ସୁକିନ୍ଦା,୦୩/୦୩: ମୋତେ ସେ ସବୁବେଳେ ପିଟୁଥିଲା । କେତେ ଆଉ ସହିଥା’ନ୍ତି? ସେଦିନ ନିଶା ଖାଇ ମୋତେ  ମାରୁଥିଲା । ଠେଙ୍ଗାରେ ପାହାରେ ଦେଲି ଆଉ ଉଠିଲାନି ।  ଆମ ଘର ପାଖ ଝରଣା କୂଳରେ ତାକୁ ପୋତି ଦେଲି । ରବିବାର  ଅପରାହ୍ଣରେ ସୁକିନ୍ଦା ଥାନାକୁ ଜଣେ ମହିଳା ଆସି ଏପରି  କହିଥିଲା । ଏହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ । ସୁକିନ୍ଦା  ଥାନା ଅନ୍ତର୍ଗତ ସଂସାଇଲୋ ପଞ୍ଚାୟତ ଡୁବିଖାଲ ଗାଁରେ ଏପରି  ଘଟଣା ଘଟିଥିବା ବେଳେ ମୃତକ ବାବୁଲି ମୁଣ୍ଡା(୩୫) ଏବଂ  ହତ୍ୟାକାରୀ ତାଙ୍କ ପତ୍ନୀ ଦୁମାରି ମୁଣ୍ଡା(୩୦) ବୋଲି ଜଣାପଡ଼ିଛି ।  ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।  

ସୂଚନା ମୁତାବକ, କେନ୍ଦୁଝର ଅଞ୍ଚଳର ବାବୁଲି ପୂର୍ବରୁ  ବିବାହିତ । ପ୍ରଥମ ପତ୍ନୀ ଗାଁରେ ଥିବା ବେଳେ ବାବୁଲି ପାରାଦୀପ  ଅଞ୍ଚଳକୁ ଆସି କାମ କରୁଥିଲେ । ସେଠାରେ ତାଙ୍କର ଦୁମାରି  ସହ ଦେଖା ହୋଇଥିଲା । ପରେ ବାବୁଲି ଦୁମାରିକୁ ଦ୍ୱିତୀୟ  ବିବାହ କରି ଶ୍ୱଶୁର ଘର ଗାଁ ଡୁବିଖାଲରେ ରହୁଥିଲେ । ନିଶା  ସେବନ କରି ବିଭିନ୍ନ ସମୟରେ ବାବୁଲି ଦୁମାରିକୁ ମାର୍‌ପିଟ୍‌  କରୁଥିଲେ । ଗତ ଗୁରୁବାର ସନ୍ଧ୍ୟାରେ ବାବୁଲି ନିଶାସକ୍ତ  ଅବସ୍ଥାରେ ଘରକୁ ଫେରି ଦୁମାରିକୁ ପ୍ରବଳ ମାଡ଼ ମାରିଥିଲେ ।  ଆତ୍ମରକ୍ଷା ପାଇଁ ଦୁମାରି ଏକ ଠେଙ୍ଗାରେ ପ୍ରତି ଆକ୍ରମଣ କରିଥିଲା ।  ଠେଙ୍ଗା ମାଡ଼ରେ ବାବୁଲି ଗୁରୁତର ହୋଇଥିଲା । ହେଲେ ତାଙ୍କୁ  ଡାକ୍ତରଖାନା ଅଣାଯାଇନପାରିବାରୁ କିଛି ସମୟ ମଧ୍ୟରେ ତାଙ୍କର  ପ୍ରାଣବାୟୁ ଉଡ଼ି ଯାଇଥିଲା । ଉକ୍ତ ଗ୍ରାମର ଘରଗୁଡ଼ିକ ପରସ୍ପର  ଠାରୁ ଦୂରରେ ଥିବାରୁ ଏ ସମ୍ପର୍କରେ ପଡ଼ୋଶୀଙ୍କ ପାଖରେ କୌଣସିପ୍ରକାର ଖବର ନଥିଲା । ସେହି ରାତିରେ ସ୍ତ୍ରୀ ଦୁମାରି  ନିଜ ଘର ପାଖ ଜଙ୍ଗଲକୁ ମୃତଦେହ ନେଇଯାଇ ଏକ ଝରଣା  କୂଳରେ ଗାତ ଖୋଳି ପୋତି ଦେଇଥିଲା ।  

ଘଟଣାକୁ ତିନି ଦିନ ବିତିବା ପରେ ପୋତାଯାଇଥିବା  ସ୍ଥାନରୁ ପଚାଗନ୍ଧ ଆସିବାରୁ ସ୍ଥାନୀୟ ଲୋକେ ଘଟଣାର  ଖୋଳତାଡ଼ କରିଥିଲେ । ଦୁମାରି ବାବୁଲିକୁ ହତ୍ୟା କରି  ସେଠାରେ ପୋତିଥିବା ମାନି ଯାଇଥିଲା । ଏହାପରେ ଗ୍ରାମର  କିଛି ଲୋକଙ୍କ କହିବା ଅନୁଯାୟୀ ଆଜି ଅପରାହ୍ଣରେ ସୁକିନ୍ଦା  ଥାନାରେ ଦୁମାରି ଆତ୍ମସମର୍ପଣ କରି ଘଟଣା ସଂପର୍କରେ  ପ୍ରକାଶ କରିଥିଲା । ଆଜି ସନ୍ଧ୍ୟା ହୋଇଯାଇଥିବାରୁ ଆସନ୍ତା  କାଲି ପୁଲିସ ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ କରିବା ସହ  ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବ । ପରେ  ମାମଲା ରୁଜୁ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ  ବୋଲି ସୁକିନ୍ଦା ଥାନା ଅଧିକାରୀ ବିଲ୍ୱମଙ୍ଗଳ ସେଠୀ କହିଛନ୍ତି । 

ଏଠାରେ ପ୍ରଶ୍ନ ଉଠୁଛି, ମହିଳାଜଣକ ହତ୍ୟା କରିବା ପରେ  ଏକାକୀ ବାବୁଲିଙ୍କୁ ଘର ଠାରୁ ଦୁଇଶହ ମିଟର ଦୂର ଝରଣାକୂଳକୁ  କିପରି ନେଲା ଓ ଗାତ ଖୋଳି ପୋତିଲା ? ହତ୍ୟା ପଛରେ  ଦୁମାରି ଏକା ନା ଆଉ କିଏ ଅଛି ତା’ର ତଦନ୍ତ ଆବଶ୍ୟକ ।