ଭୁବନେଶ୍ୱର, ୨୪/୦୨: ସାତ ଜନମ ସାଥୀ ହୋଇ ରହିବା ପାଇଁ କଥାଦେଇ ହାତ ଧରିଥିଲା । ହେଲେ ଯୌତୁକ ପାଇଁ ସଇତାନ ପାଲଟିଗଲା । ସ୍ତ୍ରୀର ଇଜ୍ଜତକୁ ସୋସିଆଲ୍ ମିଡିଆରେ ଫେକ୍ ଆଇଡି କରି ନିଲାମ କରିଦେଲା । ସ୍ତ୍ରୀର ନଗ୍ନ ଫଟୋ ଭାଇରାଲ୍ କରିଛି ଯୌତୁକ ଲୋଭି ସ୍ୱାମୀ। ଭରତପୁର ଅଞ୍ଚଳରେ ଘଟିଥିବା ଏହି ଘଟଣା  ରାଜଧାନୀରେ ହଟଚମଟ ସୃଷ୍ଟି କରିଛି । ଅଭିଯୋଗ ପାଇ ଭରତପୁର ଥାନା ପୁଲିସ ଅଭିଯୁକ୍ତ ସ୍ୱାମୀକୁ ଉଠାଇ ଆଣି ଥାନାରେ ଅଟକ ରଖି ପଚରାଉଚରା କରୁଛି । ପୀଡ଼ିତା ଜଣଙ୍କ ପ୍ରେମ ବିବାହ କରିଥିଲେ । ବିନା ଯୌତୁକରେ ବିବାହ ହୋଇଥିଲା । ପରେ ଯୌତୁକକୁ ନେଇ ଦୁଇ ପରିବାର ଭିତରେ ଧୀରେଧୀରେ ଝଗଡ଼ା ଆରମ୍ଭ ହୋଇଥିଲା । ଯାହାକୁ ନେଇ ପତ୍ନୀଙ୍କୁ ଘରୁ ବାହାର କରି ଦେଇଥିଲା ସ୍ୱାମୀ । ପରେ ସ୍ତ୍ରୀଙ୍କର କିଛି ଫଟୋକୁ ଏଡିଟ୍ କରି ଅଶ୍ଳୀଳ ଭାବେ ଭାଇରାଲ କରି ଦେଇଥିଲା ।

ଆହୁରି ପଢ଼ନ୍ତୁ :- କାଳିଆ ସାଆନ୍ତଙ୍କ ନାଁରେ କଳା କାରନାମା, ପ୍ରସାଦ ଓ ଚୁନରି ନାଁରେ ଲୁଟୁଛନ୍ତି ଠକ !

ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ୨୦୨୪ ଏପ୍ରିଲ୍ରେ ଉଭୟଙ୍କ ବାହାଘର ହୋଇଥିଲା । ସେତେବେଳେ ଯୌତୁକ ଦରକାର ନାହିଁ ବୋଲି ସ୍ୱାମୀ କହିଥିଲେ । ହେଲେ ବାହାଘରର କିଛିଦିନ ପରେ ସ୍ୱାମୀ ମାଡ଼ ମାରିବା ସହ ଯୌତୁକ ଦାବି କରି ଘରୁ ତଡ଼ି ଦେଇଥିଲା । ଏନେଇ ସେତେବେଳେ ଥାନାର ଦ୍ୱାରସ୍ଥ ହୋଇଥିଲେ ପୀଡ଼ିତା । ପରେ ମଧ୍ୟସ୍ଥିଙ୍କ ଜରିଆରେ ଦୁଇ ପରିବାର ମଧ୍ୟରେ ବିବାଦ ତୁଟିବା ସହ ପୁଣି ଶାଶୁ ଘରକୁ ଫେରିଥିଲେ ପୀଡ଼ିତା । ହେଲେ ଯୌତୁକ ଲୋଭି ଶାଶୁ ଘର ଲୋକଙ୍କ ନିର୍ଯାତନା ଥମିନଥିଲା । ନିର୍ଯାତନା ସହି ନପାରି ପୀଡ଼ିତା ରୋଜଗାର କରିବାକୁ ଭୁବନେଶ୍ୱର ପଳାଇ ଆସିଥିଲେ । ତଥାପି ସ୍ୱାମୀ ପିଛା ଛାଡ଼ି ନଥିଲେ । ଗାଁର ଜଣେ ଝିଅଙ୍କୁ ଭଲ ପାଇବା ସହ ଭୁବନେଶ୍ୱର ଆଣି ବୁଲାଉଥିଲେ । ଏସବୁ ଜାଣିବା ପରେ ପୀଡ଼ିତା ସ୍ୱାମୀଙ୍କ ଫୋନ୍ ନମ୍ବର ବ୍ଲକ୍ କରି ଦେଇଥିଲେ । ଯାହା ପରେ ସ୍ୱାମୀ ସୋସିଆଲ୍ ମିଡିଆରେ ଫେକ୍ ଆଇଡି ଖୋଲି ପୀଡ଼ିତାଙ୍କ ଫଟୋକୁ ଏଡିଟ୍ କରି ଅଶ୍ଳୀଳ ଭାବେ ଭାଇରାଲ୍ କରି ଦେଇଥିଲା । ଆଜି ଏନେଇ ପୀଡ଼ିତା ଭରତପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।