ଭୁବନେଶ୍ୱର, ୧୦/୯ : ଆଉ ଦିନ କେଇଟା ପରେ ଜମିବ ପୂଜା ମାହୋଲ୍‌ । ପାର୍ବଣ ପାଇଁ ଭୁବନେଶ୍ୱର, କଟକ ସମେତ ସବୁ ସହର ସହର ଉଠିବ, ପଡ଼ିବ । ହେଲେ ରାସ୍ତାକୁ ଓହ୍ଲାଇବା ମାତ୍ରେ ଖାଲରେ ଗାଡ଼ି ଛେଚି ହେବ । ଅଧିକାଂଶ ସହର ରାସ୍ତାରେ ଥିବା ଖାଲକୁ ଏବେସୁଦ୍ଧା ମରାମତି କରାଯାଇନି । ଗତ ତିନି ଦିନ ହେଲାଣି ଖରାଟିଆ ପାଗ ସତ୍ତ୍ଵେ ପୂର୍ତ୍ତ ବିଭାଗ ରାସ୍ତା ମରାମତି ପାଇଁ ପଦକ୍ଷେପ ନେଉନି । ଆସନ୍ତା ୨୦ ତାରିଖ ସୁଦ୍ଧା ଖାଲ ମରାମତି ପାଇଁ ପୂର୍ତ୍ତ ମନ୍ତ୍ରୀ ସବୁ ଯନ୍ତ୍ରୀଙ୍କୁ କଣ୍ଟ ଦେଇଥିଲେ । ହେଲେ ପୂଜା ପୂର୍ବରୁ ରାସ୍ତା ମରାମତି ହେବା ନେଇ ସନ୍ଦେହ ସୃଷ୍ଟି ହେଲାଣି ।

ପୂର୍ତ୍ତ ମନ୍ତ୍ରୀ ଭିଡିଓ କନଫରେନ୍ସିଂ ଯୋଗେ ଏକାଧିକ ସର୍କଲର ମୁଖ୍ୟ ନିର୍ମାଣ ଯନ୍ତ୍ରୀ(ସିସିଇ)ଙ୍କ ସହ କଥା ହୋଇଥିଲେ । ଅଧୀକ୍ଷଣ ଯନ୍ତ୍ରୀଙ୍କୁ ବି ତାଗିଦ୍‌ କରିଥିଲେ । ରାସ୍ତା ପୁନଃନିର୍ମାଣ ଓ ନୂଆ ରାସ୍ତା ତିଆରି କାମ ପରେ ହେବ । ପ୍ରଥମେ ସେଲମେଟ୍‌ ଓ କଂକ୍ରିଟ୍‌ ପକାଇ ଖାଲ ଭର । ସେପ୍ଟେମ୍ବର ୨୦ ତାରିଖ ବେଳକୁ ଗୋଟିଏ ବି ଖାଲ ଯେଭଳି ନ ରହିବ ସେଥିପାଇଁ ରାତି, ଦିନ ଏକ୍‌ କରି କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯନ୍ତ୍ରୀମାନେ ବି ମନ୍ତ୍ରୀଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ, ପାଗ ବଦଳିବା ମାତ୍ରେ ନିଶ୍ଚିତ ଖାଲ ମରାମତି କରିଦେବୁ । ପିଚୁ ପ୍ଲାଣ୍ଟକୁ ଆଗୁଆ ଅର୍ଡର ଦିଆସରିଛି । ଥଣ୍ଡା ପିଚୁ ଆଣି ଖାଲ ଭରିଦେବୁ । ଯେଉଁଠି ସମ୍ଭବ ଟେଣ୍ଡର ପ୍ରକ୍ରିୟା ସାରି ନୂଆ ରାସ୍ତା ବି କରିଦେବୁ । କିନ୍ତୁ ଯେଭଳି ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାମ ହେବା କଥା ତାହା ହେଉନି । କାଁ ଭାଁ କିଛି ସ୍ଥାନରେ ମରାମତି ଚାଲିଛି । ରାଜଧାନୀର ଜନପଥରେ ଏବେ ବି ବଡ଼ ବଡ଼ ଖାଲ ଆଁ କରି ରହିଛି । କଟକ ରୋଡ୍‌ରେ ବି ସମାନ ଅବସ୍ଥା । ସମ୍‌ ହସ୍ପିଟାଲ-କାଟେଣୀ ରାସ୍ତାରେ ଖାଲ ଭର୍ତ୍ତି ହୋଇଛି । ଖାଲି ଭୁବନେଶ୍ୱର ନୁହେଁ, ସବୁ ସହରରେ ସମାନ ଅବସ୍ଥା । ପୂର୍ତ୍ତ ବିଭାଗ ସହ ନଗର ଉନ୍ନୟନ ବିଭାଗ ମଧ୍ୟ ବେପରୁଆ ହୋଇ ବସିଛି । ସହରାଞ୍ଚଳର ବିଭିନ୍ନ ୱାର୍ଡ ରାସ୍ତା ମରାମତି ହେଉନି । ଏହି ସମସ୍ୟାକୁ ନେଇ ଲୋକେ ତାତିଲେଣି । ଏହାକୁ ନେଇ ବିଧାନସଭା କମିଟି ବୈଠକରେ ବିଧାୟକମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି । ପୂର୍ତ୍ତ ଓ ନଗର ଉନ୍ନୟନ ବିଭାଗ ଅଧିକାରୀଙ୍କୁ ପୁଣି ତାଗିଦ୍‌ କରାଯାଇଛି ।

ମଙ୍ଗଳବାର ବସିଥିବା ବିଧାନସଭା କମିଟି ବୈଠକରେ ବିଜେଡି ବିଧାୟକ ବ୍ୟୋମକେଶ ରାୟ କହିଛନ୍ତି, ଏବେ ରାସ୍ତାଘାଟ ଅବସ୍ଥା ନ କହିଲେ ଭଲ । ସରକାରଙ୍କ ଅପାରଗତା ଯୋଗୁ ବଜେଟ୍‌ ଅର୍ଥ ବି ଠିକ୍‌ରେ ଖର୍ଚ୍ଚ ହେଉନି । ବର୍ଷା ଯୋଗୁ ରାସ୍ତାଘାଟ ଧୋଇ ଗଲାଣି । ଯଦି ପୂଜା ପୂର୍ବରୁ ରାସ୍ତାଘାଟ କାମ ନ ହେବ ତେବେ ଅବସ୍ଥା ଅସମ୍ଭାଳ ହେବ । ବୈଠକରେ ଏକାଧିକ ବିଧାୟକମାନେ ରାସ୍ତା ମରାମତିକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଏହାକୁ ନେଇ ଜବାବ ରଖିଛନ୍ତି କମିଟି ଅଧ୍ୟକ୍ଷ ବାବୁ ସିଂ । ପୂଜା ପୂର୍ବରୁ ରାସ୍ତାଘାଟ କାମ ସାରିବାକୁ ବିଭାଗୀୟ ମନ୍ତ୍ରୀ ସମୀକ୍ଷା କରିଛନ୍ତି । ଯେଉଁଠି ରାସ୍ତାର ମରାମତି ଆବଶ୍ୟକ, ତାହା ଯୁଦ୍ଧକାଳୀନ ଭିତ୍ତିରେ କରାଯିବ । ଅକ୍ଟୋବର ୨ ତାରିଖ ପୂର୍ବରୁ ମରାମତି କାମ ସାରିବାକୁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ହୋଇଛି । ତୁରନ୍ତ କାମ ସରିବ ବୋଲି ଶ୍ରୀ ସିଂ କହିଛନ୍ତି ।