ନୂଆଦିଲ୍ଲୀ, ୬/୯ : ପଦାରେ ପଡ଼ିଲା ଟ୍ରମ୍ପଙ୍କ ଦୋମୁହାଁ ନୀତି। ଋଷର ଅର୍ଥ ବ୍ୟବସ୍ଥାକୁ ପଙ୍ଗୁ କରିବା ନେଇ ଆମେରିକାର ସବୁ ବାହାସ୍ପୋଟ ଧୂଆଁବାଣ। ଗୋଟିଏ ପଟେ ଋଷ ସହ ବ୍ୟାପାର କରୁଥିବା ଦେଶ ଗୁଡ଼ିକ ଉପରେ ଟାରିଫ୍ ପରେ ଟାରିଫ୍ ଲଦୁଛନ୍ତି ଟ୍ରମ୍ପ ସରକାର। ହେଲେ ନିଜେ ଲୁଚି ଲୁଚି ମସ୍କୋ ସହ ବ୍ୟାପାର କରୁଛି ୱାଶିଂଟନ୍। ଋଷର ସରକାରୀ ନ୍ୟୁଜ୍ ଏଜେନ୍ସି ଆରଆଇଏ ନୋବୋତ୍ସିରେ ଏହାର ଖୁଲାସା ହୋଇଛି। ଦୀର୍ଘ ୩୨ ବର୍ଷ ପରେ ପ୍ରଥମ ଥର ପାଇଁ ଆମେରିକା ୨୦୨୫ ଜୁଲାଇ ମାସରେ ଋଷ ଠାରୁ ବିପୁଳ ମାତ୍ରାରେ ଅଣ୍ଡା ଆମଦାନୀ କରିଛି। ଶେଷ ଥର ପାଇଁ ଆମେରିକା ୧୯୯୨ରେ ଋଷ ଠାରୁ ଅଣ୍ଡା କିଣିଥିଲା। 

ରିପୋର୍ଟ ଅନୁସାରେ, ଆମେରିକା ୨୦୨୫ ଜୁଲାଇ ମାସରେ ଋଷ ଠାରୁ ୪.୫୫ ଲକ୍ଷ ଡଲାର ତଥା ୩.୮ କୋଟି ଟଙ୍କାର କୁକୁଡ଼ା ଅଣ୍ଡା କିଣିଛି। ଆମେରିକା ବାର୍ଡ ଫ୍ଲୁ ମହାମାରୀ ସହ ଯୁଝୁଥିବା ବେଳେ ଅଣ୍ଡା ଆବଶ୍ୟକତାକୁ ପୂରଣ କରିବା ପାଇଁ ଋଷ ସହ ବ୍ୟବସାୟ କରିଛି। ସିଏନଏନର ରିପୋର୍ଟ ଅନୁଯାୟୀ, ୨୦୨୫ ଜାନୁଆରୀ ମାସରେ ଆମେରିକାରେ ବାର୍ଡ ଫ୍ଲୁ ବ୍ୟାପିଥିଲା। ଲକ୍ଷ ଲକ୍ଷ କୁକୁଡ଼ା ସଂକ୍ରମିତ ହୋଇଥିଲେ। ଏହାଦ୍ଵାରା ଆମେରିକାରେ ଅଣ୍ଡା ଅଭାବ ସୃଷ୍ଟି ହୋଇଥିଲା। ଦେଶରେ ଫେବୃଆରୀ ମାସରେ ଏକ ଡର୍ଜନ ଅଣ୍ଡାର ଦାମ୍ ୭ ଡଲାର ଯାଏଁ ପହଞ୍ଚିଯାଇଥିଲା। ତେଣୁ ଆବଶ୍ୟକତାକୁ ପୂରଣ କରିବା ପାଇଁ ମୁହଁ ଫୁଟାଣି ମାରୁଥିବା ଟ୍ରମ୍ପ ନିଜେ ଋଷରୁ ଅଣ୍ଡା ଆମଦାନୀ କରିଥିଲେ। 

ଖାଲି ସେତିକି ନୁହେଁ ୨୦୨୪ରେ ଆମେରିକା ଋଷ ଠାରୁ ପ୍ରାୟ ୩ ଅରବ ଡଲାରର ଜିନିଷ ଆମଦାନୀ କରିଛି। ୨୦୨୫ରେ ୯୨୭ ମିଲିଅନ ଡଲାରର ସାର, ୭୫୫ ମିଲିଅନ ଡଲାରର ୟୁରାନିଅମ୍ ଓ ପ୍ୟାଲିଡିଅମ୍ ଭଳି ଧାତୁ ଆମଦାନୀ କରିଛି।