ଭାରତରେ କେବେବି ଖରାର ଅଭାବ ହୋଇ ନଥାଏ, ତଥାପି ପ୍ରାୟ ଭାରତୀୟଙ୍କଠାରେ ଭିଟାମିନ୍-ଡି’ର ଅଭାବ ଦେଖାଯାଏ କାହିଁକି? ଅବଶ୍ୟ ତ୍ୱଚାରେ ମେଲାନିନ୍ ଏବଂ ପରିବର୍ତ୍ତିତ ଜୀବନଶୈଳୀ ଏହାର ମୁଖ୍ୟ କାରଣ । ସେହିପରି ପ୍ରଦୂଷଣ, ଶାକାହାରୀ ଭୋଜନ ନ ଖାଇବା ମଧ୍ୟ ଅନ୍ୟ ଏକ ଫ୍ୟାକ୍ଟର ହୋଇପାରେ । ଭାରତରେ ବହୁଦିନ ଯାଏ ଖରା ରହିଥାଏ । ତଥାପି ଅଧିକାଂଶ ଭାରତୀୟଙ୍କଠାରେ ଭିଟାମିନ୍-ଡି’ର ଅଭାବ ଦେଖିବାକୁ ମିଳୁଛି ।

କାରଣ

ମେଲାନିନ୍: ଭାରତୀୟଙ୍କ ତ୍ୱଚାର ରଙ୍ଗ ପ୍ରାକୃତିକ ଭାବେ ମଧ୍ୟମ ଧରଣର ଅବା ଡସ୍କି ହୋଇଥାଏ । ଆମ ତ୍ୱଚାରେ ଅ ଧିକ ମାତ୍ରାର ମେଲାନିନ୍ ନାମକ ପିଗ୍ମେଣ୍ଟ ରହିଥାଏ । ମେଲାନିନ୍ ସୂର୍ଯ୍ୟକିରଣର ଅତିବାଇଗଣୀ ରଶ୍ମୀ ବିରୋଧରେ ଏକ ସୁରକ୍ଷା କବଚ ଭାବେ କାମ କରିଥାଏ, ଯାହା ତ୍ୱଚାକୁ ଜ୍ୱଳନରୁ ରକ୍ଷା କରିଥାଏ । କେବଳ ସେତିକି ନୁହେଁ, ବରଂ ଭିଟାମିନ୍-ଡି’ର ନିର୍ମାଣ ପ୍ରକ୍ରିୟାକୁ ମଧ୍ୟ ଧୀମା କରିଦେଇଥାଏ । ଗୋରା ତ୍ୱଚା ଅପେକ୍ଷା ମଧ୍ୟମ ଧରଣର ତ୍ୱଚାରେ ଭିଟାମିନ୍-ଡି' ତିଆରି ହେବା ପାଇଁ ଅଧିକ ଖରାର ଆବଶ୍ୟକ ହୋଇଥାଏ ।

ପରିବର୍ତ୍ତିତ ଜୀବନଶୈଳୀ

ଆଜିକାଲି ପ୍ରାୟ ଲୋକ ଘର ଭିତରେ ଅଧିକ ସମୟ ବିତାଇବାକୁ ପସନ୍ଦ କରୁଛନ୍ତି । ସକାଳ ୯ରୁ ସଂଧ୍ୟା ୬ ଯାଏ ଡେସ୍କ ଚାକିରି କିମ୍ବା ବ୍ୟବସାୟ ଅନୁଷ୍ଠାନରେ, ବନ୍ଦ ଅଫିସ୍ ଓ ଏସି ଘର ଭିତରେ ରହିବା ଦ୍ୱାରା ଆମେ ସୂର୍ଯ୍ୟଙ୍କଠାରୁ ଦୂରତା ବଢାଇ ଚାଲିଛୁ । ସହରୀ ଜୀବନରେ ବଡ଼ ବଡ଼ କୋଠାଗୁଡିକ ଯୋଗୁ ଲୋକମାନେ ଠିକ୍ ଭାବେ ସୂର୍ଯ୍ୟକିରଣ ପାଇନଥାନ୍ତି ।

ପ୍ରଦୂଷଣ

ସହରମାନଙ୍କରେ ବାୟୁ ପ୍ରଦୂଷଣ ଅନ୍ୟ ଏକ ବଡ଼ କାରଣ । ପବନରେ ରହିଥିବା ଧୂଳିକଣ ଓ ଧୂଆଁ ସୂର୍ଯ୍ୟଙ୍କ ଅତିବାଇଗଣୀ ରଶ୍ମୀ ଲୋକଙ୍କ ପାଖରେ ପହଞ୍ଚିପାରୁ ନାହିଁ । ଫଳରେ ଭିଟାମିନ୍-ଡି' ତିଆରି ପ୍ରକ୍ରିୟା ଅଟକି ଯାଉଛି ।

ଖାଦ୍ୟପାନୀୟରେ ପରିବର୍ତ୍ତନ

ଖାଦ୍ୟପାନୀୟରେ ପ୍ରାକୃତିକ ଭାବେ ଭିଟାମିନ୍-ଡି’ର ସ୍ରୋତ ଖୁବ୍ ସୀମିତ । ଯେପରିକି ଫ୍ୟାଟି ଫିସ୍, ଅଣ୍ଡା ଏବଂ ଡାଏରୀ ଉତ୍ପାଦ ଆଦି । ଭାରତରେ ପ୍ରାୟ ଲୋକ ଶାକାହାରୀ ହୋଇଥାନ୍ତି । ଫଳରେ ସେମାନଙ୍କଠାରେ ଭିଟାମିନ୍-ଡି' ଅଭାବକୁ ପୂରଣ କରିବା ପ୍ରାୟତଃ ଅସମ୍ଭବ ।