ନୂଆଦିଲ୍ଲୀ ୨୦/୦୧: ଭାରତର ଜାଭେଲିନ୍ ତାରକା ନୀରଜ ଚୋପ୍ରାଙ୍କ ବିବାହ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସେ ସୋନିପତ ବାସିନ୍ଦା ହିମାନୀ ମୋରଙ୍କୁ ବିବାହ କରିଛି। ହିମାନୀ ଜଣେ ଟେନିସ୍ ଖେଳାଳି । ସେ ଆଇଟା ମାନ୍ୟତା ତାଲିକାରେ ଏକଦା ଶ୍ରେଷ୍ଠ୩୦ଜଣଙ୍କ ମଧ୍ୟରେ ସାମିଲ ରହିଥିଲେ । ୨୦୨୮ରେ ଆଇଟା ମାନ୍ୟତା ତାଲିକାରେ ସେ ସିଙ୍ଗଲ୍ସରେ ୪୨ତମ ଏବଂ ଡବଲ୍ସରେ ୨୭ତମ ସ୍ଥାନରେ ରହିଥିଲେ । ହିମାନୀ ଏବେ ଆମେରିକାର ନ୍ୟୁ ହାମ୍ପସାୟର ସ୍ଥିତ ଫ୍ରାଙ୍କଲିନ୍ ପିୟର୍ସ ୟୁନିଭରସିଟିରେ ଡିଗ୍ରୀ କରୁଛନ୍ତି । ଏହା ବ୍ୟତୀତ ସେ ମାସାଚୁସେଟ୍ସ ସ୍ଥିତ ଆମହର୍ଷ୍ଟ କଲେଜରେ ସହକାରୀ ମହିଳା ଟେନିସ୍ କୋଚ୍ ଭାବେ କାର୍ଯ୍ୟ କରୁଛନ୍ତି ।
ତେବେ ବିବାହ ପରେ ଦମ୍ପତି ହନିମୁନ୍ ପାଇଁ ଆମେରିକା ଯାଇଛନ୍ତି। ସେଠାରୁ ଫେରିବା ପରେ ଦୁହିଁଙ୍କର ଭବ୍ୟ ରିସେପ୍ସନ୍ ପାର୍ଟି ହେବ। ହେଲେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, ନୀରଜ ନିଜେ ହରିୟାଣାର ପାନିପତର ବାସିନ୍ଦା। ତାଙ୍କ ପତ୍ନୀ ହିମାନୀ ମଧ୍ୟ ହରିୟାଣାର। ତଥାପି, ଦୁହେଁ ପାହାଡର ରାଣୀ ଶିମଲାରେ ଯାଇ କାହିଁକି ବିବାହ କରିଛନ୍ତି।
ନୀରଜ ଇନଷ୍ଟାଗ୍ରାମରେ ତାଙ୍କ ବିବାହ ଖବର ସେୟାର କରିଛନ୍ତି। ଏହି ବିବାହକୁ ତାଙ୍କ ପରିବାର ଲୋକେ ଅତ୍ୟନ୍ତ ଗୋପନୀୟ ରଖିଥିଲେ। ଡେଷ୍ଟିନେସନ୍ ୱେଡିଂ ପାଇଁ ହିମାଚଳ ପ୍ରଦେଶର ଶିମଲାକୁ ଚୟନ କରାଯାଇଥିଲା। ଏହି ବ୍ୟକ୍ତିଗତ ସମାରୋହରେ ଉଭୟ ପରିବାରର ଘନିଷ୍ଠ ବ୍ୟକ୍ତିଙ୍କ ସମେତ ଖୁବ୍ କମ୍ ଲୋକ ଅଂଶଗ୍ରହଣ କରିଥିଲେ। ତେବେ ଉଭୟଙ୍କ ପରିବାର ଏହି ବିବାହକୁ ଅତି ଗୁପ୍ତ ରଖିବାକୁ ଚାହୁଁଥିଲେ ଯେଉଁଥିପାଇଁ ସେମାନେ ଦୂର ସ୍ଥାନ ବାଛିଥିଲେ ଏବଂ ଏଥିରେ କମ୍ ଲୋକ ଯୋଗଦେଇଥିଲେ। ହିମାଚଳରେ ଏହି ବିବାହ କାର୍ଯ୍ୟକ୍ରମ ୧୪, ୧୫ ଏବଂ ୧୬ ଜାନୁଆରୀରେ ତିନି ଦିନ ଧରି ଚାଲିଥିଲା, କିନ୍ତୁ ଏହି ସମୟ ମଧ୍ୟରେ କୌଣସି ଖବର ସାମ୍ନାକୁ ଆସିନଥିଲା । ବିବାହ ପରେ ନୀରଜ ନିଜେ ସୋସିଆଲ ମିଡିଆ ହ୍ୟାଣ୍ଡେଲ ପ୍ରଶଂସକମାନଙ୍କୁ ଏହି ସୂଚନା ଦେଇଛନ୍ତି।
ଆମେରିକାରୁ ଫେରିବା ପରେ ତାଙ୍କର ରିସେପ୍ସନ୍ ତାରିଖ ସ୍ଥିର କରାଯିବ। ପରିବାର ନୂଆଦିଲ୍ଲୀରେ ଏକ ବିଶାଳ ରିସେପ୍ସନ୍ ପାଇଁ ଯୋଜନା କରୁଛନ୍ତି। ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟତୀତ ଦେଶର ବିଭିନ୍ନ କ୍ଷେତ୍ରର ପ୍ରସିଦ୍ଧ ବ୍ୟକ୍ତିବିଶେଷଙ୍କୁ ନିମନ୍ତ୍ରଣ ପଠାଯିବ।