ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ରେ ହୋଇଥିବା ୧୩,୦୦୦ କୋଟି ଟଙ୍କାର ଦୁର୍ନୀତି ମାମଲାରେ ଫେରାର ହୀରା ବ୍ୟବସାୟୀ ନୀରବ ମୋଦୀଙ୍କ ସାନ ଭାଇ ନେହାଲ ଦୀପକ ମୋଦୀଙ୍କୁ ଅମେରିକାରେ ଗିରଫ କରାଯାଇଛି। ଭାରତର ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଏବଂ ସେଣ୍ଟ୍ରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ (ସିବିଆଇ)ର ମିଳିତ ପ୍ରତ୍ୟର୍ପଣ ଅନୁରୋଧ ଆଧାରରେ ଗତ ଜୁଲାଇ ୪ ତାରିଖରେ ଅମେରିକା ପ୍ରଶାସନ ତାଙ୍କୁ ଗିରଫ କରିଛି।
ନେହାଲ ମୋଦୀ କିଏ?
୪୬ ବର୍ଷୀୟ ନେହାଲ ମୋଦୀ ବେଲଜିୟମର ଆଣ୍ଟୱର୍ପରେ ଜନ୍ମଗ୍ରହଣ କରିଥିଲେ ଏବଂ ସେ ଇଂରାଜୀ, ଗୁଜରାଟୀ ଓ ହିନ୍ଦୀ ଭାଷାରେ ଅତ୍ୟନ୍ତ ପାରଙ୍ଗମ। ସେ ମୋଦୀ ପରିବାରର ବିଶ୍ୱବ୍ୟାପୀ ହୀରା ବ୍ୟବସାୟ ସହ ଜଡ଼ିତ। ଇଡି ଏବଂ ସିବିଆଇ ଅନୁଯାୟୀ, ନେହାଲ ନୀରବଙ୍କ ସହ ମିଶି ଏହି ଦୁର୍ନୀତି କରିଛନ୍ତି। ଏଣୁ ଇଡି ନେହାଲ ଦୀପକ ମୋଦୀଙ୍କ ନାମରେ ପୂର୍ବରୁ ମଧ୍ୟ ଚାର୍ଜସିଟ ଜାରି କରିସାରିଛି।
ପିଏନବି ଦୁର୍ନୀତିରେ ନେହାଲଙ୍କ ଭୂମିକା
ନେହାଲ ମୋଦୀଙ୍କ ବିରୋଧରେ ମନି ଲଣ୍ଡରିଂ (ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟ, ୨୦୦୨ ଅନୁଯାୟୀ ସେକ୍ସନ ଧାରା ୩) ଏବଂ ଅପରାଧମୂଳକ ଷଡ଼ଯନ୍ତ୍ର (ଇଣ୍ଡିଆନ ପେନାଲ କୋଡ଼ର ଧାରା ୧୨୦-ବି ଏବଂ ୨୦୧) ଅନୁଯାୟୀ ଦୁଇଟି ଅଭିଯୋଗ ରହିଛି। ତାଙ୍କୁ ନୀରବ ମୋଦୀଙ୍କ ଦ୍ୱାରା କରାଯାଇଥିବା ଅପରାଧର ଆୟକୁ ଲୁଚାଇବା, ପ୍ରମାଣ ନଷ୍ଟ କରିବା ଏବଂ ଶେଲ କମ୍ପାନୀ ଓ ବିଦେଶୀ ଲେଣଦେଣ ମାଧ୍ୟମରେ ଅବୈଧ ଅର୍ଥ ହସ୍ତାନ୍ତରରେ ସାହାଯ୍ୟ କରିଥିବା ଅଭିଯୋଗ ରହିଛି। ଇଡି ଅନୁଯାୟୀ, ପିଏନବି ଦୁର୍ନୀତି ପ୍ରକାଶ ପାଇବା ପରେ ନେହାଲ, ନୀରବଙ୍କ ବିଶ୍ୱସ୍ତ ସହଯୋଗୀ ମିହିର ଆର. ଭଂସାଲୀଙ୍କ ସହ ଦୁବାଇରୁ ୫୦ କିଲୋଗ୍ରାମ ସୁନା ଏବଂ ପ୍ରଚୁର ନଗଦ ଅର୍ଥ ନେଇଥିଲେ ଏବଂ ଡମି(ମିଛ ମିଛିକା) ନିର୍ଦ୍ଦେଶକମାନଙ୍କୁ ତାଙ୍କ ନାମ ପ୍ରକାଶ ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ପିଏନବି ଦୁର୍ନୀତି କ’ଣ?
୨୦୧୮ରେ ପ୍ରକାଶ ପାଇଥିବା ଏହି ଦୁର୍ନୀତି ଭାରତର ସବୁଠାରୁ ବଡ଼ ବ୍ୟାଙ୍କିଙ୍ଗ ଦୁର୍ନୀତି ମାମଲାମାନଙ୍କ ମଧ୍ୟରୁ ଗୋଟିଏ। ନୀରବ ମୋଦୀ ଏବଂ ତାଙ୍କ ଭାଇ ମେହୁଲ ଚୋକସୀ ମୁମ୍ବାଇର ପିଏନବିର ବ୍ରାଡି ହାଉସ ଶାଖାରୁ ୧୩,୦୦୦ କୋଟିରୁ ଅଧିକ ଟଙ୍କା ଦୁର୍ନିତି କରିଥିଲେ। ମେହୁଲ ଏହି ଦୁର୍ନିତିର ମାଷ୍ଟର ମାଇଣ୍ଡ ଥିବା ନେହାଲ ତାଙ୍କ ଭାଇଙ୍କ କଳା କାରନାମା ଲୁଚାଇ ବ୍ୟବସାୟର ଆଳରେ ଏହି ଦୁର୍ନିତିକୁ ରୂପରେଖ ଦେଇଥିଲେ।
ପ୍ରତ୍ୟର୍ପଣ ପ୍ରକ୍ରିୟା ଏବଂ ଆଗାମୀ ପଦକ୍ଷେପ
ନେହାଲଙ୍କୁ ଅମେରିକାରେ ଗିରଫ କରାଯାଇଥିବା ପରେ ତାଙ୍କ ପ୍ରତ୍ୟର୍ପଣ ପାଇଁ ଆଇନଗତ ପ୍ରକ୍ରିୟା ଆରମ୍ଭ ହୋଇଛି। ଜୁଲାଇ ୧୭ ତାରିଖରେ ତାଙ୍କ ଜାମିନ ଶୁଣାଣିର ପରବର୍ତ୍ତୀ ତାରିଖ ରହିଛି। ଯେଉଁଠାରେ ସେ ଜାମିନ ପାଇଁ ଆବେଦନ କରିପାରନ୍ତି। ଅମେରିକୀୟ ଅଭିଯୋଜକମାନେ ଏହାର ବିରୋଧ କରିବେ ବୋଲି ଆଶା କରାଯାଉଛି। ଭାରତୀୟ ତଦନ୍ତକାରୀ ସଂସ୍ଥାମାନେ ଏବେ ଅମେରିକୀୟ ଅଦାଲତରେ ପ୍ରତ୍ୟର୍ପଣ ପାଇଁ ଆବେଦନ କରିବେ। ଯେଉଁଠାରେ ସେମାନେ ଇଡି ଏବଂ ସିବିଆଇ ଚାର୍ଜସିଟ, ପ୍ରମାଣ ଏବଂ ସହ-ଅଭିଯୁକ୍ତଙ୍କ ସାକ୍ଷ୍ୟ ଉପସ୍ଥାପନ କରିବେ।
ଅନ୍ୟାନ୍ୟ ଦୁର୍ନୀତି ଅଭିଯୋଗ
ନେହାଲ ମୋଦୀ କେବଳ ପିଏନବି ଦୁର୍ନୀତିରେ ଜଡ଼ିତ ନୁହନ୍ତି। ତାଙ୍କୁ ନୂଆଦିଲ୍ଲୀରେ ଅନ୍ୟ ଦୁର୍ନୀତି ମାମଲାରେ ମଧ୍ୟ ଅଭିଯୁକ୍ତ କରାଯାଇଛି ଏବଂ ୨୦୧୯ରେ ଇଣ୍ଟରପୋଲ ତାଙ୍କ ବିରୋଧରେ ଏକ ରେଡ ନୋଟିସ ଜାରି କରିଥିଲା। ତାଙ୍କ ବିରୋଧରେ ନ୍ୟୁୟର୍କରେ ୨.୬ ନିୟୁତ ଡଲାରର ହୀରା ଦୁର୍ନୀତିର ଅଭିଯୋଗ ମଧ୍ୟ ରହିଛି। ଯେଉଁଥିରେ ସେ ମିଥ୍ୟା ପ୍ରତିଶ୍ରୁତି ଦେଇ ହୀରା ପାଇଁ ଋଣ ନେଇଥିଲେ ଏବଂ ତାହା ନିଜ ଉପରେ ଖର୍ଚ୍ଚ କରିଥିଲେ।
ନୀରବ ମୋଦୀ ଏବଂ ମେହୁଲ ଚୋକସୀଙ୍କ ସ୍ଥିତି
ନୀରବ ମୋଦୀ ବର୍ତ୍ତମାନ ଲଣ୍ଡନର ଏକ ଜେଲରେ ଅଛନ୍ତି। ଯେଉଁଠାରୁ ସେ ଭାରତର ପ୍ରତ୍ୟର୍ପଣ ଅନୁରୋଧର ସମ୍ମୁଖୀନ ହେଉଛନ୍ତି। ମେହୁଲ ଚୋକସୀ ମଧ୍ୟ ଫେରାର ଅଛନ୍ତି ଏବଂ ତାଙ୍କ ବିରୋଧରେ ଅନୁରୂପ ଅଭିଯୋଗ ରହିଛି।
ନେହାଲ ମୋଦୀଙ୍କ ଗିରଫ ଭାରତୀୟ ତଦନ୍ତକାରୀ ସଂସ୍ଥାମାନଙ୍କ ପାଇଁ ଏକ ବଡ଼ ସଫଳତା ଭାବେ ବିବେଚନା କରାଯାଉଛି। ଏହା ପିଏନବି ଦୁର୍ନୀତି ମାମଲାରେ ଦୋଷୀମାନଙ୍କୁ ନ୍ୟାୟର କବଳରେ ଆଣିବା ପାଇଁ ଭାରତ ସରକାରଙ୍କ ପ୍ରୟାସକୁ ଆହୁରି ଜୋରଦାର କରିଛି।