. ମେୟର ପଦ ପାଇଁ ବିଜେପିକୁ ଦରକାର ୨୫ କର୍ପୋରେଟର

. କ୍ୟାବିନେଟ ବୈଠକକୁ ଗଲେନି ସିନ୍ଦେ-ଅଜିତ

. କିଙ୍ଗମେକର ହୋଇପାରେ ସିନ୍ଦେଙ୍କ ଶିବସେନା, ଟାର୍ଗେଟ କଲେ ଉଦ୍ଧବ

ମୁମ୍ବାଇ,୧୮/୦୧: ମହାରାଷ୍ଟ୍ର ନଗର ନିଗମ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ମୁମ୍ବାଇ ରାଜନୀତିରେ ହଲଚଲ ବଢ଼ିଛି । ଏକନାଥ ସିନ୍ଦେଙ୍କ ଶିବସେନା ଏହାର ସମସ୍ତ ୨୯ କର୍ପୋରେଟରଙ୍କୁ ଏକ ପଞ୍ଚତାରକା ହୋଟେଲକୁ ଶିଫ୍ଟ କରିଛି । ଶିବସେନାର ଏହି ପଦକ୍ଷେପକୁ ମୁମ୍ବାଇ ମେୟର ପଦ ସହ ଯୋଡ଼ାଯାଉଛି । ୨୨୭ କର୍ପୋରେଟର ବିଶିଷ୍ଟ ବ୍ରିହନ ମୁମ୍ବାଇ ମହାନଗରପାଳିକା (ବିଏମ୍‌ସି) ନିର୍ବାଚନରେ ବିଜେପି ଏକାକୀ ୮୯ ଆସନ ହାତେଇଛି । ବହୁମତ ସଂଖ୍ୟା ରହିଛି ୧୧୪ । ମୁମ୍ବାଇରେ ମେୟର ଆସନ ପାଇଁ ବିଜେପିକୁ ଆଉ ୨୫ କର୍ପୋରେଟର ଆବଶ୍ୟକତା ରହିଛି । ବିଜେପି ନେତୃତ୍ୱାଧୀନ ମେଣ୍ଟ ମହାୟୁତିରେ ଥିବା ସିନ୍ଦେଙ୍କ ଶିବସେନାକୁ ୨୯ ଆସନ ଯାଇଛି । ତେଣୁ ମେୟର ପଦବୀ ପାଇଁ ସିନ୍ଦେଙ୍କ ଶିବସେନା କିଙ୍ଗମେକର ହୋଇପାରେ ।

ଏହି ପଦରେ ସିନ୍ଦେ ନିଜ ପ୍ରାର୍ଥୀଙ୍କୁ ବସାଇବା ପାଇଁ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି । ବିଏମ୍‌ସି ନିର୍ବାଚନରେ ଅଜିତଙ୍କ ଏନ୍‌ସିପି ୩ ଆସନ ପାଇଛି । ସେହିପରି ଉଦ୍ଧବ ଠାକରେ ଗୋଷ୍ଠୀର ଶିବସେନା ଏମ୍ଏନ୍ଏସ୍ ସହ ମେଣ୍ଟ କରି ବିଏମ୍‌ସି ନିର୍ବାଚନ ଲଢ଼ିଥିବାବେଳେ ଏକାକୀ ୬୫ ଆସନ ଜିତିଛି । କଂଗ୍ରେସ ୨୪ ଆସନରେ ସନ୍ତୁଷ୍ଟ ହୋଇଛି । ମୋଟ ୨୯ ନଗର ନିଗମ ମଧ୍ୟରୁ ବିଜେପି ୧୭ଟିରେ ବିଜୟୀ ହୋଇଛି । ଏବେ ସଭିଁଙ୍କ ନଜର ମେୟର ପଦ ଉପରେ ରହିଛି । ସଦ୍ୟ ନିର୍ବାଚନ ପରେ ମୁମ୍ବାଇ ପ୍ରଥମ କରି ଜଣେ ବିଜେପି ମେୟର ପାଇବା ଲାଗି ସୁଯୋଗ ସୃଷ୍ଟି ହୋଇଛି । କିନ୍ତୁ ମେୟର ପଦରେ ଅନେକ ସମସ୍ୟା ରହିଛି । ତାହା ହେଲା ଅଦ୍ୟାବଧି ମେୟର ପଦକୁ ନେଇ ଚୂଡ଼ାନ୍ତ ଆଲୋଚନା ହୋଇପାରିନାହିଁ । ନଗର ନିଗମଗୁଡ଼ିକରେ ମେୟର ପଦ ପାଇଁ ସଂରକ୍ଷଣ ସ୍ଥିତି ବି ସ୍ପଷ୍ଟ ହୋଇନି । ୨୦୨୫ ନଭେମ୍ବର ୨୫ରେ ସୁପ୍ରିମକୋର୍ଟ ଓବିସି ସଂରକ୍ଷଣକୁ ନେଇ ଟିପ୍ପଣୀ ଦେଇଥିଲେ । କେତେକ ନଗରନିଗମରେ ୫୦% ରୁ ଅଧିକ ସଂରକ୍ଷଣ ଉପରେ ମଧ୍ୟ ପ୍ରଶ୍ନ ଉଠିଛି ।

ରିପୋର୍ଟ ଅନୁସାରେ, ସିନ୍ଦେ ଏବଂ ଅଜିତ ପାୱାର ଗୋଷ୍ଠୀକୁ ନିର୍ବାଚନରେ ଯେତିକି ଆଶା ଥିଲା ତାହା ହୋଇପାରିନାହିଁ । ପରିଣାମ ଆଶାଜନକ ନ ହେବାରୁ ଏଥିଲାଗି ଏହି ଦୁଇ ଉପମୁଖ୍ୟମନ୍ତ୍ରୀ ବିଜେପି ସହ ଅସନ୍ତୁଷ୍ଟ ଅଛନ୍ତି । ଶନିବାର ମହାରାଷ୍ଟ୍ର ସରକାରଙ୍କ କ୍ୟାବିନେଟ ବୈଠକକୁ ମଧ୍ୟ ଦୁଇ ଉପମୁଖ୍ୟମନ୍ତ୍ରୀ ସିନ୍ଦେ ଏବଂ ପାୱାର ଯାଇନାହାନ୍ତି । ସିନ୍ଦେ ଏଥିପାଇଁ ଅସୁସ୍ଥତା ବାହାନା କରିଥିଲେ । ସେପଟେ ବିଜେପି ନେତା ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ ସ୍ପଷ୍ଟ କରିଛନ୍ତି ଯେ, ମେୟର ପଦକୁ ନେଇ କୌଣସି ବିବାଦ ନାହିଁ ଏବଂ ସାମୂହିକ ଭାବେ ନିଷ୍ପତ୍ତି ନିଆଯାଇ ମେୟର ବଛାଯିବେ । ସିନ୍ଦେଙ୍କ ସମେତ ମହାୟୁତିର ସମସ୍ତ ନେତା ମିଶି ଏହି ନିଷ୍ପତ୍ତି ନେବେ । ଏହା ଭିତରେ ଉଦ୍ଧବ ଠାକରେ ସିନ୍ଦେଙ୍କୁ ଟାର୍ଗେଟ କରି କହିଛନ୍ତି, ସିନ୍ଦେ ନିଜେ ବିଜେପିକୁ ଭୟ କରି ନିଜ କର୍ପୋରେଟରଙ୍କୁ ହୋଟେଲ ପଠାଇଦେଇଛନ୍ତି । କାରଣ ସିନ୍ଦେଙ୍କ ଶିବସେନା ଏବେ ଭାଙ୍ଗିବା ସ୍ଥିତିରେ ଅଛି ।