗ ଦୂରେଇ ରୁହେ।

ଓଜନ କମାଇବା ସହଜ- ପ୍ରତିଦିନ ସକାଳେ ଖାଲି ପେଟରେ ଅମୃତଭଣ୍ଡା ଖାଇବା ଦ୍ୱାରା ଓଜନ ହ୍ରାସ ସହଜ ହୋଇପାରେ। ଅମୃତଭଣ୍ଡାରେ କ୍ୟାଲୋରୀ କମ୍ ଏବଂ ଫାଇବର ଅଧିକ ଥାଏ।ଏହା ଓଜନ ହ୍ରାସ ପାଇଁ ଏକ ଉତ୍ତମ ବିକଳ୍ପ। ଜଳଖିଆରେ ଅମୃତଭଣ୍ଡା ଖାଇବା ଦ୍ୱାରା ଆପଣ ଅଧିକ ସମୟ ପର୍ଯ୍ୟନ୍ତ ପେଟ ପୂର୍ଣ୍ଣ ଅନୁଭବ କରିପାରିବେ ଏବଂ ମେଦବହୁଳତା ହ୍ରାସ କରିପାରିବେ।

ଆହୁରି ପଢ଼ନ୍ତୁ...ସ୍ବାସ୍ଥ୍ୟ ମନ୍ତ୍ର : ବିନା ଜିମରେ ଘରେ ରହି କେମିତି କମାଇବେ ଓଜନ୍ ?

ତେବେ ଖାଲି ପେଟରେ ଅମୃତଭଣ୍ଡା ଖାଇବା ଭଲ, କିନ୍ତୁ ଏହାକୁ ସୀମିତ ପରିମାଣରେ ଖାଇବା ଉଚିତ। ଖାଲି ପେଟରେ ଅତ୍ୟଧିକ ଅମୃତଭଣ୍ଡା ଖାଇବା ଦ୍ୱାରା ଝାଡ଼ା ଏବଂ ପେଟ ଦରଜ ହୋଇପାରେ। ଗର୍ଭବତୀ ମହିଳାମାନେ ମଧ୍ୟ ସକାଳେ ଖାଲି ପେଟରେ ଅମୃତଭଣ୍ଡା ଖାଇବା ଉଚିତ୍ ନୁହେଁ।