ନୂଆଦିଲ୍ଲୀ,୦୧/୦୩; ପଶ୍ଚିମ ଏସିଆ ଥରହର । ଆମେରିକା ଓ ଇସ୍ରାଏଲର ଜୋରଦାର ମିଳିତ ଏୟାରଷ୍ଟ୍ରାଇକରେ ଡରିଯାଇ ନାହିଁ ଇରାନ । ସେତେ ଶକ୍ତିଶାଳୀ ନ ହେଲେ ବି ଶକ୍ତି ଜୁଟାଇ କରିଛି ଜବାବୀ ପ୍ରହାର । ଇସ୍ରାଏଲ ଭିତରେ ପଶି ମାଡ଼ କରିଛି ମିସାଇଲ । ବାହାରିନ, କୁଏତ ଏବଂ ୟୁଏଇ ଭଳି ଦେଶରେ ଥିବା ଆମେରିକୀୟ ସାମରିକ ଘାଟିଗୁଡ଼ିକ ଉପରେ ବି କରିଛି ଭୟଙ୍କର ଆକ୍ରମଣ । ଏଭଳି ଘମାଘୋଟ ଯୁଦ୍ଧରେ ଥରିଉଠିଛି ମଧ୍ୟପ୍ରାଚ୍ୟ । ସବୁଠି ଆତଙ୍କ ଖେଳିଯାଇଛି । ଏୟାରଷ୍ଟ୍ରାଇକ୍ରେ ଇରାନର ଏକ ବାଳିକା ବିଦ୍ୟାଳୟ ଧ୍ୱଂସ ହୋଇଯିବାରୁ ଅନେକ ନିରୀହ ଜୀବନ ଯାଇଛି । ଏହି ଖବର ବିଶ୍ୱବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି । ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଏହି ସଙ୍ଘର୍ଷର ପ୍ରଭାବ ସମଗ୍ର ବିଶ୍ୱ ଉପରେ ପଡ଼ିବାଟା ସାର ହୋଇଛି । ପ୍ରତିରକ୍ଷା ବିଶେଷଜ୍ଞଙ୍କ ଅନୁସାରେ, ମଧ୍ୟପ୍ରାଚ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ୭ରୁ ୧୦ ଦିନ ପର୍ଯ୍ୟନ୍ତ ଚାଲିପାରେ । କିନ୍ତୁ ଇରାନ ଯଦି ଚୁପ୍ ନ ରହି ନିଜ ଆଣବିକ ମିଶନକୁ ଜାରି ରଖେ ଯୁଦ୍ଧ ଆହୁରି ଲମ୍ବିପାରେ । ତେବେ କାହିଁକି ଆମେରିକା ଟାର୍ଗେଟରେ ଥିଲେ ଇରାନ ସୁପ୍ରିମ ଲିଡର ଖାମେନେଇ ? ତାଙ୍କୁ ହତ୍ୟା କରିବା ପଛରେ ଆମେରିକାର କଣ ଥିଲା ଉଦ୍ଦେଶ୍ୟ । ଖାମେନେଇଙ୍କ କେଉଁ କାମ ଆମେରିକାର ମୁଣ୍ଡ ବିନ୍ଧାର କାରଣ ଥିଲା ।
କାହିଁକି ଟାର୍ଗେଟରେ ଥିଲେ ଖାମେନେଇ- ୮୬ ବର୍ଷୀୟ ଆୟାତୋଲ୍ଲା ଅଲ୍ଲୀ ଖାମେନେଇ ହେଉଛନ୍ତି ଜଣେ ଇସଲାମିକ ଧର୍ମଗୁରୁ । ଆୟାତୋଲ୍ଲା ରହୋଲ୍ଲାହ ଖୁମେନିଙ୍କ ନିଧନ ପରଠାରୁ ସେ ୧୯୮୯ ମସିହାରୁ ଇରାନ୍ର ସୁପ୍ରିମ ଲିଡର(ସର୍ବୋଚ୍ଚ ନେତା) ପଦରେ ଥିଲେ । ଖାମେନେଇ ଦେଶର ଆଧ୍ୟାତ୍ମିକ ନେତା ହୋଇଥିବାବେଳେ ତାଙ୍କ ନିକଟରେ ସରକାରଙ୍କ ସମସ୍ତ ଶାଖା, ସେନା ଏବଂ ନ୍ୟାୟପାଳିକାର ସର୍ବୋଚ୍ଚ ଶକ୍ତି ରହିଥିଲା । ତାଙ୍କର ଅସୀମିତ ଶକ୍ତିର ମୁଖ୍ୟ ଆଧାର ହେଉଛି ଇରାନ୍ର ଶକ୍ତିଶାଳୀ ଇସ୍ଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆର୍ଜିସି) ଏବଂ ବସିଜ୍ ଅର୍ଦ୍ଧସୈନିକ ବାହିନୀ । ସେମାନେ ଖାମେନେଇଙ୍କ ପ୍ରତି ସମର୍ପିତ ହୋଇଥିବାବେଳେ ସିଧାସଳଖ ତାଙ୍କ ନିର୍ଦ୍ଦେଶରେ କାମ କରୁଥିଲେ । ନିଜର ଶାସନକାଳ ମଧ୍ୟରେ ଖାମେନେଇ ସବୁବେଳେ ପାଶ୍ଚାତ୍ୟ ଦେଶ ସହ ଶତ୍ରୁତାପୂର୍ଣ୍ଣ ସମ୍ବନ୍ଧ ରଖିଥିଲେ ।
ଏହା ବି ପଢନ୍ତୁ...ମହାଯୁଦ୍ଧ; ଦୁବାଇରେ ଫସିଛନ୍ତି ଷ୍ଟାର ପିଭି ସିନ୍ଧୁଙ୍କ ସମେତ ଅଭିନେତ୍ରୀ ସୋନଲ
ଆମେରିକା ଏବଂ ଇସ୍ରାଏଲକୁ ଯଥାକ୍ରମେ ସେ ଦେଶର ଏକନମ୍ବର ଓ ଦୁଇନମ୍ବର ଶତ୍ରୁ ବୋଲି ମାନୁଥିଲେ । ଆମେରିକା-ଇରାନ୍ ମଧ୍ୟରେ ଏହି ଶତ୍ରୁତାର ମୁଖ୍ୟ କାରଣ ହେଲା ଇରାନ୍ର ପରମାଣୁ କାର୍ଯ୍ୟକ୍ରମ । ଖାମେନେଇ ତାଙ୍କର ପରମାଣୁ କାର୍ଯ୍ୟକ୍ରମ ନିଜ ନାଗରିକଙ୍କ ହିତ ରକ୍ଷା ଲାଗି ଉଦ୍ଦିଷ୍ଟ, ସେମାନେ କେବେହେଲେ ପରମାଣୁ ଅସ୍ତ୍ର ବନାଇବେ ନାହିଁ ବୋଲି କହିଆସୁଥିଲେ । କିନ୍ତୁ ଆମେରିକା ଏବଂ ଇସ୍ରାଏଲ୍ ଇରାନ ଗୋପନୀୟ ଭାବେ ପରମାଣୁ ବୋମା ବିକଶିତ କରୁଥିବା ଅଭିଯୋଗ କରିଆସୁଛନ୍ତି । ଅବଶ୍ୟ ଆମେରିକାର ଗୁଇନ୍ଦା ବିଭାଗ କିମ୍ବା ଜାତିସଂଘର ପରମାଣୁ ପର୍ଯ୍ୟବେକ୍ଷକ ଇରାନ୍ ପରମାଣୁ ଅସ୍ତ୍ର ପ୍ରସ୍ତୁତ କରୁଥିବାର କୌଣସି ପ୍ରମାଣ ଦେଇପାରିନାହାନ୍ତି । ସେପଟେ ବିଶ୍ୱର ଯେଉଁ ଦେଶଗୁଡି଼କ ନିକଟରେ ପରମାଣୁ ଅସ୍ତ୍ର ନାହିଁ ସେମାନଙ୍କ ମଧ୍ୟରୁ ଇରାନ୍ ହେଉଛି ଏକମାତ୍ର ଦେଶ ଯାହାକି ୟୁରାନିୟମକୁ ଅସ୍ତ୍ରଶସ୍ତ୍ର ବନାଇବା ଭଳି ଏନ୍ରିଚ୍ କରିପାରିଛି । ଏହା ହିଁ ଆମେରିକା ଲାଗି ମୁଣ୍ଡବ୍ୟଥାର ପ୍ରମୁଖ କାରଣ ।