ମୋହନା, ୦୭/୦୨ : ଦେହ ସୁଖ ପାଇଁ ପ୍ରେମିକ ସହ ଚାଲିଗଲା ମା’। ଦାଦନ ଖଟିବାକୁ ଯାଇ ଆରପାରିରେ ବାପା। ପରିବାର ଉଚ୍ଛନ, ଅସହାୟ ଜୀବନ। ଭଙ୍ଗା ଦଦରା କୁଡ଼ିଆରେ ମୁଣ୍ଡ ଗୁଞ୍ଜିଛନ୍ତି ଛେଉଣ୍ଡ ଚାରି ଭାଇ ଭଉଣୀ। ମୁହଁରେ ଦାନା ମୁଠେ ଦେବା ଦୂରର କଥା ଆହା ପଦେ କହିବାକୁ କେହି ନାହିଁ। ଏହି ଅନାଥ ଅସହାୟଙ୍କୁ ଏବେ ଦଇବ ସାହା। କିଏ ନେବ ସେମାନଙ୍କ ଦାୟିତ୍ଵ ? କ'ଣ ହେବ ଏମାନଙ୍କ ଭବିଷ୍ୟତ ? ଗଜପତି ଜିଲ୍ଲା ମୋହନା ବ୍ଲକ୍ ଲୁଡୁରୁ ଗାଁରୁ ଆସିଛି ଏଭଳି ହୃଦୟବିଦାରକ ଦୃଶ୍ୟ।  

କଥାରେ ଅଛି ଯାହାର ମା’, ବାପା ନାହିଁ ତାର କେହି ନାହିଁ । ଏଭଳି ଦୁଃଖଦ ପରିସ୍ଥିତିର ଶିକାର ହୋଇଥିବା ଗଜପତି ଜିଲ୍ଲା ମୋହନା ବ୍ଲକ୍ ଲୁଡୁରୁ ଗାଁର ୪ ଅନାଥ ଭାଇଭଉଣୀଙ୍କ ଭବିଷ୍ୟତ ଏବେ ଅନ୍ଧାରରେ। ଭଙ୍ଗା ଘରେ ଅସହାୟ ଅବସ୍ଥାରେ ମୁଣ୍ଡ ଗୁଞ୍ଜି ରହିଥିବା ଏହି ୪ ଜଣଙ୍କୁ ସାହା ହେବ କିଏ ତାହା ପ୍ରଶ୍ନବାଚୀ । ଚାରି ବର୍ଷ ତଳେ ମା’ ୪ ଛୁଆଙ୍କୁ ଛାଡ଼ି ପ୍ରେମିକ ସହ କୁଆଡ଼େ ଚାଲିଗଲେ । ସେତେବେଳେ ସାନ ଝିଅକୁ ମାତ୍ର ବର୍ଷଟିଏ ହୋଇଥିଲା । ବାପାଙ୍କ ସାହାରାରେ ସନ୍ତାନ ଥିଲେ । ଏବେ ବଡ଼ ଝିଅ ନବମ ଶ୍ରେଣୀ ପଢ଼ିଥିବା ବେଳେ ପୁଅ (୨ୟ ସନ୍ତାନ)ସପ୍ତମ ଓ ମଝିଆ ଝିଅ (୩ୟ ସନ୍ତାନ) ତୃତୀୟ ଶ୍ରେଣୀରେ ପଢୁଛି । ସାନ ଝିଅ ଏବେ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଉଛି । ଆର୍ଥିକ ଅନଟନ ଯୋଗୁଁ ପିଲାଙ୍କୁ ଦୁଇ ମୁଠା ଖାଇବାକୁ ଦେବା ପାଇଁ କିଛି ବର୍ଷ ତଳେ ବାପା ଦାଦନ ଖଟିବାକୁ ଗୋଆ ଚାଲିଗଲେ। ପିଲାଙ୍କ ଦାୟିତ୍ୱ ନେଉଥିଲେ ଗାଁରେ ଥିବା ପିଉସୀ । ହେଲେ ଏବେ ବାପାଙ୍କ ମୃତ୍ୟୁ ଖବର ପହଞ୍ଚିବା ପରେ ସେମାନଙ୍କ ପରିବାର ଯେପରି ଉଚ୍ଛନ୍ନ ହୋଇଯାଇଛି । ଗୋଆରେ ଗତ ୨ ତାରିଖରେ ବାପାଙ୍କର ଅଚାନକ ମୃତ୍ୟୁ ଘଟିଥିଲା । ବାପା ଆରପାରିକୁ ଚାଲିଗଲା ପରେ ଏବେ ପିଲାଙ୍କ ଦେଖାଶୁଣା କିଏ କରିବ, ସେମାନେ କିଭଳି ମଣିଷ ହୋଇ ଗଢ଼ିହେବେ ତାହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଚାରି ଭାଇ ଓ ଭଉଣୀ ଏବେ ଅନାଥ ହୋଇଯାଇଛନ୍ତି । ଚାରି ଭାଇ ଭଉଣୀଙ୍କ ପୋଷଣ କରିବ କିଏ ତାକୁ ନେଇ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି। 

ବଡ଼ ଝିଅ ହିଁ ଏବେ କଅଁଳ ବୟସରେ ସାନ ଭାଇ ଓ ୨ ଭଉଣୀଙ୍କ ଦାୟିତ୍ୱ ନେଉଛି । ସରକାର ରାସନ କାର୍ଡରେ କେବଳ ୨୦ କିଲୋ ଚାଉଳ ଦେଉଛନ୍ତି । ବର୍ତ୍ତମାନ ଅନାଥ ୪ ଛୁଆଙ୍କୁ ସରକାରୀ ସହାୟତା ପ୍ରଦାନ ପାଇଁ ନିବେଦନ କରିଛନ୍ତି ଗ୍ରାମବାସୀ । ମୋହନା ବିଡିଓ ରାଜୀବ ଦାସ କହିଛନ୍ତି ଯେ- ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଛି। ୪ ଶିଶୁଙ୍କୁ ଉଦ୍ଧାର କରି ସରକାରୀ ବ୍ୟବସ୍ଥା ଅନୁଯାୟୀ ଥଇଥାନ କରାଯିବ।

ଏହି ଖବରଟିକୁ ପଢନ୍ତୁ- ମହିଳା ଅତିରିକ୍ତ ତହସିଲଦାରଙ୍କୁ ଅଶାଳୀନ ବ୍ୟବହାର ଅଭିଯୋଗ: ବିଷ ପିଇଲେ ପିଇଓ, ଏମ୍‌କେସିଜିରେ ଭର୍ତ୍ତି