ନୂଆଦିଲ୍ଲୀ : ପାକିସ୍ତାନୀ ଆତଙ୍କବାଦୀ ହାଫିକ୍ ସଇଦର ଲସ୍କର-ଏ-ତୈବା (ଏଲଇଟି)ର ଛଦ୍ମ ସଙ୍ଗଠନ ,ଦ ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ) ମଙ୍ଗଳବାର ଜମ୍ମୁକାଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଭୟଙ୍କର ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିଛି। ଏହି ହମଲାରେ ୨୬ ଜଣଙ୍କ ଜୀବନ ଯାଇଛି। ଅଣ- ସ୍ଥାନୀୟ ଲୋକଙ୍କୁ ୮୫,୦୦୦ରୁ ଅଧିକ ବାସସ୍ଥାନ ପ୍ରଦାନ କରାଯାଇଛି, ଯେଉଁଥିରେ ଭାରତ-ଅଧିକୃତ ଜମ୍ମୁ ଓ କାଶ୍ମୀର (ଆଇଆଇଓଜେକେ)ରେ ଜନସଂଖ୍ୟାଗତ ପରିବର୍ତ୍ତନର ମାର୍ଗ ପ୍ରଶସ୍ତ୍ର ହୋଇଛି। ଏହି ଅଣ-ସ୍ଥାନୀୟ ଲୋକେ ପର୍ଯ୍ୟଟକଙ୍କ ରୂପେ ଆସନ୍ତି ଏବଂ ବାସସ୍ଥାନ ପତ୍ର ହାସଲ କରନ୍ତି ଏବଂ ତାପରେ ସେମାନେ ଜମିର ମାଲିକ ହେବା ଭଳି କାର୍ଯ୍ୟ କରନ୍ତି। ଫଳ ସୂରୂପ ବେଆଇନ ଭାବେ ବସତି ସ୍ଥାପନ କରିବାକୁ ଚେଷ୍ଟାକରୁଥିବା ଲୋକଙ୍କ ପ୍ରତି ହିଂସା କରାଯିବ , ଟିଆରଏଫ୍ କହିଛି।
ଟିଆରଏଫ୍, ଯାହା ଉପରେ ଗତ ବର୍ଷ ସରକାର ନିଷିଦ୍ଧ ଲଗାଇ ଥିଲେ, ଆତଙ୍କବାଦୀ କାର୍ଯ୍ୟକଳାକୁ ବୃଦ୍ଧି କରିବା, ଆତଙ୍କବାଦୀଙ୍କୁ ନିଯୁକ୍ତି ଦେବା , ଆତଙ୍କବାଦୀଙ୍କ ଅନୁପ୍ରବେଶ କରିବା ଓ ପାକିସ୍ତାନରୁ ଜମ୍ମୁ ଆଣ୍ଡ କାଶ୍ମୀରକୁ ଅସ୍ତ୍ରଶସ୍ତ୍ର ଏବଂ ନିଶାଦ୍ରବ୍ୟର ଚୋରା ଚାଲାଣ କରିବା ପାଇଁ ଅନଲାଇନ୍ ମାଧ୍ୟମରେ ଯୁବକଙ୍କୁ ନିଯୁକ୍ତି ଦେବାରେ ସାମିଲ ଅଛି।
ଏହି ଗ୍ରୁପ୍ ୨୦୧୯ରେ ନିଷିଦ୍ଧ ଲସ୍କର-ଏ-ତୈୟବାର ଏକ ପ୍ରତିନିଧି ଭାବେ ଅସ୍ତିତ୍ୱରେ ଆସି ଥିଲା , ଯାହା ୨୬ / ୧୧ ମୁମ୍ୱାଇ ଆତଙ୍କବାଦୀ ଆକ୍ରମଣ ସମେତ ଅନେକ ଆତଙ୍କବାଦୀ କାର୍ଯ୍ୟରେ ସଂପୃକ୍ତ ଥିଲା।
ଟିଆରଏଫ୍ ଜମ୍ମୁ ଓ କାଶ୍ମୀରରେ ସାଧାରଣ ନାଗରିକ ,ସୁରକ୍ଷା ବାହିନୀ ଓ ରାଜନୈତିକ ବ୍ୟକ୍ତି ବିଶେଷଙ୍କୁ ଟାର୍ଗେଟ୍କରି ଅନେକ ଆକ୍ରମଣ ପାଇଁ ଦାୟୀ ରହିଛି। ଏହାର କାର୍ଯ୍ୟ ଗୁଡ଼ିକୁ ପାକିସ୍ତାନୀ ରାଷ୍ଟ୍ରତନ୍ତ୍ର ଦ୍ୱାରା ସମର୍ଥିତ ବୋଲି ବିଶ୍ୱାସ କରାଯାଏ । ଯେଉଁଥିରେ ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସ (ଆଇଏସଆଇ) ଅନ୍ତର୍ଭୁକ୍ତ, ଯାହାର ଲକ୍ଷ୍ୟ ଏହି ଅଞ୍ଚଳରେ ଅଶାନ୍ତି ଜାରି ରଖିବା।
ଜାନୁଆରୀ ୨୦୨୩ରେ ଭାରତ ସରକାର ଟିଆରଏଫ୍କୁ ବେଆଇନ କାର୍ଯ୍ୟକଳାପ (ନିବାରଣ )ଆଇନ (ୟୁଏପିଏ) ଅନୁଯାୟୀ ଏକ ଆତଙ୍କବାଦୀ ସଙ୍ଗଠନ ଭାବେ ନାମିତ କରିଥିଲା ଏବଂ ଶେଖ ସଜ୍ଜାଦ ଗୁଲକୁ ଆନୁଷ୍ଠାନିକ ଭାବେ ଜଣେ ଆତଙ୍କବାଦୀ ଭାବେ ଲେବଲ୍ କରାଯାଇ ଥିଲା। ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ସେବେଠାରୁ ଗୁଲ୍ ଉପରେ ଏକ ପୁରସ୍କାର ରଖିଛି, ଯାହା ଗୋଷ୍ଠୀର ଆଞ୍ଚଳକି ସ୍ଥିରତା ପାଇଁ ଗୁରୁତ୍ୱପୂର୍ଣ୍ଣ ବିପଦକୁ ପ୍ରତିଫଳିତ କରେ।
ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ପରେ କାଶ୍ମୀରର ସୁରକ୍ଷା ପରିସ୍ଥ୍ତିର ସମୀକ୍ଷା କରିବାକୁ କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ସନ୍ଧ୍ୟାରେ ଶ୍ରୀନଗରରେ ପହଞ୍ଚିଛନ୍ତି। ଆକ୍ରମଣ ପରେ ଶାହ ବିମାନବନ୍ଦରରୁ ସିଧାସଳଖ ରାଜଭବନକୁ ଯାଇଥିଲେଏବଂ ଉଚ୍ଚ ସୁରକ୍ଷା ଅଧିକାରୀଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକର ଅଧ୍ୟକ୍ଷତା କରିବାକୁ ଯାଉଛନ୍ତି।ସେ ବୁଧବାର ପହଲଗାମ ଗସ୍ତ କରିବାର ଆଶା କରାଯାଉଛି।