ନୂଆଦିଲ୍ଲୀ,୨୫।୩:  ଆମେରିକା ଓ ଇରାନ ଭିତରେ ଚାଲିଥିବା ସଂଘର୍ଷ ଶେଷ ହେବା ନେଇ ବ୍ୟାକ୍ ଚ୍ୟାନେଲରେ ଆଲୋଚନା ଚାଲିଛି। ପାକିସ୍ତାନ ନିଜକୁ ମୁଖ୍ୟ ମଧ୍ୟସ୍ଥତା ରୂପରେ ଆଗକୁ ଆଣିଛି। ଇସଲାମାବାଦକୁ ଆଲୋଚନାର ସ୍ଥାନ କରିବା ପାଇଁ ମଧ୍ୟ ଯୋଜନା ଚାଲିଛି। ପାକିସ୍ତାନ ପାଖରେ ଇରାନ ସହ ମଜବୁତ ସମ୍ପର୍କ ରହିଛି। ସେଭଳି ସେନା ମୁଖ୍ୟ ଅସୀମ ମୁନୀରଙ୍କ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କ ସହ ଭଲ ସମ୍ପର୍କ ରହିଛି। କୁହାଯାଉଛି ଯେ,ପାକିସ୍ତାନ ବର୍ତ୍ତମାନ ଦୁଇପକ୍ଷ ସହଙ୍କ ସହିତ ମଧ୍ୟସ୍ଥତା କାୟମ ରଖିବାର ଚେଷ୍ଟା କରୁଛି। ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ସ୍ପଷ୍ଟ କରଛନ୍ତି ଯେ, ଇସଲାମାବାଦକୁ ହୋଷ୍ଟ କରିବାର ଯୋଜନା କରିଥିଲେ। ସେଭଳି ତୁର୍କୀ ଓ ଇଜିପ୍ଟ ମଧ୍ୟ ସହ-ମଧ୍ୟସ୍ଥତା କରିଛନ୍ତି।

ଏହା ମୁଖ୍ୟ ରୂପରେ ଆମେରିକ-ଇରାନ ଦ୍ବିପାକ୍ଷିକ ବାର୍ତ୍ତା, ଯେଉଁଥିରେ ଇସ୍ରାଏଲ ପ୍ରତ୍ୟକ୍ଷ ରୂପରେ ସାମିଲ ନାହିଁ। ତେବେ ଇରାନର ଆଭିମୁଖ୍ୟ ମଧ୍ୟ କଠୋରରହିଛି। ତେବେ ଇସ୍ରାଏଲକୁ ନେଇ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହେଇନି। କ’ଣ ଇସ୍ରାଏଲ ଏହି ଆଲୋଚନାରେ ସ୍ପଷ୍ଟ ଭାବରେ ସାମିଲ ଅଛି କି ନାହିଁ। ଇରାନ ଏମିତି ବି ଇସ୍ରାଏଲ ଉପରେ ଟିକେ ବି ବିଶ୍ବାସ କରେନି। ସେଭଳି ପକିସ୍ତାନର ମଧ୍ୟ ଇସ୍ରାଏଲ ସହିତ କୌଣସି ପ୍ରକାର ସମ୍ପର୍କ ନାହିଁ।

୨୮ ଫେବୃଆରୀରେ ଆମେରିକା-ଇସ୍ରାଏଲ ପକ୍ଷରୁ ଇରାନ ସହିତ ଲାଗିଥିବା ବିବାଦ ପୁରା ଦୁନିଆକୁ ସ୍ତବ୍ଧ କରିଛି। ଯୁଦ୍ଧର ୨୪ ଦିନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ଇରାନର ବିଦ୍ୟୁତ କେନ୍ଦ୍ର ଉପରେ ଆକ୍ରମଣ କରିବାର ୫ ଦିନକୁ ଘୁଞ୍ଚାଇ ଦେଇଥିଲେ। ସେ କହିଥିଲେ, ଆମର ଇରାନ ସହ ଆଲୋଚନା ଚାଲିଛି। ଏହା ମଧ୍ୟ କୁହାଯାଉଛି ଯେ,ଏବେ ଏହି ଆଲୋଚନା ସିଧା ସଳଖ ଭାବରେ ମୁହାଁମୁହିଁ ପାକିସ୍ତାନରେ ହେବ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍ ୨୪ ମାର୍ଚ୍ଚରେ ଏକ୍ସରେ ପୋଷ୍ଟ କରିଛନ୍ତି, ଆମେରିକା ଓ ଇରାନର ସହମତିରେ ପାକିସ୍ତାନ ସାର୍ଥକ ଓ ନିର୍ଣ୍ଣାୟକ ଆଲୋଚନା କରିବାକୁ ପ୍ରସ୍ତୁତ ରହିଛି। ଟ୍ରମ୍ପ ନିଜେ ଏହି ପୋଷ୍ଟକୁ ରିପୋଷ୍ଟ କରିଛନ୍ତି। ସୁତ୍ର ଅନୁସାରେ, ଇସଲାମାବାଦରେ ଚଳିତ ସପ୍ତାହ ଆମେରିକା ପ୍ରତିନିଧି ମଣ୍ଡଳୀ ଓ ଇରାନ ଅଫିସରଙ୍କ ବୈଠକ ହେବାର ସମ୍ଭାବନା ରହିଛି। ଆମେରିକା ପକ୍ଷରୁ ଉପ-ରାଷ୍ଟ୍ରପତି ଜେଡି ଭାନ୍ସ,ଷ୍ଟିଭ୍ ଭିଟକୋଫ ଓ ଜାରେଡ୍ କୁଶନର ସାମିଲ ହୋଇପାରନ୍ତି।

କାହିଁକି ପାକିସ୍ତାନ ନିଜେ କରୁଛି ଏହି କାମ?

ପାକିସ୍ତାନର ଏହି ପଦକ୍ଷେପ ରଣନୈତିକ, ଭୌଗୋଳିକ ଏବଂ କୂଟନୈତିକ ବାଧ୍ୟବାଧକତାର ପରିଣାମ। ପାକିସ୍ତାନ ଇରାନ ଏବଂ ଆମେରିକା ଉଭୟ ସହିତ ଭଲ ସମ୍ପର୍କ ବଜାୟ ରଖିଛି। ଯଦିଓ ଅତୀତରେ ଇରାନ ସହିତ ପାକିସ୍ତାନର ସମ୍ପର୍କ ଉତ୍ଥାନ-ପତନ ହୋଇଛି, ଗତ କିଛି ବର୍ଷ ମଧ୍ୟରେ ଉଭୟ ଦେଶ ସହିତ ସମ୍ପର୍କରେ ବୁଝାମଣାର ଭାବନା ଦେଖାଦେଇଛି। ଇରାନ ଉପରେ ଆକ୍ରମଣକୁ ନିନ୍ଦା କରିବାରେ ପାକିସ୍ତାନ ପ୍ରଥମ ଦେଶ ମଧ୍ୟ ଥିଲା। ଟ୍ରମ୍ପ ପ୍ରଶାସନ ଅଧୀନରେ ପାକିସ୍ତାନ ମଧ୍ୟ ଆମେରିକା ସହିତ ତା’ର ସମ୍ପର୍କ ଉନ୍ନତ କରିଛି। ସାମଗ୍ରିକ ଭାବରେ, ଏହା ଏହି ଦେଶଗୁଡ଼ିକ ସହିତ ପ୍ରଭାବଶାଳୀ ସମ୍ପର୍କ ବଜାୟ ରଖିଛି।

​​​​​​​

ଏହାଦ୍ବାରା ପାକିସ୍ତାନର କ’ଣ ଲାଭ ?

ଏହା ଭବିଷ୍ୟତରେ ପାକିସ୍ତାନକୁ ବହୁତ ଲାଭ ଦେବ। ଆମେରିକା ପ୍ରତି ଏହାର ବିଶ୍ୱାସ ବୃଦ୍ଧି ପାଇବ, ଯାହା ଫଳରେ ଆମେରିକା ସହିତ ଏହାର ନିକଟତରତାରୁ ଭବିଷ୍ୟତରେ ଲାଭ ମିଳିବ। ଏହା ବ୍ୟତୀତ, ଏହା ପାକିସ୍ତାନ ପାଇଁ ଅନ୍ତର୍ଜାତୀୟ ସ୍ତରରେ ନିଜର ବିଶ୍ୱସନୀୟତା ପ୍ରତିଷ୍ଠା କରିବା ଏବଂ ଏକ ଅସ୍ଥିର ଏବଂ ବିଶୃଙ୍ଖଳିତ ଦେଶ ହେବାର କଳଙ୍କକୁ ଦୂର କରିବାର ଏକ ସୁଯୋଗ ହେବ। ଏହା ଆତଙ୍କବାଦୀଙ୍କ ପାଇଁ ଏକ ସୁରକ୍ଷିତ ଆଶ୍ରୟସ୍ଥଳ ହେବାର କଳଙ୍କକୁ ମଧ୍ୟ ଦୂର କରିପାରିବ। ଆମେରିକାର ସମର୍ଥନ କେବଳ ଏହାର ଲାଭ କରିବ। ପୂର୍ବରୁ ଆମେରିକା ଏବଂ ଚୀନ୍ ମଧ୍ୟରେ ସମ୍ପର୍କ ମଧ୍ୟସ୍ଥତା କରିବାରେ ସମାନ ଭୂମିକା ଗ୍ରହଣ କରି, ଏହା ଦଶନ୍ଧି ଧରି ଲାଭବାନ ହୋଇଛି।

ଭାରତ ପାଇଁ ରହିଛି କି ବିପଦ ?

ଏହା ନିହାତି ପକ୍ଷେ ଭାରତ ପାଇଁ ଝଟକା ହେବ। କାରଣ ବହୁ ବର୍ଷ ହେବ ‘ଆତଙ୍କବାଦ କେନ୍ଦ୍ର’ର ଛବି ନେଇ ରହୁଥିବାପାକିସ୍ତାନ ଏବେ ‘ପିସ୍ ମେକର’ହେବାକୁ ଯାଉଛି। ମିଡିଲ ଇଷ୍ଟ କାଉନସିଲ୍ ଏକ୍ସପର୍ଟଙ୍କ କମରାନ ବୋଖାରୀ କହିଛନ୍ତି ଦଶକ ପରେ ପାକିସ୍ତାନ ବିଶ୍ବ ନଜରରେ ଚମକୁଛି। ଭାରତ ତୁଳନାରେ ନିଜର ଗ୍ଲୋବାଲ ଷ୍ଟାଣ୍ଡିଂ ପାକିସ୍ତାନ ମଜବୁତ କରିପାରେ।

ମିଳିବ ଆର୍ଥିକ ଲାଭ 

ଯୁଦ୍ଧ ସରିବା ପରେ ଇରାନସହ ଟ୍ରେଡ୍ ଓ କନେକ୍ଟିଭିଟି ବଢିପାରେ । ଆମେରିକାର କଟକଣା ପରେ ବି ପାକିସ୍ତାନ-ଇରାନ ଗ୍ୟାସ ପାଇପ ଲାଇନ୍ ଓ ବର୍ଡର ଟ୍ରେଡକୁ ସୁଯୋଗ ମିଳିବ। କେବଳ ସେତିକି ନୁହେଁ ଆମେରିକାଠାରୁ ମଧ୍ୟ ଆର୍ଥିକ ସହାୟତା ପାଇବ। ଗତ ବର୍ଷ ଆମେରିକା ସହାୟତାରେ ଅନ୍ତର୍ଜାତୀୟ ମୁଦ୍ରା କୋଷରୁ ଋଣ ମଞ୍ଜୁରୀ ମିଳିଥିଲା। ଆଗକୁ ପାକିସ୍ତାନ ସହ ଆମେରିକା ମିନେରାଲ ସେକ୍ଟରରେ ନିବେଶ ଓ କ୍ରିପ୍ଟୋ ସହଯୋଗର ପ୍ରତିଶୃତି ଦେଇଛି।

ଆହୁରି ପଢନ୍ତୁ : ଇରାନ ବିରୁଦ୍ଧରେ ଟ୍ରମ୍ପଙ୍କ ମାଷ୍ଟରପ୍ଲାନ୍: ୧୫ଟି କଠୋର ସର୍ତ୍ତ ସହ ଲାଗୁ ହେବ ‘ଲିବିୟା ମଡେଲ’