ପୃଥିବୀରେ ପ୍ରାୟ ୪ ଲକ୍ଷରୁ ଅଧିକ ପ୍ରଜାତିର ଫୁଲ ଦେଖିବାକୁ ମିଳେ। କିନ୍ତୁ ସେଗୁଡ଼ିକ ମଧ୍ୟରୁ ରାଫ୍ଲେସିଆ ଆର୍ନୋଲ୍ଡାଇ ତା’ର ବିଶାଳ ଆକାର, ଦୁର୍ଗନ୍ଧ ଏବଂ ଅସାଧାରଣ ଜୀବନଚକ୍ର ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏହାକୁ ବିଶ୍ୱର ସବୁଠାରୁ ବଡ଼ ଫୁଲ ବୋଲି କୁହାଯାଏ। ୧୮୧୮ ମସିହାରେ ବ୍ରିଟିଶ ସର୍ଜନ ଜୋସେଫ ଆର୍ନୋଲ୍ଡ ପ୍ରଥମେ ଏହି ଫୁଲର ନମୁନା ଅଧ୍ୟୟନ କରିଥିଲେ। ତାଙ୍କ ନାମକୁ ସମ୍ମାନ ଜଣାଇ ଏହି ଫୁଲର ନାମ ରାଫ୍ଲେସିଆ ଆର୍ନୋଲ୍ଡାଇ ରଖାଯାଇଥିଲା। ବିଶାଳ ଆକାର ଯୋଗୁଁ ଏହା ପୃଥିବୀର ଅନ୍ୟ ସମସ୍ତ ଫୁଲଠାରୁ ସମ୍ପୂର୍ଣ୍ଣ ଭିନ୍ନ।
କେତେ ବଡ଼ ଏହି ଫୁଲ ?
ରାଫ୍ଲେସିଆ ଆର୍ନୋଲ୍ଡାଇର ବ୍ୟାସ ପ୍ରାୟ ୧ ମିଟର (୩ ଫୁଟ ୩ ଇଞ୍ଚ) ପର୍ଯ୍ୟନ୍ତ ହୋଇପାରେ। ଏହାର ଓଜନ ୧୧ କିଲୋଗ୍ରାମ ପର୍ଯ୍ୟନ୍ତ ହୋଇଥାଏ। ଏହାର ପାଞ୍ଚଟି ବିଶାଳ ଲାଲ-ବାଦାମୀ ରଙ୍ଗର ପାଖୁଡ଼ା ଉପରେ ଧଳା ଦାଗ ଥାଏ, ଯାହା ଏହାକୁ ଅତ୍ୟନ୍ତ ଆକର୍ଷଣୀୟ କରିଥାଏ । ଏହି ଫୁଲର କଳି ପୂର୍ଣ୍ଣ ବିକଶିତ ହେବାକୁ ପ୍ରାୟ ଏକ ବର୍ଷ ସମୟ ଲାଗେ। କିନ୍ତୁ ଫୁଟିବା ପରେ ଏହା କେବଳ ୫ରୁ ୭ ଦିନ ପର୍ଯ୍ୟନ୍ତ ସତେଜ ରହିଥାଏ। ଏହାପରେ ଧୀରେ ଧୀରେ ଶୁଖିଯାଇ ନଷ୍ଟ ହୋଇଯାଏ।
କେଉଁଠି ମିଳେ ରାଫ୍ଲେସିଆ?
ଏହି ଦୁର୍ଲଭ ଫୁଲ ମୁଖ୍ୟତଃ ଇଣ୍ଡୋନେସିଆର ସୁମାତ୍ରା ଓ ବୋର୍ନିଓ ଦ୍ୱୀପର ଘନ ବର୍ଷା ଜଙ୍ଗଲରେ ଦେଖାଯାଏ। ଅଧିକ ଆର୍ଦ୍ରତା, କମ୍ ସୂର୍ଯ୍ୟକିରଣ ଏବଂ ଘନ ଜଙ୍ଗଲ ପରିବେଶ ଏହାର ବୃଦ୍ଧି ପାଇଁ ସବୁଠାରୁ ଉପଯୁକ୍ତ।
କାହିଁକି କୁହାଯାଏ ‘ଶବ ଫୁଲ’?
ରାଫ୍ଲେସିଆ ଆର୍ନୋଲ୍ଡାଇରୁ ପଚା ମାଂସ ଭଳି ତୀବ୍ର ଦୁର୍ଗନ୍ଧ ବାହାରିଥାଏ। ଏହି କାରଣରୁ ଏହାକୁ ‘ଶବ ଫୁଲ’ ବୋଲି ମଧ୍ୟ କୁହାଯାଏ। ଏହି ଦୁର୍ଗନ୍ଧ ଡାଇମିଥାଇଲ୍ ଡାଇସଲଫାଇଡ୍ ଏବଂ ଡାଇମିଥାଇଲ୍ ଟ୍ରାଇସଲଫାଇଡ୍ ନାମକ ରାସାୟନିକ ଯୋଗିକ କାରଣରୁ ସୃଷ୍ଟି ହୁଏ। ଏହି ଗନ୍ଧ ପଚା ମାଂସ ଖାଉଥିବା ମାଛି ଓ ଅନ୍ୟାନ୍ୟ କୀଟପତଙ୍ଗଙ୍କୁ ଆକର୍ଷିତ କରେ। ସେମାନଙ୍କ ମାଧ୍ୟମରେ ଏହି ଫୁଲର ପରାଗ ସ୍ଥାନାନ୍ତର ହୋଇ ପ୍ରଜନନ ପ୍ରକ୍ରିୟା ସମ୍ପନ୍ନ ହୁଏ।
ପତ୍ର ନାହିଁ, କାଣ୍ଡ ନାହିଁ, ମୂଳ ନାହିଁ
ଏହି ଫୁଲର ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏଥିରେ ପତ୍ର, କାଣ୍ଡ କିମ୍ବା ମୂଳ ନଥାଏ। ଏହା ନିଜେ ଖାଦ୍ୟ ପ୍ରସ୍ତୁତ କରିପାରେ ନାହିଁ। ବରଂ ଟେଟ୍ରାଷ୍ଟିଗ୍ମା ବା ଜଙ୍ଗଲୀ ଅଙ୍ଗୁର ଲତାର ଭିତରେ ପରଜୀବୀ ଭାବେ ବଢ଼ିଥାଏ ଏବଂ ସେହି ଗଛରୁ ପାଣି ଓ ପୋଷକ ତତ୍ତ୍ୱ ସଂଗ୍ରହ କରି ଜୀବନଧାରଣ କରେ।
ଅନ୍ୟ ସ୍ଥାନରେ ଚାଷ କରିବା କାହିଁକି କଷ୍ଟକର?
ରାଫ୍ଲେସିଆ ଆର୍ନୋଲ୍ଡାଇ କେବଳ ଦକ୍ଷିଣ-ପୂର୍ବ ଏସିଆର ବର୍ଷା ଜଙ୍ଗଲରେ ଥିବା ବିଶେଷ ପରିବେଶରେ ବଢ଼ିଥାଏ। ଏହା ସମ୍ପୂର୍ଣ୍ଣ ଭାବେ ଟେଟ୍ରାଷ୍ଟିଗ୍ମା ଲତା ଉପରେ ନିର୍ଭରଶୀଳ ଥିବାରୁ ଅନ୍ୟ କୌଣସି ସ୍ଥାନରେ କିମ୍ବା ସାଧାରଣ ବଗିଚାରେ ଏହାର ସଫଳ ଚାଷ କରିବା ପ୍ରାୟ ଅସମ୍ଭବ।
ପ୍ରକୃତିର ଏକ ଅଦ୍ଭୁତ ସୃଷ୍ଟି
ବିଶାଳ ଆକାର, ମାତ୍ର କିଛି ଦିନର ଜୀବନକାଳ, ପଚା ମାଂସ ଭଳି ଦୁର୍ଗନ୍ଧ ଏବଂ ପରଜୀବୀ ଜୀବନଶୈଳୀ ଯୋଗୁଁ ରାଫ୍ଲେସିଆ ଆର୍ନୋଲ୍ଡାଇକୁ ପ୍ରକୃତିର ସବୁଠାରୁ ରହସ୍ୟମୟ ଓ ବିସ୍ମୟକର ଫୁଲମାନଙ୍କ ମଧ୍ୟରୁ ଗଣାଯାଏ। ଏହି ଦୁର୍ଲଭ ଫୁଲ ବିଜ୍ଞାନୀ, ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।
ଅଧିକ ପଢନ୍ତୁ-ଅମିଷା ନୁହେଁ ଏହିସବୁ ନାୟିକା ଥିଲେ ପ୍ରଥମ ପସନ୍ଦ, ଜାଣନ୍ତୁ ‘ଗଦର’ରେ କେମିତି ଅଭିନୟ କଲେ ଅମରିଶ ପୁରୀ