କଟକ/ମାହାଙ୍ଗା/କୁଆଁପାଳ,୨୫/୧୨: ସ୍ୱାମୀଙ୍କ ଜୁଇ ନ ଲିଭୁଣୁ ଜଳିଥିଲା ପତ୍ନୀଙ୍କ ଚିତା । ଭୋରରୁ ସ୍ୱାମୀଙ୍କ ମୃତ୍ୟୁ ଘଟିଥିବା ବେଳେ ମଧ୍ୟାହ୍ନରେ ଆଖି ବୁଜିଲେ ପତ୍ନୀ । ମାତ୍ର ୭ ଘଣ୍ଟା ବ୍ୟବଧାନରେ ଶିକ୍ଷାବିତ୍‌ ତଥା ଜଗତପୁରସ୍ଥିତ ଲକ୍ଷ୍ମୀନାରାୟଣ ସାହୁ ମହାବିଦ୍ୟାଳୟର ପୂର୍ବତନ ମୁଖ୍ୟ ଅଧ୍ୟାପକ ପ୍ରଶାନ୍ତ କୁମାର ବିଶ୍ୱାଳ(୬୨) ଓ ତାଙ୍କ ପତ୍ନୀ ଝରଣା ଜେନା(୫୩)ଙ୍କ ପରଲୋକ ଘଟିଛି । ଆଗପଛ ହୋଇ ଶିକ୍ଷାବିତ୍‌ ଦମ୍ପତିଙ୍କ ଦେହାନ୍ତ ଘଟଣା କଟକ ମହାନଦୀ ବିହାର ଅଞ୍ଚଳ ସମେତ ଜନ୍ମସ୍ଥାନ ମାହାଙ୍ଗା ଅଡ଼ମ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । 

ଶ୍ରୀ ବିଶ୍ୱାଳ ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବାବେଳେ ସ୍ୱାମୀଙ୍କ ଦେହାନ୍ତ ଖବର ଶୁଣିବା ପରେ ପତ୍ନୀ ଝରଣାଙ୍କ ହୃଦ୍‌ଘାତରେ ପରଲୋକ ଘଟିଛି ।  ଶିକ୍ଷାବିତ୍‌ ତଥା ସାହିତ୍ୟିକ ଶ୍ରୀ ବିଶ୍ୱାଳ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁ ଏସ୍‌ସିବି ମେଡିକାଲରେ ଆଇସିୟୁରେ ଚିକିତ୍ସିତ ହେଉଥିବା ବେଳେ ଆଜି ପ୍ରାୟ ଭୋର ୪ଟା ସମୟରେ ମସ୍ତିସ୍କାଘାତରେ ତାଙ୍କର ମୃତ୍ୟୁ ହୋଇଥିଲା । ଶ୍ରୀ ବିଶ୍ୱାଳଙ୍କ ପରଲୋକ ପରେ ପରିବାର ଲୋକେ, ଆତ୍ମୀୟସ୍ୱଜନ, ବନ୍ଧୁ ଓ ଶୁଭେଚ୍ଛୁମାନେ ଏସ୍‌ସିବି ମେଡିକାଲରୁ ମୃତଦେହ ନେଇ ମହାନଦୀ ବିହାରସ୍ଥିତ ବାସଭବନରେ ପହଞ୍ଚିଥିଲେ । ପରଲୋକ ଖବରପାଇ ବହୁ ଶିକ୍ଷାବିତ୍‌ ଓ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଅନ୍ତ୍ୟେଷ୍ଟି ଲାଗି ପରିବାର ଲୋକେ ମୃତଦେହକୁ ମାହାଙ୍ଗା ବ୍ଲକ୍‌ ଅଡ଼ମସ୍ଥିତ ଜନ୍ମସ୍ଥାନକୁ ନେଇଥିଲେ । ଗାଁ ଶ୍ମଶାନରେ ଶେଷକୃତ୍ୟ ଚାଲିଥିଲା । ପୁଅ ସ୍ୱାଧୀନ ବିଶ୍ୱାଳ ବାପାଙ୍କୁ ମୁଖାଗ୍ନି ଦେବାର କେଇ ମୁହୂର୍ତ୍ତ ପରେ ତାଙ୍କ ପାଇଁ ଆଉ ଏକ ବଡ଼ ଦୁଃଖଦ ଖବର ଶ୍ମଶାନରେ ପହଞ୍ଚିଥିଲା । ବାପାଙ୍କ ଜୁଇ ଜଳୁଥିବା ବେଳେ ମା’ ଝରଣାଙ୍କ ଦେହନ୍ତ ହୋଇଥିବା ଜଣାପଡ଼ିଥିଲା । ଫଳରେ ଆତ୍ମୀୟମାନେ ପୁଣି ଘରମୁହାଁ ହୋଇ ଝରଣାଙ୍କ ମୃତଦେହକୁ କାନ୍ଧ ଦେଇ ଶ୍ମଶାନକୁ ନେଇଥିଲେ । ସ୍ୱାମୀଙ୍କ ଜୁଇ ପାଖରେ ଜଳିଥିଲା ଝରଣାଙ୍କ ଜୁଇ । ଏକାଠି ଦମ୍ପତିଙ୍କ ଜୁଇ ଜଳିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । 

ପରଲୋକ ଖବରପାଇ ମାହାଙ୍ଗା ବିଧାୟକ ସାରଦା ପ୍ରଧାନ, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ଶିକ୍ଷାବିତ୍‌ ଡ. କମଳ ପ୍ରସାଦ ମହାନ୍ତି ଗଭୀର ଶୋକବ୍ୟକ୍ତ କରିଛନ୍ତି । ସ୍ୱର୍ଗତ ପ୍ରଶାନ୍ତ ବିଶ୍ୱାଳ ଇଂରାଜୀ ଭାଷା ସାହିତ୍ୟର ଜଣେ ଦକ୍ଷ ଅଧ୍ୟାପକ ଥିଲେ । ଶ୍ରୀ ବିଶ୍ୱାଳଙ୍କ ପରଲୋକ ଖବର ପାଇ ମହାନଦୀ ବିହାରସ୍ଥିତ ବାସଭବନରେ ପ୍ରଫେସର ବୈଷ୍ଣବ ସାମଲ, ଡ. ଗୋବିନ୍ଦ ଭୂୟାଁ, ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ, ଖୋଲାଝରକା ଅନୁଷ୍ଠାନର ଇଂ. ଅଜୟ ରାଉତ, ଇଂ. ମୁରଲୀଧର ରଥ, ଇଂ. ଆକାଶ ଭୂୟାଁ, ଶର୍ମିଷ୍ଠା ମହାପାତ୍ର, ଅଧ୍ୟାପକ ସୁବାସ ଚନ୍ଦ୍ର ଦ୍ୱିବେଦୀ, ଗାଳ୍ପିକ ବିଷ୍ଣୁ ସାହୁ, ପ୍ରତିମା ଶତପଥୀ, ସୁବାସ ଶତପଥୀ, ବିଚିତ୍ରାନନ୍ଦ ପଣ୍ଡା, ପ୍ରହଲ୍ଲାଦ ମହାନ୍ତି, ଶରତ ସାହୁ, ମୈତ୍ରୀଭୂଷଣ ଖୁଣ୍ଟିଆ, ସଞ୍ଜୟ ଜେନା, ଚିତ୍ତ ମିଶ୍ର ପ୍ରମୁଖ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।