ନୂଆଦିଲ୍ଲୀ,୭।୭: ଅରବପତି ତଥା ଦୁନିଆର ଏକ ନମ୍ବର ଧନୀ ବ୍ୟକ୍ତି ଏଲନ୍ ମସ୍କ ନିକଟରେ ନିଜର ନୂତନ ଦଳ 'ଆମେରିକା ପାର୍ଟି' ଘୋଷଣା କରିଛନ୍ତି। ତେବେ ଏଥିରେ ଜଣେ ଭାରତୀୟଙ୍କୁ ମିଳିଛି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ। ଟେସଲା ମୁଖ୍ୟ ଭାରତୀୟ ବଂଶୋଦ୍ଭବ ବୈଭବ ତନେଜାଙ୍କୁ କୋଷାଧ୍ୟକ୍ଷ ଭାବରେ ନିଯୁକ୍ତ କରିଛନ୍ତି। ବୈଭବ ବିଶ୍ୱର ସବୁଠାରୁ ଅଧିକ ଦରମା ପାଉଥିବା ଚିଫ୍ ଫାଇନାନ୍ସିଆଲ ଅଫିସର( ସିଏଫଓ)। ସେ ଟେସଲା କମ୍ପାନୀର ଫାଇନାନ୍ସ ଡିପାର୍ଟମେଣ୍ଟ ମଧ୍ୟ ପରିଚାଳନା କରିଛନ୍ତି।
ବୈଭବ ଦିଲ୍ଲୀର ମୂଳବାସିନ୍ଦା ହୋଇଥିବା ବେଳେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଶିକ୍ଷାଗ୍ରହଣ କରିଛନ୍ତି। ବାଣିଜ୍ୟରେ ଡିଗ୍ରୀ ହାସଲ କରିବା ପରେ, ବୈଭବ ୨୦୦୬ ରେ CA ପଢ଼ିଥିଲେ ଏବଂ ଜଣେ ସାର୍ଟିଫାଏଡ୍ ଆକାଉଣ୍ଟାଣ୍ଟ ହୋଇଥିଲେ। ୨୦୧୭ ରେ ଟେସଲା ଜଏନ୍ କରିଥିଲେ ଓ ୨୦୨୩ ରେ ସିଏଫ୍ଓ ହୋଇଥିଲେ। ଏହା ପୂର୍ବରୁ ସେ କମ୍ପାନୀର ଚିଫ୍ ଆକାଉଣ୍ଟିଂ ଅଫିସର ଥିଲେ। ବର୍ତ୍ତମାନ ସେ ମସ୍କଙ୍କ ଆମେରିକା ଦଳରେ କୋଷାଧ୍ୟକ୍ଷ ଭାବରେ ନିଯୁକ୍ତ ହୋଇଛନ୍ତି। କୋଷାଧ୍ୟକ୍ଷଙ୍କ କାମ ହେଉଛି ଯେକୌଣସି ଦଳର ଅର୍ଥ ବିଭାଗକୁ ଖାଲି ନ ହେବାକୁ ଦେବା। ସେ ସମ୍ପୂର୍ଣ୍ଣ ଅର୍ଥର ରେକର୍ଡ ରଖନ୍ତି।
ଉଲ୍ଲେଖନୀୟ ଯେ, ଚଳିତ ମାସ ଏଲନ ମସ୍କ ‘ଆମେରିକା ପାର୍ଟି’ ନାମରେ ନୂଆ ରାଜନୈତିକ ଦଳ ଘୋଷଣା କରିଛନ୍ତି। ମସ୍କ ଏହି ଦଳ ଗଠନ କରିବା ପଛରେ ଟ୍ରମ୍ପଙ୍କ ସହ ବିବାଦ ଏବଂ ‘ବିଗ୍ ବ୍ୟୁଟିଫୁଲ୍ ଆଇନ୍’କୁ ବିରୋଧ କାରଣ ରହିଛି। ପାର୍ଟି ନିଜକୁ ଦୁଇ ପାରମ୍ପାରିକ ଦଳ ରିପବ୍ଲିକାନ୍ ଓ ଡେମୋକ୍ରାଟସ୍ ଠାରୁ ଅଲଗା ବୋଲି ମସ୍କ କହିଛନ୍ତି। ଦଳର ଫୋକସ୍ ବାକ୍ ସ୍ବାଧୀନତାକୁ ପ୍ରୋତ୍ସାହନ ଦେବା। ୨୦୨୬ ମିଡଟର୍ମ ନିର୍ବାଚନ ପୂର୍ବରୁ ଏଲନ୍ ମସ୍କଙ୍କ ଏହି ପଦକ୍ଷେପ ଆମେରିକା ରାଜନୀତିରେ ନୂଆ ବିକଳ୍ପ ଭାବରେ ଦେଖାଯାଉଛି।