ରାଜ୍ୟରେ ଏବେ ବିପଦରେ ବନ୍ୟପ୍ରାଣୀ । ହାତୀ, ବାଘଠାରୁ ଆରମ୍ଭ କରି ବଜ୍ରକାପ୍ତା, ହରିଣ, ବାର୍‌ହା ଶିକାର ବଢ଼ିଚାଲିଛି । ବେକାବୁ ହେଲେଣି ଶିକାରୀ । ଦାନ୍ତ ପାଇଁ ବଳି ପଡୁଛନ୍ତି ହାତୀ । ଆଉ ଛାଲ ପାଇଁ ବାଘ । ବର୍ଷକୁ ହାରାହାରି ୮୦ ହାତୀ ମରୁଛନ୍ତି । ହାତୀ-ମଣିଷ ଲଢ଼େଇ ଥମିବାର ନାଁ ନେଉନି । ଓଡି଼ଶାର ପ୍ରାୟ ୫୪ଟି ପ୍ରଜାତି ବିଲୁପ୍ତମୁହାଁ ହେଲେଣି । ସରକାର ଯୋଜନା ପରେ ଯୋଜନା କରିଚାଲିଛନ୍ତି । କିନ୍ତୁ ବନ୍ୟପ୍ରାଣୀଙ୍କ ମୃତ୍ୟୁରେ ପୂର୍ଣ୍ଣଚ୍ଛେଦ ପଡ଼ିପାରୁନି । ବିଲୁପ୍ତ ହେବାକୁ ବସିଲେଣି ଅନେକ ବନ୍ୟପ୍ରାଣୀ...​​​​​​

ମୃତ୍ୟୁଫାଶରେ ହାତୀ, ବାଘ 
ଜଙ୍ଗଲରେ ହାତୀ, ବାଘ ଏବେ ବିପଦରେ । ଯେଉଁଭଳି ଭାବେ ହାତୀ, ବାଘ ମୃତ୍ୟୁ ବଢ଼ି ଚାଲିଛି ଆଉ କିଛିବର୍ଷ ଭିତରେ ଓଡ଼ିଶା ଜଙ୍ଗଲରୁ ଏମାନଙ୍କ ବଂଶ ଲୋପ ପାଇବା ଆଶଙ୍କା ଉପୁଜୁଛି । ଏପ୍ରିଲ ମାସରୁ ଆଜି ସୁଦ୍ଧା ବିଭିନ୍ନ କାରଣରୁ ୫୭ ହାତୀଙ୍କ ମୃତ୍ୟୁ ଘଟିଲାଣି । କେଉଁଠି ଶିକାରୀଙ୍କ ଗୁଳିରେ ଟଳିଲେଣି ତ ଆଉ କେଉଁଠି ଫାଶରେ ପଡ଼ି ଜୀବନ ଗଲାଣି । ବିଦ୍ୟୁତ୍‌ ଝଟ୍‌କା, ଟ୍ରେନ୍‌ ଧକ୍କା ବି ଜୀବନ ନେଉଛି । ଚନ୍ଦକା-ଡମପଡ଼ା ଅଭୟାରଣ୍ୟର କୁମାରଖୁଣ୍ଟି ହାତୀ ଯତ୍ନ କେନ୍ଦ୍ରରେ ବର୍ଷକରେ ୩ ହାତୀ ଛୁଆ ‘ମାମା’ ‘କମଳା’ ଓ ‘ଶମ୍ଭୁ’ର ମୃତ୍ୟୁ ଘଟିଲାଣି । ହାତୀ ଯତ୍ନ କେନ୍ଦ୍ରରେ ଯଦି ହାତୀଙ୍କୁ ବନବିଭାଗ ବଞ୍ଚାଇ ପାରୁନି, ତେବେ ଜଙ୍ଗଲରେ କିପରି ହାତୀଙ୍କୁ ସୁରକ୍ଷା ଯୋଗାଇଦେବ ତାହା ସହଜେ ଅନୁମେୟ । ଯେତିକି ହାତୀ ଓଡ଼ିଶାରେ ମରୁଛନ୍ତି, ସେମାନଙ୍କର ହାରାହାରି ହିସାବକୁ ଆମେ ଦେଖିଲେ, ୧୯୯୦ରୁ ୨୦୦୦ ମସିହା ଭିତରେ ବର୍ଷକୁ ହାରାହାରି ୩୩ଟି ହାତୀ ମରୁଥିଲେ । ପରବର୍ତ୍ତୀ ୧୦ ବର୍ଷ ଭିତରେ ବର୍ଷକୁ ହାରାହାରି ୪୬ଟି ହାତୀଙ୍କ ଜୀବନ ଗଲା । ୨୦୧୦ରୁ ୨୦୨୦ରେ ହାରାହାରି ୭୮ଟି ମଲେ । ଗଲା ୫ ବର୍ଷରେ ହାରାହାରି ୮୦ ହାତୀଙ୍କ ମୃତ୍ୟୁ ଘଟିଛି । ଗତ ୪ ବର୍ଷରେ ରାଜ୍ୟରୁ ଜବତ ହେଲାଣି ୧୦୩ ବାଘ ଛାଲ । ସେଥିରେ କଲରାପତରିଆ ବାଘ ଛାଲ ୯୮ ଓ ମହାବଳ ବାଘ ଛାଲ ୫ । ଗତବର୍ଷ ଶିକାରୀଙ୍କଠୁ ୨୪ଟି ବାଘଛାଲ ମିଳିଥିଲା । ଶିକାରୀମାନେ ବେଧଡ଼କ ବାଘ ଶିକାର କରି ରାଜ୍ୟ ତଥା ଦେଶ ବାହାରକୁ ଛାଲ ଚାଲାଣ କରୁଛନ୍ତି । ରାଜ୍ୟର ଉପାନ୍ତ ଅଞ୍ଚଳ କଥା ଛାଡ଼ନ୍ତୁ, ଖୋଦ୍‌ ରାଜଧାନୀରେ ମଧ୍ୟ ବାଘ ଛାଲ କାରବାର ହେଲା । ଏକ ପଞ୍ଚତାରକା ହୋଟେଲରେ ବାଘଛାଲ ଡିଲ୍‌କୁ ଠାବ କରିଥିଲା କମିଶନରେଟ୍‌ ପୁଲିସର ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌ । ଆଉ ଏହି କାରବାରରେ ସମ୍ପୃକ୍ତ ଥିଲେ ଜଣେ ଆଇଏଏସ୍‌ ଅଧିକାରୀଙ୍କ ପୁଅ । ସରକାର ହାତୀ, ବାଘଙ୍କ ସୁରକ୍ଷା ପାଇଁ ଯୋଜନା ପରେ ଯୋଜନା କରିଚାଲିଛନ୍ତି । କିନ୍ତୁ ରାଜ୍ୟରେ ଏମାନଙ୍କ ମୃତ୍ୟୁରେ ରୋକ ଲାଗି ପାରୁନାହିଁ ।

ସଂରକ୍ଷଣ ହେବ ‘ରାମୁ’ କଙ୍କାଳ
ରାଜଧାନୀ ଓ ଉପକଣ୍ଠରେ ଯେତିକି ଆତଙ୍କ ରଚୁଥିଲା, ସେତିକି ସ୍ଥାନୀୟ ଲୋକ ଓ ବନ କର୍ମଚାରୀଙ୍କର ପ୍ରିୟ ଥିଲା । ଅଯଥାରେ କାହା ଘର ଭାଙ୍ଗେନି କି ଦଳାଚକଟା କରେନି । ୩୫ ବର୍ଷରେ ଚନ୍ଦକା ଅଭୟାରଣ୍ୟର ଚନ୍ଦ୍ରମା ପାଲଟିଥିଲା ବିଶାଳକାୟ ଦନ୍ତା ରାମୁ । ଗତବର୍ଷ ଅଗଷ୍ଟ ୧୯ରେ ଚୂନକୋଳି ବସ୍ତିରେ ବିଦ୍ୟୁତ ଆଘାତରେ ରାମୁର ମୃତ୍ୟୁ ହେଲା । ରାମୁକୁ ସଭିଏଁ ଝୁରିଥିଲେ । ବର୍ଷେ ପରେ ‘ରାମୁ’ର କଙ୍କାଳକୁ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଭରତପୁର ଜଙ୍ଗଲରେ ରାମୁର ସମାଧିକୁ ଖୋଳି ତା’ ଭିତରୁ ରାମୁର କଙ୍କାଳ ଉଦ୍ଧାର କରାଯାଇଛି । କଙ୍କାଳଗୁଡ଼ିକୁ କେମିକାଲରେ ସଫା ଚାଲିଛି । ଆଉ ମାତ୍ର ୨-୩ ମାସ । ତା’ ପରେ ଚନ୍ଦକା ଡମପଡ଼ା ଅଭୟାରଣ୍ୟର ମୁଖ୍ୟ ଫାଟକ ଗୋଡିବାରୀ ପ୍ରକୃତି ନିବାସରେ ଏହି କଙ୍କାଳ ସର୍ବସାଧାରଣଙ୍କ ପାଇଁ ପ୍ରଦର୍ଶିତ ହେବ । ରାମୁ କଙ୍କାଳକୁ ସଭିଏଁ ପାଖରୁ ଦେଖିବେ । ୨୦୦୬ ମସିହାରୁ ଶଙ୍କର ହାତୀର କଙ୍କାଳ ମ୍ୟୁଜିୟମ ଅଫ୍‌ ନ୍ୟାଚୁରାଲ ହିଷ୍ଟ୍ରିରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ପ୍ରଦର୍ଶିତ ହେଉଛି ।

ଲଟକିଛି ବ୍ୟାଘ୍ର ପ୍ରକଳ୍ପ
ଓଡ଼ିଶା ଜଙ୍ଗଲରେ ମହାବଳ ବଂଶ ବୃଦ୍ଧି ପାଇଁ ରାଜ୍ୟ ଜଙ୍ଗଲ ତଥା ବନ୍ୟପ୍ରାଣୀ ବିଭାଗ, ଏନ୍‌ଟିସିଏ(ଜାତୀୟ ବ୍ୟାଘ୍ର ସଂରକ୍ଷଣ ସଂସ୍ଥା) ଏବଂ ମଧ୍ୟପ୍ରଦେଶ ସରକାରଙ୍କ ମିଳିତ ଉଦ୍ୟମକ୍ରମେ ୨୦୧୮ରେ ଆରମ୍ଭ ହୋଇଥିଲା ଭାରତର ପ୍ରଥମ ଅନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକଳ୍ପ । ତିନି ଯୋଡ଼ା ଯୁବ ମହାବଳ ଦମ୍ପତି ସାତକୋଶିଆରେ ଛଡ଼ାଯିବାର ଯୋଜନା ଥିଲା । ମାତ୍ର ଗୋଟିଏ ଯୋଡ଼ା ମହାବଳ ଛଡ଼ା ଯାଇଥିଲା । ଜଙ୍ଗଲରେ ଛଡ଼ାଯିବାର ମାତ୍ର ୬ ମାସ ମଧ୍ୟରେ ‘କାହ୍ନା’ ପ୍ରକଳ୍ପରୁ ଆସିଥିବା ଯୁବ ଅଣ୍ଡିରା ମହାବଳ ‘ମହାବୀର’ ଶିକାରୀ ଫାଶରେ ପଡ଼ି ମୃତ୍ୟୁ ମୁଖରେ ପଡ଼ିଥିଲା । ବାନ୍ଧବଗଡ଼ ପ୍ରକଳ୍ପରୁ ଆସିଥିବା ମାଈ ବାଘୁଣୀ ‘ସୁନ୍ଦରୀ’ ଘଞ୍ଚ ଜଙ୍ଗଲ ପରିବର୍ତ୍ତେ ଜନବସତି ଇଲାକାରେ ଉତ୍ପାତ କଲା । ଦୁଇ ଦୁଇଟି ମଣିଷ ମାରିବା ପରେ ୨୦୨୧ ମାର୍ଚ୍ଚ ୨୩ରେ ତାକୁ ମଧ୍ୟପ୍ରଦେଶର ଘୋରେଲା ରିୱାଇଡିଂ ସେଣ୍ଟର୍‌କୁ ଫେରାଇ ନିଆ ଯାଇଥିଲା । ତେଣୁ ସାତକୋଶିଆରେ ବାଘ ବଂଶ ବୃଦ୍ଧି ଯୋଜନା ଫସର ଫାଟିଥିଲା । ଗତ ବାଘ ଗଣନାରେ ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ଗୋଟିଏ ବି ମହାବଳ ବାଘ ନଥିବା ଜଣାପଡ଼ିଛି । ଏବେ ପୁଣି ଓଡ଼ିଶା ଜଙ୍ଗଲକୁ ବାଘ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ କରିଛି ବନ ବିଭାଗ । ବାଘ ବଂଶ ବୃଦ୍ଧି ଯୋଜନାରେ ବନ ବିଭାଗ କେତେ ସଫଳ ହେଉଛି, ତାହା ଦେଖିବାକୁ ବାକି ରହିଲା ।

ଶିକାରୀଙ୍କ ଶିବିରରୁ ୬୯ ବନ୍ଧୁକ
ଘଞ୍ଚ ଜଙ୍ଗଲରେ ବନ୍ୟପ୍ରାଣୀ ଶିକାରୀଙ୍କ ଆଗ୍ନେୟାସ୍ତ୍ର ଅନବରତ ଗର୍ଜିଥିଲା । ଟଳିଥିଲେ ଅନେକ ବିରଳ ବନ୍ୟଜନ୍ତୁ । ବନ ବିଭାଗର ଜଏଣ୍ଟ ଟାସ୍କ ଫୋର୍ସ(ଜେଟିଏଫ୍‌) ୨ ବର୍ଷ ଭଳି ଚଳିତବର୍ଷ ମଧ୍ୟ ବନ୍ଧୁକ ଧରପଗଡ଼କୁ ଜୋର୍‌ ଦେଇଛି । ଏଯାବତ୍‌ ଶିକାରୀଙ୍କଠୁ ମିଳିଛି ୬୯ ବନ୍ଧୁକ । ଶିମିଳିପାଳରୁ ହିଁ ଅଧିକାଂଶ ଦେଶୀ ବନ୍ଧୁକ ଜବତ ହୋଇଥିଲା । ମେ’ ୩୦ରେ ବଣାଇ, କୁଳିପୋଷ ରେଞ୍ଜରୁ ଗିରଫ ହୋଇଥିବା ୫ ବେପାରୀଙ୍କଠୁ ୭ ଦେଶୀ ବନ୍ଧୁକ ମିଳିଥିଲା । ଡିସେମ୍ବର ୧୫ରେ କୁଳଡି଼ହ ଅଭୟାରଣ୍ୟରୁ ୩ ଶିକାରୀଙ୍କଠୁ ୫ ବନ୍ଧୁକ ଜବତ ହୋଇଥିଲା । ସେପ୍ଟେମ୍ବରରେ ଶିମିଳିପାଳରେ ଆତ୍ମସମର୍ପଣ କରିଥିବା ୭ ଶିକାରୀଙ୍କଠୁ ୭ଟି ଦେଶୀ ବନ୍ଧୁକ ମିଳିଥିଲା ।

ବଢ଼ିଛି ହାତୀ ଦାନ୍ତ ଚାଲାଣ
ଅମୁଲ ମୂଲ୍ୟ ହୋଇଚାଲିଛି ଦୁର୍ଲ୍ଲଭ ହାତୀଦାନ୍ତ । ଲୋଭାଗ୍ରସ୍ତ ହୋଇ ଶିକାରୀମାନେ ହାତୀ ଶିକାର କରିବାକୁ ପଛାଉନାହାନ୍ତି । ହାତୀଦାନ୍ତ ସ୍ମଗ୍‌ଲିଂ ଏଥର ବି ବନ ବିଭାଗ ଓ ପୁଲିସର ମୁଣ୍ଡ ବିନ୍ଧାଇଥିଲା । ଡିସେମ୍ବରରେ କେନ୍ଦୁଝରରୁ ୨ଟି (୭.୫ କେଜି ଓ ୬.୮ କେଜି), ଅକ୍ଟୋବରରେ ଅନୁଗୁଳରୁ ଗୋଟିଏ (୫ କେଜି), ଅଗଷ୍ଟରେ କେନ୍ଦୁଝରରୁ ୪ଟି (୫ କେଜି), ଜୁନ୍‌ରେ ବୌଦ୍ଧ ଜିଲ୍ଲାରୁ ୨ଟି ହାତୀଦାନ୍ତ ଜବତ ହୋଇଛି । ଏସବୁର ଆନ୍ତର୍ଜତୀୟ ବଜାର ମୂଲ୍ୟ ୧୦ କୋଟି ଟପିଯିବ । ଗତ ୪ ବର୍ଷରେ ରାଜ୍ୟରୁ ୮୦ରୁ ଅଧିକ ହାତୀ ଦାନ୍ତ ଜବତ ହୋଇଥିଲା । ହାତୀ ଦାନ୍ତର ବଡ଼ ବଜାର ହେଉଛି ଚୀନ୍‌ । ଚୀନ୍‌ର କିଛି ମାଫିଆ ଉତ୍ତର-ପୂର୍ବ ଭାରତକୁ ଟାର୍ଗେଟ୍‌ କରିଛନ୍ତି । ଆସାମ, ମଣିପୁର, ମିଜୋରାମ୍‌ ଓ ଓଡ଼ିଶାରେ ଜାଲ ବିଛାଇଛନ୍ତି । ଆନ୍ତର୍ଜତୀୟ ବେପାରି ଶିକାରୀମାନଙ୍କଠୁ ହାତୀ ଦାନ୍ତ କିଣୁଛନ୍ତି । ଓଡ଼ିଶାରୁ କୋଲକାତା ଦେଇ ସୀମା ପାର୍‌ ହୋଇ ପହଞ୍ଚୁଛି ଚୀନ୍‌ ବଜାରରେ ।

୫୪ ପ୍ରଜାତିର ପ୍ରାଣୀ ବିଲୁପ୍ତମୁହାଁ
ଓଡି଼ଶାରେ ୨୯ ପ୍ରଜାତିର ଉଭୟଚର ପ୍ରାଣୀ, ୧୩୧ ପ୍ରଜାତିର ସରିସୃପ, ୫୩୭ ପ୍ରଜାତିର ପକ୍ଷୀ, ୧୧୪ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ ଅଛନ୍ତି । ୮୦୦ରୁ ଅଧିକ ପ୍ରଜାତିର ମତ୍ସ୍ୟ ମଧ୍ୟ ନଦୀନାଳ, ପୋଖରୀ, ଡ୍ୟାମ୍‌, ସମୁଦ୍ର, ହ୍ରଦରେ ଅଛନ୍ତି । ବିଶ୍ୱ ପ୍ରକୃତି ସରକ୍ଷଣ ସଂଘ(ଆଇୟୁସିଏନ୍‌) ପ୍ରସ୍ତୁତ କରିଥିବା ରେଡ୍‌ ଡାଟା ବୁକ୍‌ ଅନୁସାରେ, କୋଭିଡ୍‌-୧୯ ମହାମାରୀ ପରଠୁ ଷଷ୍ଠ ଗଣବିଲୋପ ଆରମ୍ଭ ହୋଇଛି । ବିଶ୍ୱରେ ୪୬,୩୦୦ରୁ ଅଧିକ ପ୍ରଜାତି ଜୀବଜନ୍ତୁ ପ୍ରାୟତଃ ବିଲୁପ୍ତମୁହାଁ । ପ୍ରାୟ ୪୧ଧ ଉଭୟଚର, ୨୬ଧ ସ୍ତନ୍ୟପାୟୀ, ୨୧ଧ ସରୀସୃପ ଓ ୧୨ଧ ପକ୍ଷୀ ହଜିବାକୁ ବସିଲେଣି । ସେଥିରୁ ଓଡି଼ଶାର ୫୪ ପ୍ରଜାତିର ପ୍ରାଣୀ ସଙ୍କଟାପନ୍ନ ଶ୍ରେଣୀଭୁକ୍ତ । ୧୭ ପ୍ରଜାତିର ସରିସୃପ, ୧୫ ପ୍ରଜାତିର ପକ୍ଷି ଓ ୨୨ ପ୍ରଜାତି ସ୍ତନ୍ୟପାୟୀ ପ୍ରାଣୀ ଏବେ ବିଲୁପ୍ତମୁହାଁ । ଜୀବଜନ୍ତୁଙ୍କ ଏହି ଗଣବିଲୋପ ପାଇଁ ମଣିଷର ଅହଂକାର ହିଁ ଦାୟୀ ।


ଚନ୍ଦକାରେ ଗବେଷଣା କେନ୍ଦ୍ର 

ଚନ୍ଦକା ଗୋଡ଼ିବାରିରେ ଖୁବ୍‌ଶୀଘ୍ର ଖୋଲିବ ହାତୀ ସୁରକ୍ଷା ଗବେଷଣା କେନ୍ଦ୍ର । ବିଶ୍ୱର ଏ ପ୍ରଥମ ଗବେଷଣା କେନ୍ଦ୍ର ବୃହତ୍‌ ସ୍ଥଳଜୀବ ହାତୀଙ୍କ ସୁରକ୍ଷା ଓ ସଂରକ୍ଷଣ ଦିଗରେ ଗବେଷଣା କରିବ । ଦେଶ ବିଦେଶର ବିଶେଷଜ୍ଞମାନେ ହାତୀ-ମଣିଷ ସଂଘର୍ଷ ରୋକିବାକୁ ଗବେଷଣା କରିବେ । ଗବେଷଣା ପରେ ବିଶେଷଜ୍ଞଙ୍କ ସୁପାରିସ ଆଧାରରେ ହାତୀବଂଶର ସୁରକ୍ଷା ପାଇଁ ରାଜ୍ୟ ସରକାର ଆଣିବେ ନୀତି । ଏହି ସଂରକ୍ଷଣ ମଡେଲ ସାରା ବିଶ୍ୱରେ ଆଦୃତ ହେବ । 

ହାତୀ ମୃତ୍ୟୁ ରୋକୁଛି ଏଆଇ 

ଟ୍ରେନ ଧକ୍କାରୁ ହାତୀଙ୍କ ମୃତ୍ୟୁ ରୋକିବା ପାଇଁ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସି(ଏଆଇ)କୁ ଅସ୍ତ୍ର କରିଛି ବନ ବିଭାଗ । ଅର୍ଥାତ୍‌, ରେଳଧାରଣା କଡ଼ରେ ୩୬୦ ଡିଗ୍ରୀ କ୍ୟାମେରା ଖଞ୍ଜାଯିବ । ଆଖପାଖରେ ହାତୀଙ୍କ ଗତିବିଧି ଉପରେ ୨୪ ଘଣ୍ଟିଆ ନଜର ରହିବ । ହାତୀ ପଲ ଆସିବା କ୍ଷଣି ଟ୍ରେନର ବେଗ କମାଇବାକୁ ଲୋକୋ ପାଇଲଟଙ୍କୁ ନିର୍ଦ୍ଦେଶ ମିଳିବ ।ଢେଙ୍କାନାଳ ହିନ୍ଦୋଳ ଓ ଅନୁଗୁଳ ବନ୍ତଳାଠାରେ ଏହାର ପରୀକ୍ଷା ସଫଳ ହୋଇଥିଲା। ୨-୩ଟି ଘଟଣାରେ ହାତୀପଲଙ୍କ ସଞ୍ଜିବନୀ ପାଲଟିଛି ଏଆଇ ।

ବିମାନରେ ବିରଳ ସାପ ଚାଲାଣ 
ସୁଦୂର ବ୍ୟାଙ୍କକ୍‌ରୁ ଭୁବନେଶ୍ୱର ଆସୁଥିବା ବିମାନରେ ଯାତ୍ରୀଙ୍କ ସହ ଚାଲାଣ ହେଉଥିଲେ ବିଦେଶୀ ସାପ, କଇଁଚ ଓ ଗୋଧି । କଷ୍ଟମ ଅଧିକାରୀମାନେ ଶଙ୍କର ମୁର୍ଗନ ନାମକ ତାମିଲନାଡୁ ଯୁବକକୁ ଯାଞ୍ଚ କରିବା ବେଳେ ବ୍ୟାଗ୍‌ରେ ଥିବା ୪ଟି ‘ଚକୋ ପାଏ’ ବିସ୍କୁଟ ଡବାର ଓଜନକୁ ନେଇ ସନ୍ଦେହ ଉପୁଜିଲା । ‘ଚକୋ ପାଏ’ ବିସ୍କୁଟ ଡବା ଭିତରେ ଏସବୁ ବିରଳ ବନ୍ୟଜନ୍ତୁଙ୍କୁ ଦେଖି ଚମକି ଯାଇଥିଲେ କଷ୍ଟମ ଅଧିକାରୀ । ଯାତ୍ରୀଜଣକ ୮ଟି କାଲିଫର୍ଣ୍ଣିଆ କିଙ୍ଗ ସ୍ନେକ୍‌ ଓ ଗୋଟିଏ ଆଲବିନୋ କାଲିଫର୍ଣ୍ଣିଆ କିଙ୍ଗ ସ୍ନେକ୍‌, ୧୦ଟି ପିଗ୍‌ ନୋଜଡ୍‌ କଇଁଚ, ୧୨ଟି ନାଇଲ୍‌ ମନିଟର ଗୋଧିର ତସ୍କରି କରୁଥିଲେ ।

 ଏଆଇ କ୍ୟାମେରା ଫାଶ 

ଶିକାରୀ ମୂଳପୋଛ ଅଭିଯାନରେ ବନ ବିଭାଗ ପାଇଁ ବଡ଼ ଅସ୍ତ୍ର ସାଜିଛି, କୃତିମ ବୁଦ୍ଧିମତା(ଏଆଇ) ଯୁକ୍ତ କ୍ୟାମେରା । ଶିମିଳିପାଳ, ସାତକୋଶିଆ, ସୁନାବେଡ଼ା, କୂଳଡି଼ହ, ଭିତରକନିକା, କୋରାପୁଟ ଜଙ୍ଗଲରେ ଖଞ୍ଜାଯାଇଛି ଏଆଇ କ୍ୟାମେରା । ଶିକାରୀଙ୍କ ଗତିବିଧି ଉପରେ ତୀକ୍ଷ୍ମ ନଜର ରଖୁଛନ୍ତି ବନ କର୍ମଚାରୀ । କେହି ଶିକାରୀ ହାତରେ ବନ୍ଧୁକ କିମ୍ବା ଅନ୍ୟ ଅସ୍ତ୍ରଶସ୍ତ୍ର ଧରିବା ମାତ୍ରେ ଲେନ୍ସରେ କଏଦ୍‌ ହେଉଛି ।

 କଳାବାଘ ସଫାରୀକୁ ମଞ୍ଜୁରି

 ବାରିପଦାରେ ମଞ୍ଚାବନ୍ଧାଠାରେ ଖୁବ୍‌ ଶୀଘ୍ର ଖୋଲିବାକୁ ଯାଉଛି ବିଶ୍ୱର ପ୍ରଥମ କଳାବାଘ ସଫାରୀ । ଶିମିଳିପାଳ ଅଭୟାରଣ୍ୟ ସୀମାଠାରୁ ୧୫ କିମି ଦୂରରେ ୨୦୦ ହେକ୍ଟର ଜମିରେ ନିର୍ମିତ ସଫାରିରେ କଳାବାଘ ରହିବେ । ଗତବର୍ଷ ଡିସେମ୍ବର ସୁଦ୍ଧା ପ୍ରକଳ୍ପ ପୂର୍ଣ୍ଣରୂପ ଦେବାକୁ ଯୋଜନା ଥିଲା । କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ(ସିଜେଡିଏ) ଓ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ(ଏନ୍‌ଟିସିଏ)ରୁ ଗ୍ରୀନ ସିଗନାଲ ମିଳିଥିଲା । କିନ୍ତୁ ସୁପ୍ରିମକୋର୍ଟରେ ପିଟିସନ ଯୋଗୁ ପ୍ରକଳ୍ପଟି ଅଧାରେ ଲଟକିଥିଲା । ନଭେମ୍ବର ୧୮ ତାରିଖରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ବି ଆର ଗଭାଇ ସାରା ଦେଶରେ ସଫାରୀ ଖୋଲିବା ନେଇ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ଅଣ-ଜଙ୍ଗଲ ଜମି କିମ୍ବା ବଫର ଏରିଆର ଅବନତି ହେଉଥିବା ଜଙ୍ଗଲ ଜମିରେ ବାଘ ସଫାରୀ କରାଯାଇ ପାରିବ । ଖୁବ୍‌ଶୀଘ୍ର ପର୍ଯ୍ୟଟକମାନେ ମଞ୍ଚାବନ୍ଧାରେ ଗାଡି଼ରେ ବୁଲି କଳାବାଘ ଦେଖିପାରିବେ ।

ସର୍ପ ଦଂଶନରେ ଗଲା ୯୨୧ ଜୀବନ
 ମାନବ ସମାଜ ପାଇଁ ବିଷଧର ସାପ ଆଜନ୍ମରୁ ବିପଦ । ଗତବର୍ଷ ଏପ୍ରିଲରୁ ଚଳିତ ମାର୍ଚ୍ଚ ଶେଷ ସୁଦ୍ଧା ସାପ କାମୁଡା଼ରେ ୯୨୧ଜଣ ମରିଥିଲେ । କଟକରେ ସର୍ବାଧିକ ୮୨ ଜଣଙ୍କ ମୃତ୍ୟୁ ଘଟିଥିଲା । ମୟୁରଭଞ୍ଜ, ବାଲେଶ୍ୱରରେ ୬୯ଜଣ ଲେଖାଏଁ ସର୍ପ ଦଂଶନରେ ଆଖି ବୁଜିଥିଲେ । ଚଳିତବର୍ଷ ଏପ୍ରିଲରୁ ନଭେମ୍ବର ଶେଷ ସୁଦ୍ଧା ବିଷଧର ସାପ ପ୍ରାୟ ୬୩୪ଜଣଙ୍କ ପ୍ରାଣ ନେଲାଣି । ଗତ ଆର୍ଥିକ ବର୍ଷର ତଥ୍ୟକୁ ହିସାବକୁ ନେଲେ, ଚଳିତବର୍ଷ ଏହି ସଂଖ୍ୟା ହଜାରେ ପାର୍‌ କରିବ ।

ବିଶ୍ୱରେ ଚମକିଲା କଳାବାଘ 
ନ୍ୟାସନାଲ ଜିଓଗ୍ରାଫିକ୍‌ ପତ୍ରିକାର ଅକ୍ଟୋବର ସଂସ୍କରଣର ପ୍ରଚ୍ଛଦ ପୃଷ୍ଠାରେ ଓଡି଼ଶାର କଳା ବାଘ(ମେଲାନିଷ୍ଟିକ) ଫଟୋ ସ୍ଥାନ ପାଇଥିଲା । ଏହି ଅନ୍ତର୍ଜାତୀୟ ପତ୍ରିକାରେ ଇନ୍‌ ବ୍ରିଡ଼ିଂର ଶିକାର କଳାବାଘର କାହାଣୀକୁ ଅତି ନିଖୁଣତାର ସହ ବର୍ଣ୍ଣନା କରିଥିଲେ ଅନ୍ତର୍ଜତୀୟ ଏକ୍ସପ୍ଲୋରର୍‌ ତଥା ଫଟୋଗ୍ରାଫର ପ୍ରସନ୍ନଜିତ୍‌ ଯାଦବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ବେଶ୍‌ ପ୍ରଶଂସା କରିଥିଲେ । ବିଶ୍ୱସ୍ତରୀୟ ପତ୍ରିକାରେ ବିରଳ କଳାବାଘ କାହାଣୀ ସ୍ଥାନ ପାଇବା ଓଡି଼ଶା ପର୍ଯ୍ୟଟନ ପାଇଁ ଏକ ନୂଆ ଦିଗନ୍ତ ବୋଲି ଜଙ୍ଗଲ, ପରିବେଶ ମନ୍ତ୍ରୀ ଗଣେଷ ରାମ ସିଂଖୁଣ୍ଟିଆ କହିଥିଲେ ।
​​​​​​​