ନୂଆଦିଲ୍ଲୀ, ୧୬/୦୧ : ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ। କେନ୍ଦ୍ରୀୟ ବଜେଟ୍ କୁ ନେଇ ସବୁ ସେକ୍ଟର ଆଶା ବାନ୍ଧି ବସିଛନ୍ତି। ବୈଦ୍ୟୁତିକ ଉପକରଣ ଦର କମିବ ବୋଲି ଆଶା କରାଯାଉଛି। ବିଶେଷ କରି ସ୍ମାର୍ଟଫୋନ୍ ଶସ୍ତା ହେବ ବୋଲି ଅନୁମାନ କରାଯାଉଛି। ଗତ କିଛି ଦିନ ହେବ ଏଆଇର ଚାହିଦା ବଢିବା ଯୋଗୁଁ ମେମୋରି ଚିପ୍ସର ଦର ବଢିଛି। ଏଥିପାଇଁ ସ୍ମାର୍ଟଫୋନ ମହଙ୍ଗା ହୋଇଛି। ତେଣୁ ସାଧାରଣ ଲୋକ ଏହି ମହଙ୍ଗା ମାଡ଼ରୁ ଆଶ୍ଵସ୍ତି ଚାହୁଁଥିଲେ। ତେଣୁ ଦର କମାଇ ସରକାର ସାଧାରଣ ଲୋକଙ୍କ ଭରସା ଜିତିବାକୁ ଚେଷ୍ଟା କରିପାରନ୍ତି ।
Ai+ ସ୍ମାର୍ଟଫୋନ୍ ଏବଂ Nxtquantum Shift ଟେକ୍ନୋଲୋଜିର ସିଇଓ ମାଧବ ସେଠ କହିଛନ୍ତି ଯେ, ଭାରତର ଉପଭୋକ୍ତା ଏକ ବଡ଼ ପରିବର୍ତ୍ତନ ଦ୍ଵାରଦେଶରେ ଅଛନ୍ତି। AI ଇଣ୍ଟିଗ୍ରେଟେଡ୍ ଡିଭାଇସଗୁଡ଼ିକର ମୂଲ୍ୟ ବୃଦ୍ଧି ପାଇଛି। କେନ୍ଦ୍ର ବଜେଟରେ ଏସବୁ ଉପରେ ଫୋକସ କରାଯିବ ଦରକାର। ଭାରତ ଏବେ କ୍ୟାମେରା, ବ୍ୟାଟେରୀ, PCB, ଏନକ୍ଲୋଜର, ଚାର୍ଜର ଭଳି ସାମଗ୍ରୀର ନିର୍ମାଣକୁ ପ୍ରୋତ୍ସାହିତ କରିବା ଉଚିତ୍। ଏହା ସହ ଗବେଷଣା, ସିଷ୍ଟମ ଡିଜାଇନ୍ ଏବଂ ସଫ୍ଟୱେର୍-ଚାଳିତ ମେସିନ ସହ ଜଡିତ IPକୁ ସମର୍ଥନ କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ।"
ଇଣ୍ଡକାଲ ଟେକ୍ନୋଲୋଜିର ସିଇଓ ଆନନ୍ଦ ଦୁବେ କହିଛନ୍ତି, ବିଦ୍ୟୁତ ଉପକରଣକୁ ଅଧିକରୁ ଅଧିକ ପ୍ରୋତ୍ସାହନ ପାଇଁ ସରକାରୀ ନୀତି ଜରୁରୀ । ବଜେଟରେ କେନ୍ଦ୍ର ଏହା ଉପରେ ସ୍ୱତନ୍ତ୍ର ନଜର ଦେଇପାରେ । ଏହି କ୍ଷେତ୍ର ଭାରତର ଅର୍ଥନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି। ଯାହାକି ଅଧିକ ପରିମାଣର ଉତ୍ପାଦନକୁ ପ୍ରୋତ୍ସାହନ ଦେଉଛି। ସବୁଠାରୁ ବଡ କଥା ହେଉଛି ଯେ, ଏହା ଲକ୍ଷ ଲକ୍ଷ ନିଯୁକ୍ତି ସୃଷ୍ଟି କରିଛି ଏବଂ ବିଶ୍ୱ ଯୋଗାଣ ଶୃଙ୍ଖଳାରେ ଭାରତର ପତିଆରା ବଢାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସାମଗ୍ରିକ ଭାବରେ ଶିଳ୍ପ ତଥା ଉତ୍ପାଦନକୁ ଆହୁରି ବିସ୍ତାର କରିବା ପାଇଁ ଦାବି କରାଯାଉଛି। ବର୍ତ୍ତମାନ, ଭାରତର ଅଧିକାଂଶ କମ୍ପାନୀ କେବଳ ଆସେମ୍ବଲିଂ କରୁଛନ୍ତି। ଅଧିକାଂଶ ପାର୍ଟ ପାଇଁ ଚୀନ ଉପରେ ନିର୍ଭର କରୁଛନ୍ତି। ଯଦି ଅଧିକାଂଶ ଉପାଦାନ ଭାରତରେ ନିର୍ମିତ ହୁଏ, ତେବେ ଫୋନର ମୂଲ୍ୟ ନିଶ୍ଚିତ ଭାବରେ କମ୍ ହେବ ବୋଲି ଆନ୍ନଦ ଦୁବେ କହିଛନ୍ତି ।