ଭୁବନେଶ୍ୱର ୧୬/୦୧: ଆଜିକାଲିର ଲୋକମାନେ ଫିଟନେସ୍କୁ ନେଇ ବେଶ୍ ସଚେତନ ହେବାର ଲାଗିଛନ୍ତି । ନିୟମିତ ଚାଲିବାଠାରୁ ଆରମ୍ଭ କରି ଜିମ୍ ଯିବା ଯାଏ କାମରେ ନିଜକୁ ବ୍ୟସ୍ତ ରଖୁଛନ୍ତି । ବାସ୍ତବରେ କଣ ଜିମ୍ ଗଲେ ହିଁ ନିଜକୁ ଫିଟ୍ ରଖିପାରିବେ ନା ଘରେ ମଧ୍ୟ ୱାର୍କଆଉଟ୍ କରି ଫିଟ୍ ରହିପାରିବେ? ଫରିଦାବାଦ ସର୍ବୋଦୟ ହସ୍ପିଟାଲ୍ର ମୁଖ୍ୟ ଡାଏଟିସିଆନ୍ ମିନା କୁମାରୀଙ୍କ ଅନୁସାରେ ଘରେ ହେଉ ଅବା ଜିମ୍ରେ ୱାର୍କଆଉଟ କରିବା ଦ୍ୱାରା ନିଜକୁ ଫିଟ୍ ରଖିପାରିବେ । କିନ୍ତୁ ଜାଣିବା ଉଭୟ ବ୍ୟାୟାମର ଫାଇଦା କ୍ଷତି ବିଷୟରେ ।
ଘରେ ବ୍ୟାୟାମ କରିବାର ଫାଇଦା :
ମିନା କୁମାରୀଙ୍କ କହିବା ଅନୁସାରେ ଆଜିକାଲିର ଲୋକଙ୍କ ପାଖରେ ସମୟର ଅଭାବ ରହୁଛି । ତେଣୁ ସେମାନଙ୍କୁ ଘରେ ୱାର୍କଆଉଟ୍ କରିବା ସହଜ ହେଉଛି । ଜିମ୍ ଯିବା ସହ ସେଠାରେ ପାର୍କିଂ ଓ ରାସ୍ତାରେ ଅନେକ ସମୟ ନଷ୍ଟ ହୋଇଥାଏ । ଏସବୁକୁ ଆଖିରେ ରଖି ପ୍ରାୟ ଲୋକ ଘରେ ବ୍ୟାୟାମ କରିବାକୁ ପସନ୍ଦ କରୁଛନ୍ତି ।
ଘରେ ବ୍ୟାୟାମ କରିବାର କ୍ଷତି :
ଘରେ ୱାର୍କଆଉଟ୍ କରିବା ସମୟରେ ନିଜକୁ ମୋଟିଭେଟ୍ କରିବା ଅନେକ ସମୟରେ ସମ୍ଭବ ହୋଇ ନଥାଏ । କାରଣ ଘରେ ଟ୍ରେନର୍ ବା ବ୍ୟାୟାମ କରୁଥିବା ସାଙ୍ଗ ନଥାନ୍ତି । ତେଣୁ ଅଳସ ଲାଗିବା ସହ କେବେ କେବେ ବ୍ୟାୟାମ କରିବାକୁ ଇଚ୍ଛା ହୋଇ ନଥାଏ । ସେହିପରି ସମସ୍ତଙ୍କ ଘରେ ବ୍ୟାୟାମର ଉପକରଣ ନଥାଏ । ତେଣୁ ଅନେକ ସମୟରେ ବ୍ୟାୟାମ କରିବାରେ ସମସ୍ୟା ଉପୁଜିଥାଏ ।
ଜିମ୍ରେ ବ୍ୟାୟାମ କରିବାର ଫାଇଦା :
ଅନେକ ଲୋକ ଜିମ୍ ଯିବାକୁ ପସନ୍ଦ କରିବା ପଛରେ କାରଣ ହେଉଛି ନିୟମିତ ବ୍ୟାୟାମ କରିବା ସହ ପାଖରେ ବ୍ୟାୟାମ ଉପକରଣ ଉପଲବ୍ଧ ରହିଥାଏ । ଏହାବ୍ୟତୀତ ଗ୍ରୁପ୍ରେ ବ୍ୟାୟାମ କରିବାରେ ମଜା ଅଲଗା । ସେହିପରି ଜିମ୍ରେ ବିଭିନ୍ନ ମେସିନ୍ ସହ ଟ୍ରେନର୍ ମଧ୍ୟ ଉପଲବ୍ଧ । ଫଳରେ ଶରୀରକୁ ଉପଯୁକ୍ତ ଆକାର ମିଳିପାରିଥାଏ ।
ଜିମ୍ରେ କ୍ଷତି :
ଜିମ୍ ଯିବାକୁ ହେଲେ ସଦସ୍ୟ ହେବା ପାଇଁ ଚାର୍ଜ ହେବା, ଯିବାଆସିବା ଖର୍ଚ୍ଚ ଓ ଜିମ୍ରେ ଭିଡ ଯୋଗୁ ଅନେକ ସମୟରେ ମେସିନ୍କୁ ଅପେକ୍ଷା କରିବାକୁ ପଡିଥାଏ । ନିୟମିତ ଏପରି ହେବା ଦ୍ୱାରା ବ୍ୟାୟାମ ଅପେକ୍ଷା ଏହାର ଆନୁସଙ୍ଗିକ କାମ ବ୍ୟକ୍ତିକୁ ଥକାଇ ଦେଇଥାଏ । ଜିମ୍ ଦୂର ହୋଇଥିଲେ ଅନେକ ସମୟରେ ଯିବା ସମ୍ଭବ ହୋଇପାରି ନଥାଏ । ଯାହାଫଳରେ ବ୍ୟକ୍ତିକୁ ଅନେକ ସମୟରେ ନିୟମିତ ରୁଟିନ୍ ଭାଙ୍ଗିବାକୁ ପଡିଥାଏ ।
ଜିମ୍ ନା ଘରେ ୱାର୍କଆଉଟ୍ କରିବା ଭଲ?
ସବୁଠାରୁ ଭଲ ବିକଳ୍ପ ହେଲା ଯେଉଁଠାରେ ସପ୍ତାହକୁ ୪/୫ ଦିନ ବ୍ୟାୟାମ କରିପାରିବେ, ତାହା ହିଁ ଭଲ । ତେଣିକି ତାହା ଘର ହେଉ ଅବା ଜିମ୍ । ଗୁରୁତ୍ୱପୂର୍ଣ୍ଣ ହେଲା ନିୟମିତ ବ୍ୟାୟାମ କରିବା ଆବଶ୍ୟକ ।