ବଡ଼ବିଲ , ୧୮।୨ : ସ୍ତ୍ରୀକୁ ମେଡିକାଲରେ ଦେଖାଇ ବାଇକରେ ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କାଦେଇ ମାଡ଼ିଗଲା ହାଇୱା । ଏଥିରେ ସ୍ତ୍ରୀର ମୃତ୍ୟୁ ଘଟିଥିବା ବେଳେ ସ୍ବାମୀ ଆହତ ହୋଇଛି। ଏପରି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବଡ଼ବିଲ ଅଞ୍ଚଳରେ । ମୃତକ ହେଲେ ବାରିଆ ଥାନା ଉଚ୍ଚବାଲି ପାହାଡ଼ଭଙ୍ଗା ଅଞ୍ଚଳର ମଧୁସ୍ମିତା ମହାନ୍ତ।

ବାରିଆ ଥାନା ଉଚ୍ଚବାଲି ପାହାଡ଼ଭଙ୍ଗା ଅଞ୍ଚଳର ମନୋରଞ୍ଜନ ମହାନ୍ତ ନିଜର ୪ ମାସର ଗର୍ଭବତୀ ସ୍ତ୍ରୀ ମଧୁସ୍ମିତା ମହାନ୍ତଙ୍କୁ ନେଇ ମେଡିକାଲ୍ ଚେକ୍ଅପ୍ ପାଇଁ ଯୋଡ଼ାକୁ ଯାଇଥିଲେ । ଉଭୟ ମେଡିକାଲ୍ କାମ ସାରି ବାଇକ୍ ଯୋଗେ ଯୋଡ଼ାରୁ ବଡ଼ବିଲ ଫେରୁଥିଲେ। ଏହି ସମୟରେ ଭଦ୍ରାସାହି - ବଡ଼ବିଲ ରାସ୍ତାର ଭୂଷୁଗାଁ ନିକଟରେ ପଛପଟୁ ଆସୁଥିବା ଏକ ଲୁହା ପଥର ବୋଝେଇ ହାଇୱା ସେମାନଙ୍କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଉଭୟ ଛିଟିକି ପଡ଼ିଥିଲେ ଏବଂ ହାଇୱାର ଚକ ମଧୁସ୍ମିତାଙ୍କ ମୁଣ୍ଡ ଉପରେ ମାଡ଼ିଯାଇଥିଲା । ଘଟଣା ସ୍ଥଳରେ ହିଁ ମଧୁସ୍ମିତାଙ୍କ ପ୍ରାଣବାୟୁ ଉଡିଯାଇଥିଲା । ଏଥିରେ ସ୍ଵାମୀ ମନୋରଞ୍ଜନ ମହାନ୍ତ ଆହତ ହୋଇଛନ୍ତି ।