ଭୁବନେଶ୍ୱର ୨୩/୦୩: ଆଦ୍ୟାଶକ୍ତିଙ୍କର ପବିତ୍ର ଚୈତ୍ର ନବରାତ୍ର ପୂଜା ଆରମ୍ଭ ହୋଇସାରିଛି । ମଙ୍ଗଳବାର ଷଷ୍ଠୀ ପୂଜା ଏବଂ ତା’ପରକୁ ସପ୍ତମୀ, ଅଷ୍ଟମୀ ଏବଂ ନବମୀ । ଯେଉଁମାନେ ନବରାତ୍ରୀ ପୂଜାବ୍ରତ ରଖନ୍ତି ସେମାନେ ଠାକୁର ଘରେ ଘଟ ସ୍ଥାପନା କରିବା ସହ ଅଖଣ୍ଡ ଦୀପ ଜଳାଇବା ବିଧି ରହିଛି । ଜ୍ୟୋତି ଶକ୍ତିର ପ୍ରତୀକ । ଏହାକୁ ମା’ଙ୍କ କୃପା ଭାବେ ଭକ୍ତ ଗ୍ରହଣ କରିଥାଏ । ଏଣୁ ଅଖଣ୍ଡ ଦୀପ ଜଳାଇଥାଏ । ତେବେ କୌଣସି କାରଣବଶତଃ ଯଦି ଏହି ଅଖଣ୍ଡ ଦୀପ ଲିଭିଗଲା ତେବେ ବ୍ରତଧାରୀ ଦୁଃଖୀ ତଥା ଭୟଭୀତ ହୋଇଯିବା ସ୍ୱାଭାବିକ । ମନରେ ଆଶଙ୍କା ଆସିଯାଏ, ପୂଜାରେ କୌଣସି ତ୍ରୁଟି ରହିଗଲା କି? ଦେବୀ କ୍ରୋଦ୍ଧ ହୋଇଗଲେ କି? ମା’ଙ୍କର କୃପା ଆଉ ମିଳିବ କି ନାହିଁ? ଆଗକୁ କିଛି ଅଶୁଭ ଘଟିବ କି? ଏହିପରି ନାନାପ୍ରକାର ନକାରାତ୍ମକ ଚିନ୍ତା ଆବୋରିବା ସହିତ ନବରାତ୍ରୀ ପୂଜାର ଉତ୍ସାହ ଫିକା ପଡ଼ିଯାଏ ।

କିନ୍ତୁ ମନେ ରଖିବା ଉଚିତଯେ ଆଦ୍ୟାଶକ୍ତି ମହାମାୟା ସଚରାଚର ଜଗତର ଜନନୀ ଏବଂ ଆମେ ତାଙ୍କର ସନ୍ତାନ । ମା’ ଯଦି କ୍ଷମାମୟୀ ହୋଇନଥାନ୍ତା ତେବେ ଏ ଜଗତରେ ତିଷ୍ଠିବା ବି ଆମ ପାଇଁ ସମ୍ଭବ ହୁଅନ୍ତା ନାହିଁ । ଏହା ମୂଳ କଥା । ଏଣୁ ନବରାତ୍ରୀର ଅଖଣ୍ଡ ଦୀପ ଲିଭିଗଲେ ମା’ଙ୍କ ନିକଟରେ କ୍ଷମା ଭିକ୍ଷା ମାଗି ପ୍ରାର୍ଥନା ଜଣାନ୍ତୁ ‘ ମା’ ଆପଣ ଅଖଣ୍ଡ ଜ୍ୟୋତିରେ ପୁନଃ ପ୍ରବେଶ କରନ୍ତୁ ।” ଏହି ପ୍ରାର୍ଥନା ସହ ଅଖଣ୍ଡ ଜ୍ୟୋତି ପୁଣି ଜଳାନ୍ତୁ ।

ଆହୁରି ପଢ଼ନ୍ତୁ...ପୁତ୍ର ଶୋକରେ ଦଗ୍ଧ ଧୃତରାଷ୍ଟ୍ରଙ୍କ ଶେଷ ସମୟ: କାହିଁକି ନେଲେ ଜଳନ୍ତା ନିଆଁରେ ସମାଧି?