ମାଲକାନଗିରି, ୨୫/୧୧ : ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି । ସ୍ୱାମୀ ଉପରେ ରାଗି ପତ୍ନୀ ନିଜ ଦେହରେ କିରୋସିନ ଢ଼ାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରୁଥିବାବେଳେ ପତ୍ନୀଙ୍କୁ ଉଦ୍ଧାର କରିବାକୁ ଯାଇ ସ୍ୱାମୀ ମଧ୍ୟ ପୋଡ଼ି ଆହତ ହୋଇଛନ୍ତି । ଏଭଳି ଏକ ଦୁଖଃଦ ଘଟଣା ଆଜି ଘଟିଛି ମାଲକାନଗିରି ଜିଲ୍ଲା ସଦର ମହକୁମା ରିକ୍ଲା ମେଶନ କଲୋନି ତାମିଲ କ୍ୟାମ୍ପ ଛକ ନିକଟରେ ।

ପ୍ରକାଶ ଯେ, ନରେନ୍ଦ୍ର କଚିମ ନାମକ ଯୁବକ ଗତ ବର୍ଷକ ତଳେ ମାଧୁରୀ କଚିମକୁ ବିବାହ କରିଥିଲେ । କୌଣସି କାରଣକୁ ନେଇ ଦମ୍ପତିଙ୍କ ମଧ୍ୟରେ ପ୍ରାୟ ସମୟ କଳହ ହେଉଥିଲା । ଆଜି ନରେନ୍ଦ୍ର ବାଇକ ନେଇ ବାହାରକୁ ବୁଲିବାକୁ ଯାଇଥିଲେ। ସେ ଘରକୁ ଫେରିବାରୁ ପତ୍ନୀ ରାଗିଯାଇ ଏତେ ସମୟ ଧରି କେଉଁଆଡେ ଯାଉଛ, ଫୋନ କଲେ ଉଠାଉ ନାହଁ, ଆଜି ସେ ବାଇକକୁ ପୋଡି ଦେବି ଆଉ ବୁଲିପାରିବ ନାହିଁ କହି ବାଇକରେ ନିଆଁ ଲଗାଇବାକୁ ଉଦ୍ୟମ କରିବାରୁ ନରେନ୍ଦ୍ର ବାଧା ଦେଇ ବାଇକ ଟିକୁ ଅନ୍ୟତ୍ର ପଠାଇ ଦେଇଥିଲେ ।

ଏଥିରେ ରାଗିଯାଇ ମାଧୁରୀ ଘର ଭିତରକୁ ଯାଇ ନିଜ ଦେହରେ କିରୋସିନ ଢ଼ାଳି ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ପତ୍ନୀଙ୍କୁ ବଞ୍ଚାଇବାକୁ ଯାଇ ସ୍ୱାମୀ ମଧ୍ୟ ପୋଡ଼ି ଚିତ୍କାର କରିବାରୁ ପାଖ ପଡ଼ୋଶୀ ସେମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ମାଲକାନଗିରି ଜିଲ୍ଲାର ହସ୍ପିଟାଲକୁ ପଠାଇଥିଲେ । ପତ୍ନୀ ମଧୁରୀ କଚିମଙ୍କ ଶରୀରର ପ୍ରାୟ ୭୫ଭାଗ ପୋଡ଼ି ଯାଇଥିବାବେଳେ ସ୍ୱାମୀ ନରେନ୍ଦ୍ର କଚିମ ପ୍ରାୟ ୨୦ଭାଗ ନିଆଁର ଶିକାର ହୋଇ ପୋଡ଼ିଛନ୍ତି । ମାଧୁରୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କୋରାପୁଟ ମେଡ଼ିକାଲ କଲେଜକୁ ଉଚ୍ଚତର ଚିକିତ୍ସା ନିମନ୍ତେ ପଠାଯାଇଛି । ଏହି ଘଟଣା ମାଲକାନଗିରି ସହରରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି ।