ପୃଥିବୀରେ ଦୁଇପ୍ରକାର ମଣିଷ ଅଛନ୍ତି- ଦଳେ ହସନ୍ତି, ଆଉ ଦଳେ ହସନ୍ତିନାହିଁ । ଇଂରାଜିରେ ଏମାନଙ୍କୁ Agelast ଓ Hyperagelast କୁହାଯାଏ । ଯେଉଁମାନେ ହସନ୍ତିନାହିଁ ସେମାନେ ହୁଏତ ଦାର୍ଶନିକ, ଯିଏ ବିଶ୍ୱର ପରିଭାଷା ଲେଖନ୍ତି ଓ ବୁଝନ୍ତି ସେମାନେ ଫୁଲଗନ୍ଧରେ ଉଲ୍ଲସିତ ହୁଅନ୍ତିନାହିଁ । ରାତିର ଝରା କାକରର ସ୍ପର୍ଶରେ ଚମକନ୍ତିନାହିଁ କି ସୁନ୍ଦରୀ ନାରୀ ଦେଖିଲେ ପ୍ରତିକ୍ରିୟା ପ୍ରକାଶ କରନ୍ତିନାହିଁ । ସେମାନେ ହୁଏତ ସ୍ଥିତପ୍ରଜ୍ଞ କିମ୍ବା ପଶୁ । କିନ୍ତୁ ସାଧାରଣ ମଣିଷ ହସ । ପ୍ରଥମ ବର୍ଷାରେ ଖାଲିପାଦରେ, ବିନାଛତାରେ ଚାଲି ଖିଲିଖିଲି ହସେ କାହାର ଛତା ପବନରେ ଓଲଟି ଯିବା ଦେଖି । ପଦ୍ମଟିଏ ଦେଖିଲେ କହେ- ଏ ମା! କି ସୁନ୍ଦର! ଭଲ ତରକାରି ଖାଇଲେ କହେ ଅପୂର୍ବ ସ୍ୱାଦ । ସାଦି ହୋଇଥିବା ପତ୍ନୀକୁ ଦେଖି ଆଖି ବଡ଼ ବଡ଼ କରି କହେ- ଆସ ଊର୍ବଶୀ, ସୁଧର୍ମା ସଭାକୁ ଧନ୍ୟ କର ତୁମ ଲାସ୍ୟଭରା ନୃତ୍ୟରେ । କିନ୍ତୁ ସମସ୍ତେ ଏପରି ଭାଷା କହନ୍ତି ନାହିଁ । ନିରବରେ ହସନ୍ତି। ଆନନ୍ଦ, ହସକାନ୍ଦ, ଆଶ୍ଚର୍ଯ୍ୟ ବିମର୍ଶ ଭାବ ହସଖେଳ, ଆଶା, ନିରାଶା ସବୁ ପ୍ରକାଶ କରନ୍ତି । ସାମାନ୍ୟ ଖୁସିର କଥାରେ ସେମାନେ ହସନ୍ତି । ତେବେ ମଣିଷ କାହିଁକି ହସେ? ବାଘ ହସିବା ଚିତ୍ର ଦେଖିଲେ ମୁର୍କି ହସେ । ମୋଟୀ ସ୍ତ୍ରୀଲୋକଟିଏ କଦଳୀ ଚୋପାରେ ଗୋଡ଼ ଖସି ପଡ଼ିଗଲେ ମଧ୍ୟ ହସେ (କିନ୍ତୁ ସେ ତା’ର ମାଆ ହୋଇଥିଲେ ହସେନାହିଁ) । ଦୁଇଟି ଏକା ଚେହେରାର ପୁରୁଷ ବା ନାରୀ ଦେଖିଲେ ହସେ (ରାମଶ୍ୟାମ), (ସୀତା-ଗୀତା) । ଗୋଟିଏ ଡେଙ୍ଗା ଲୋକ ସହିତ ନିହାତି ବାଙ୍ଗରା ଲୋକଟିଏ ହାତ ଧରାଧରି ହୋଇ ଚାଲିଲେ ମଧ୍ୟ ଲୋକେ ହସନ୍ତି, କାହିଁକି?

ପ୍ରକୃତି ଦୋହରା ବା ଡୁପ୍ଲିକେଟ୍ ଗଢ଼େନାହିଁ । ପ୍ରତ୍ୟେକ ପ୍ରାଣୀ, ବସ୍ତୁ ପ୍ରକୃତିରେ ସ୍ୱତନ୍ତ୍ର । ତେଣୁ ଆମେ ଯେତେବେଳେ ଦୁଇଟି ପୁରୁଷ-ସ୍ତ୍ରୀ ବା ଗଛ ପାହାଡ଼ ଏକା ପରି ଦେଖୁ ଆମକୁ ହସମାଡ଼େ । ଏହା ଏକ ମନସ୍ତାତ୍ତ୍ୱିକ ପ୍ରତିକ୍ରିୟା । ଅବଚେତନରେ ଆମେ ଅନୁଭବ କରୁ ଯେ, ପ୍ରକୃତି ଯନ୍ତ୍ର ବା ମେସିନ ପରି ସେହି ଗୋଟିଏ ପ୍ରାଣୀ ବା ବସ୍ତୁ ଗଢ଼ିଛି । ଦ୍ୱିତୀୟରେ ଆମ ଭିତରେ ଯେତେବେଳେ ବଡ଼ ମଣିଷର ଭାବ ଦୃଶ୍ୟ ବା ବାସ୍ତବ ଦ୍ୱାରା ସୃଷ୍ଟିହୁଏ ଆମେ ନହସି ରହିପାରୁନାହିଁ । ଧରନ୍ତୁ, କ୍ଲାସରୁମ୍ରେ ଜଣେ ଶିକ୍ଷକ ପଶୁ ପଶୁ ଝୁଣ୍ଟି ପଡ଼ନ୍ତି, ପିଲାମାନେ ହୋ ହୋ ହସିବେ । କିନ୍ତୁ ଶିକ୍ଷକ ଯଦି ଛୋଟା ହୋଇଥାନ୍ତି ତେବେ ମନରେ ସମବେଦନା ସୃଷ୍ଟିହୁଏ । କିନ୍ତୁ ଜଣେ ସୁସ୍ଥ ମଣିଷ ପଡ଼ିଗଲେ ହସ ସୃଷ୍ଟିହୁଏ, ଯେହେତୁ ମାନସିକ ସ୍ତରରେ ଭାବ ଆସେ ଯେ ସୁସ୍ଥ ଶରୀର ପାଇ ମଧ୍ୟ ଲୋକଟା ଚାଲିପାରୁନାହିଁ । ଏହି ସୁପିରିଆର ବା ବଡ଼ ମନୋଭାବ ଗର୍ବ ବା ଅହଂକାର ନୁହେଁ । ଯଦି ଜଣେ ଅନ୍ଧ ବା ଛୋଟପିଲା ପଡ଼େ ଆମେ ଦଉଡ଼ିଯାଉ । କିନ୍ତୁ ଜଣେ ସୁସ୍ଥ ସବଳ ପୁରୁଷ ଚାଲୁଚାଲୁ ପଡ଼ିଗଲେ ହସୁ । ସେହିପରି ଜଣେ ୮ଫୁଟିଆ ମଣିଷ ଦେଖିଲେ ଆମେ ହସୁ, କାରଣ ଏହା ଏକ ବ୍ୟତିକ୍ରମ । ସେହିପରି ଅତି ଛୋଟ ମଣିଷ ଦେଖିଲେ ମଧ୍ୟ ଆମେ ହସୁ । ଯଦି ଜଣେ ଚାକର ଶ୍ରେଣୀର ଲୋକ ତାର ମାଲିକାଣୀକୁ ପ୍ରେମପତ୍ର ଲେଖେ ଆମେ ନିଶ୍ଚୟ ହସିବୁ, ଯେହେତୁ ଏଠି ସାମାଜିକ ସ୍ତରର ଉଲ୍ଲଙ୍ଘନ ହୁଏ । ମଣିଷର ଦୁର୍ବଳତା ଯଥା ଇନ୍ଦ୍ରିୟମାନଙ୍କର ବିକୃତି ମଧ୍ୟ ହସ ସୃଷ୍ଟିକରେ ।

ଅନ୍ୟ ଭାଷାରେ ଯେତେବେଳେ ମଣିଷ ଅପ୍ରାକୃତିକ ଗଠନ ବା କଥାବାର୍ତ୍ତା, ଆଚରଣ ଦେଖାଏ ତାହା ହସ ସୃଷ୍ଟିକରେ । ହସ ଏକ ମନସ୍ତାତ୍ତ୍ୱିକ ଔଷଧ ପରି କାମ କରେ । ମଣିଷ ଯେତେବେଳେ ସାମାଜିକ ସନ୍ତୁଳନର ଊଦ୍ଧ୍ୱର୍କୁ ଯାଏ ବା ନିମ୍ନ ଶ୍ରେଣୀକୁ ଯାଏ, ଆମର ହସ ମାଧ୍ୟମରେ ସେହି ମଣିଷକୁ ସାଧାରଣ ହେବାପାଇଁ ପ୍ରକାରାନ୍ତରେ କୁହାଯାଏ । ହସ ହିଁ ସମାଲୋଚନାର ଭାଷା । କବିସୂର୍ଯ୍ୟ ବଦଳଦେବ ରଥଙ୍କ ‘ଜନେ ହସିବେ ଏହି ତହୁଁ ଫଳ’ ସବୁ ଶିକ୍ଷିତ ବ୍ୟକ୍ତିର ମନେ ଥାଇପାରେ ‘ବର ଜୀବ ରସେ ଦେଇ ମାନସ, ବରଜି ବରଷେ ଅମେଧ୍ୟ ଗ୍ରାସ, ଦେହେ ମନ୍ଦାକିନୀ ରଜ ଲଗାଇ, ଗ୍ରାମ ଶୂକରୀ କି ହୋଇବ ଗାଈ? ଜଗତେ କେବଳ ଜନେ ହସିବେ ଏହି ତହୁଁ ଫଳ’ । ଲକ୍ଷ୍ୟ କରିବାର କଥା ଯେ, ଘୁଷୁରୀ ସମାଜରେ ଏକ ନିମ୍ନ ମାନର ପଶୁ ଭାବେ ଗ୍ରହଣ କରାଯାଏ (ଘୁଷୁରୀ ପ୍ରକୃତି ପଙ୍କେ ଲୋଟଇ) । ସେହି ଘୁଷୁରୀ ଯଦି ଅମେଧ୍ୟ ଗ୍ରାସ ଛାଡ଼ି ଗଙ୍ଗାମାଟି ଦେହରେ ବୋଳେ ସେ କ’ଣ ଗାଈ ହେଇଯିବ? କେବଳ ଲୋକହସା ହେବ । ହସ ତେଣୁ ଏପରି ପଶୁ ବା ପଶୁ ପରି ବ୍ୟକ୍ତି ପ୍ରତି ଏକ ଆକ୍ଷେପ । ଏହା ଔଷଧ ପରି କାମ କରେ। ହାସ୍ୟରସର ତତ୍ତ୍ୱ ଏହି ମୌଳିକ ଧାରଣା ଉପରେ ପ୍ରତିଷ୍ଠିତ ।

ହସ ବ୍ୟକ୍ତିର ହେଲେ ମଧ୍ୟ ତାହା ଗୋଷ୍ଠୀର ପ୍ରକାଶ ମାଧ୍ୟମ ସମାଲୋଚନାର । ହସ ମାଧ୍ୟମରେ ସାମାଜିକ ଅସଙ୍ଗତିର ତ୍ରୁଟି ମାର୍ଜନା ହୁଏ । ଆପଣ ଲକ୍ଷ୍ୟ କରିଥିବେ ସିନେମା ବା ଥିଏଟରରେ ଯଦି ହଲ୍ ଭରା ଥାଏ ହସ ଦୃଶ୍ୟ ଆସିଲେ ସମସ୍ତେ ଖୋଲା ହସ ହସନ୍ତି । ଯଦି ହଲ୍‌ରେ ଅଧାରୁ କମ୍ ଲୋକ ଥାଆନ୍ତି ହସଗୁଡ଼ିକ ଚାପା ହସ ହୁଏ । ମୋର କହିବାର ତାତ୍ପର୍ଯ୍ୟ ହେଲା, ସାଧାରଣ ବ୍ୟକ୍ତି ଯେତେବେଳେ ଅଯୌକ୍ତିକ ଭାବେ ବଡ଼ପଣର ଛଳନା କରେ ଏବଂ ସେହି ଛଳନାକୁ ସତ୍ୟ ଭାବେ ଗ୍ରହଣ କରେ ଉପରେ ବା ଆଧ୍ୟାତ୍ମିକ ଜଗତରେ ଯେଉଁ ଯୌକ୍ତିକ ନୈତିକତା ଅଛି ତାହା ବିଚଳିତ ହୁଏ ଏବଂ ତାହା ହିଁ ହସ ଭାବେ ପ୍ରକାଶିତ ହୁଏ, ଯାହା ଏକପ୍ରକାର ଦଣ୍ଡ । ଉପହାସ ମାଧ୍ୟମରେ ବ୍ୟକ୍ତିର ସାମାଜିକ ଆଭରଣର ବ୍ୟତିକ୍ରମ ଦଣ୍ଡିତ ହୁଏ ହସ ମାଧ୍ୟମରେ । ତେଣୁ ହସ ପରିହାସ ହୁଏ ଯାହା ଔଷଧ ପରି ସାଧାରଣ ଆଚରଣ ଅଶୁଦ୍ଧକୁ ଶୁଦ୍ଧ କରେ । ତେଣୁ ଏହି ପରିହାସ ଗୋଷ୍ଠୀର ବା ମାନବିକ ସାମୂହିକତାର । ବ୍ୟକ୍ତିଗତ ପରିହାସ ଅସୂୟାର ଉପହାସ ହୁଏ । କିନ୍ତୁ ହସ ଗୋଷ୍ଠୀ ବା ସାମାଜିକ ପରିହାସ ଭାବେ ଗ୍ରହଣ କରାଯାଏ ।

ଆଉ ଗୋଟିଏ ପ୍ରକାର ହସ ଅଛି, ଯାହା କେବଳ ଆଖିର ଚମକରେ ଜଣାପଡ଼େ । ଯେଉଁମାନେ ମନନଶୀଳ ବୁଦ୍ଧିମାନ ଦାର୍ଶନିକର ମାନସିକତା ରଖନ୍ତି ସେମାନେ ପ୍ରାୟ ହସନ୍ତିନାହିଁ । କୌଣସି ବୁଦ୍ଧିଦୀପ୍ତ କଥା ଶୁଣିଲେ ସେମାନଙ୍କର ମନ ହସେ । ଏହି ଶକ୍ତିକୁ Wit କହନ୍ତି । Wit is the laughter of the mind.. ମନରେ ହସ ଏହା ତୀବ୍ର ସମାଲୋଚନା ନହୋଇ କଥାର ଗୁଣବତ୍ତାକୁ ଗ୍ରହଣ କରି ଏକ ଆନନ୍ଦ ଭାବ ଦିଏ । ଉଦାହରଣ ଭାବେ ଗୋଟିଏ କଚେରିରେ ଜଣେ ଓକିଲ ଜଜ୍‌ଙ୍କୁ ପଚାରିଲେ- ଦୁଇଟି ବିବାହ କଲେ ସବୁଠାରୁ ବେଶି ଦଣ୍ଡ କ’ଣ ହେଇପାରେ? ଜଜ୍‌ଙ୍କ ଉତ୍ତର- ଦୁଇଟି ଶାଶୂ । ଏହି ଉତ୍ତର ଆଇନର ଊଦ୍ଧ୍ୱର୍ରେ ଏକ ବାସ୍ତବ ସାମାଜିକ ସ୍ଥିତିକୁ ଚମତ୍କାର ଭାବେ ବୁଝାଇଦିଏ । ଅର୍ଥାତ୍ ଜେଲଦଣ୍ଡ ଅପେକ୍ଷା ଶାଶୂମାନଙ୍କର ଅତ୍ୟାଚାର ବେଶି ବୋଧେ । ଆଉ ଗୋଟିଏ ବାକ୍ୟ ଶୁଣନ୍ତୁ- ଆଠଗଡ଼ ରାଜା ଓ ବ୍ୟଙ୍ଗକବି ମଧ୍ୟରେ ଏକ ସଂଳାପ: ରାଜା- ରହ, ମୁଁ ତୋଟାକୁ ଯାଇଆସୁଛି, କବି- ତାହେଲେ ମୁଁ ତୋ’ରାଣୀ ସାରି ଆସୁଛି । (ଏଥିରେ ୱିଟ୍ ଯୌନସଂକେତ ଦିଏ) ଆଉ ଏକ ଉଦାହରଣ ଦେଉଛି । ଚିକିଟି ରାଜା ଏକ ମିଛ କହିବା ପ୍ରତିଯୋଗିତା ସର୍ବଭାରତୀୟ ସ୍ତରରେ କରାଉଥିଲେ । ଥରେ ସେ ପ୍ରଥମ ପୁରସ୍କାର ପାଇଲେ ‘ମୁଁ କୌଣସି ନାରୀ କେବେ ମିଛ କହିବା ଶୁଣିନାହିଁ’ କହିଲେ । ଏଥିରେ ମଧ୍ୟ ସେଇ ମାନସିକ ଉତ୍ତାପ ରହିଛି । କିନ୍ତୁ ହାସ୍ୟରସ ଏକ ମାମୁଲି ହସବୋଧ ନୁହେଁ । ହାସ୍ୟ ମାଧ୍ୟମରେ ମଣିଷର ସାମାଜିକ ବ୍ୟକ୍ତିତ୍ୱର ବିକାଶ ହୁଏ ।

ଊନବିଂଶ ଶତାବ୍ଦୀର ଦାର୍ଶନିକ ହେନେରୀ ବର୍ଗସ୍ ହାସ୍ୟତତ୍ତ୍ୱରେ ଏହି ସିଦ୍ଧାନ୍ତ ଦିଅନ୍ତି । ହସ ବ୍ୟକ୍ତିର ଅଯୌକ୍ତିତାର ସଂଶୋଧନ କରେ । ସମାଜରେ ବ୍ୟକ୍ତିର ଭୂମିକା କିପରି ହେବା ଉଚିତ ତାର ମାର୍ଗ ଦେଖାଏ । ହସ, ପରିହାସ ସହିତ ଆମର ଉପହାସ ମଧ୍ୟ ରହିଛି । କିନ୍ତୁ ଉପହାସ କ୍ରୋଧ ଜନ୍ମାଏ । ବ୍ୟକ୍ତିକୁ ପ୍ରତିଶୋଧପ୍ରବଣ କରେ । ହାସ୍ୟରସ କେବଳ ମଧ୍ୟମବର୍ଗ ସୃଷ୍ଟି ହୋଇଥିବା ସମାଜରେ ବୋଧଗମ୍ୟ ହୁଏ । ଯଦି ଲୋକେ ଶିକ୍ଷିତ, ରୋଜଗାରକ୍ଷମ ନାହାଁନ୍ତି ତେବେ ହାସ୍ୟ, ଉପହାସ ଭାବେ ଗୃହୀତ ହୁଏ । ଅବଶ୍ୟ ଅନେକ ସମୟରେ ଉଚ୍ଚବର୍ଗରେ ମଧ୍ୟ ଜାଣିଶୁଣି ଅପମାନ ଦେବାପାଇଁ ଲୋକେ ଅନ୍ୟର ଦୁର୍ବଳତା ଦେଖି ତାତ୍ସଲ୍ୟର ହସ ହସନ୍ତି । ଦ୍ରୌପଦୀର ହସ ଏହାର ବଳିଷ୍ଠ ଉଦାହରଣ । ସ୍ୱଚ୍ଛ ସ୍ଫଟିକର ଚଟାଣକୁ ଦୁର୍ଯ୍ୟୋଧନ ପାଣି ଠାରୁ ଅଲଗା ଭାବେ ବାରି ନପାରି ପ୍ରାସାଦ ମଧ୍ୟରେ ଥିବା ପୁଷ୍କରିଣୀରେ ଗୋଡ଼ ଖସିଯାଏ । ଏହା ଦେଖି ଦ୍ରୌପଦୀ ତାତ୍ସଲ୍ୟର ହସ ହସେ ଏବଂ ଏହା ମହାଭାରତ ଯୁଦ୍ଧର ଏକ କାରଣ ହୋଇଯାଏ ।

ହସ ଆନନ୍ଦର ଏକ ପରିପ୍ରକାଶ । ହସ ଭିତରେ କୁଟିଳତା ମଧ୍ୟ ଥାଏ । ନାଟକରେ ଆମେ ଯେଉଁ ଲହର ତଥା ହସ ଶୁଣୁ ତାହା ଦୁଃଖର ପରିଭାଷା ମଧ୍ୟ ହୋଇପାରେ ସ୍ଥଳବିଶେଷରେ । କିନ୍ତୁ ସାଧାରଣତଃ ଅଟ୍ଟହାସ୍ୟ ଖଳନାୟକର ହସ । ପ୍ରତିଶୋଧ ନାୟକର ହସ । କିନ୍ତୁ ଦର୍ଶକ ଯଦି ଶିକ୍ଷିତ ଓ ସ୍ୱଚ୍ଛଳ ସେଠି ଏପରି ହସ ମୂଲ୍ୟହୀନ । ଯେଉଁ ଅଭିନେତା ଏପରି ହସେ ତାର ମାନସିକ ମୂଲ୍ୟ କମ୍ ଅଙ୍କାଯାଏ । ତେଣୁ ଆଜିର ନାଟକରେ ଅଟ୍ଟହାସ ପ୍ରାୟ ନାହିଁ । ଆଜିର ମଣିଷ ଆଖିରେ ହସେ ଯାହା ମନର ପରିଭାଷା ପରି ଆନନ୍ଦର ଇଙ୍ଗିତ ଦିଏ । କୁହାଯାଏ ଯେ, ଯେଉଁମାନେ ହସନ୍ତି ସେମାନେ ଦୀର୍ଘାୟୁ ହୁଅନ୍ତି, କାରଣ ହସିଲେ ୩୦୦ ମାଂସପେଶୀ କାମ କରେ । ଅର୍ଥାତ୍ ରକ୍ତ ସଂଚାଳନ ହୁଏ, ଯଦ୍ଦ୍ୱାରା ମୁଖ ମଣିଷ ମନରେ ସକାରାତ୍ମକ ଭାବନା ଆଣେ । ଯେଉଁମାନେ ସବୁବେଳେ ଗମ୍ଭୀର ଚିନ୍ତାମଗ୍ନ ଏବଂ ନକାରାତ୍ମକ ଭାବ ପ୍ରକାଶ କରନ୍ତି ସେମାନଙ୍କ ଆୟୁ କମିଯାଏ ।

ହସ ଏକ ସଞ୍ଚାଳିକା ଶକ୍ତି । ଏହା ମଣିଷକୁ ଆଶାବାଦୀ କରେ । ସେପରି ଲୋକଙ୍କୁ ଅନ୍ୟମାନେ ଭଲପାଆନ୍ତି, କାରଣ ସେ ଆଶା ଆନନ୍ଦ ସଞ୍ଚାର କରେ । ଆଜିକାଲି ପାର୍ଟିମାନଙ୍କରେ ଯିଏ ଉଦ୍‌ଘୋଷକ, ସଞ୍ଚାଳକ ହୁଏ ସେ ସଦା ହସହସ ଓ ତା’ର କଥା ରସାଳ ତଥା ବୌଦ୍ଧିକତାସଂପନ୍ନ ଓ ହସଭରା । ଅର୍ଥାତ୍ ସେ ପୁରୁଷ/ ସ୍ତ୍ରୀ ଜଣକ ରସିକ ବା ରସିକା । ଜୀବନଟା ଯେ ଏକ ଚଳଚଞ୍ଚଳ ଆନନ୍ଦଭରା ପ୍ରବହମାନ ସ୍ରୋତ, ସେଇ ଧାରଣା ସେ ଜନ୍ମାଏ । ତେଣୁ ଆମର ପାର୍ଟିମାନଙ୍କରେ ସେପରି ସଞ୍ଚାଳକ ରହନ୍ତି । ଅସ୍କାର, ଫିଲ୍ମ ଫେୟାର ପୁରସ୍କାର ବିତରଣୀ ସଭାରେ ଯେଉଁ କଳାକାରମାନେ ସଞ୍ଚାଳକ ଭୂମିକାରେ ରହନ୍ତି ସେମାନେ ହସ ସୃଷ୍ଟି କରନ୍ତି ଭାଷା ଓ ଭାବର ଚମତ୍କାରିତା ଦେଇ । ଗାଲିବ୍  ଗଜଲ ପରି ଚମତ୍କାରିତା ନଥିଲେ ହାସ୍ୟରସ କିମ୍ବା କେଉଁ ରସ ସୃଷ୍ଟି ହୁଏନାହିଁ ।

ଏ ବିଶ୍ୱ ଆନନ୍ଦମୟ । ପ୍ରକୃତି ଓ ଜୀବନ ସୁନ୍ଦର ସୃଷ୍ଟିରେ ମଣିଷ ଏକ ଭାଗ୍ୟବାନ ପ୍ରାଣୀ । ବଞ୍ଚିବା ବିଶ୍ୱ ନାଟକର ଅନୁଷ୍ଠାନ । ଏହି ଅନୁଷ୍ଠାନକୁ ମଧୁମୟ କରିବା ଲାଗି ହସ ଏକାନ୍ତ ଆବଶ୍ୟକ । ଜୀବନରେ କ୍ଷଣିକତାକୁ ଅନନ୍ତ ଅକ୍ଷୟ କରିବା ପାଇଁ ହସିବା ଆବଶ୍ୟକ । ‘ବିଶ୍ୱ ଦେଖ ମଧୁମୟ ରେ ଜୀବନ’ ଗାଇବା ଲାଗି ହସିବା ଦରକାର । ଦୁଇ ପଲକର ଜୀବନ କାଟିବାରେ ସମଗ୍ର ଶତାବ୍ଦୀର ଅନୁଭବ ଲୋଡ଼ିବାକୁ ହୁଏ ଶେଷ ହସରେ।