ନୂଆଦିଲ୍ଲୀ ୨୫/୧୧: ଆଜିଠୁ ସଂସଦର ଶୀତକାଳୀନ ଅଧିବେଶନ।  ଏହା ଡିସେମ୍ବର ୨୦ ପର୍ଯ୍ୟନ୍ତ  ଚାଲିବ । ଏହା ଅଷ୍ଟାଦଶ ଲୋକସଭାର ତୃତୀୟ ଅଧିବେଶନ  ହେବ । ଏହି ଅଧିବେଶନରେ  ମୋଟ ୧୯ଟି କାର୍ଯ୍ୟଦିବସ ରହିଛି ।  ଶୀତ ଅଧିବେଶନ ପାଇଁ ୱାକଫ  ସଂଶୋଧନ ବିଲ୍‌ ସମେତ ୧୬ଟି ବିଲ୍‌  ତାଲିକାଭୁକ୍ତ ହୋଇଛି ।

ସେଥିରୁ ୧୧ଟି ବିଲ୍‌ ଉପରେ ବିତର୍କ ଓ ୫ଟି ବିଲ୍‌ ଗୃହୀତ କରିବାକୁ  ସରକାର ଲକ୍ଷ୍ୟ ରଖିଛନ୍ତି । ତେବେ ବହୁଚର୍ଚ୍ଚିତ ଏକ ଦେଶ-ଏକ ନିର୍ବାଚନ ବିଲ୍‌ ତାଲିକାଭୁକ୍ତ ହୋଇନାହିଁ । କିନ୍ତୁ କିଛି ରିପୋର୍ଟରେ  କୁହାଯାଉଛି କି ସରକାର ଏହାକୁ ଆଗତ କରିପାରନ୍ତି । ଅଧିବେଶନ ଆରମ୍ଭରୁ କେରଳର ୱାୟନାଡ ଓ ମହାରାଷ୍ଟ୍ରର ନାନ୍ଦେଡ ଲୋକସଭା  ଆସନରୁ ନିର୍ବାଚିତ ହୋଇଥିବା ୨ ଜଣ ନୂଆ ସଦସ୍ୟଙ୍କୁ ବାଚସ୍ପତି  ଓମ୍‌ ବିର୍ଲା ଶପଥପାଠ କରାଇବେ । ୱାୟନାଡରୁ ପ୍ରିୟଙ୍କା ଗାନ୍ଧୀ ଭଦ୍ରା  ଓ ନାନ୍ଦେଡରୁ ଚୌହାନ ରବୀନ୍ଦ୍ର ବସନ୍ତରାଓ ନିର୍ବାଚିତ ହୋଇଛନ୍ତି ।  

ତେବେ ଅଧିବେଶନରେ ଆଦାନି ଲାଞ୍ଚ ମାମଲା, ମଣିପୁର ହିଂସା  ସମେତ ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହ ସରଗରମ ହେବାର ସମ୍ଭାବନା ରହିଛି । ସରକାରଙ୍କୁ ଘେରିବାକୁ ବିରୋଧୀ ବିଭିନ୍ନ ପ୍ରସଙ୍ଗକୁ ଅସ୍ତ୍ର  କରିଥିଲା ବେଳେ ତାର ମୁକାବିଲା ପାଇଁ ଶାସକ ଦଳ ରଣନୀତି  ପ୍ରସ୍ତୁତ କରିଛି । ତେବେ ଶୀତ ଅଧିବେଶନର ଅବ୍ୟବହିତ ପୂର୍ବରୁ ଆଜି  ସରକାରଙ୍କ ପକ୍ଷରୁ ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା ।  ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି  ବୈଠକରେ ୩୦ଟି ବିଭିନ୍ନ ରାଜନୈତିକ ଦଳର ୪୨ ନେତା ସାମିଲ  ହୋଇଥିଲେ । ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଗୃହକାର୍ଯ୍ୟ  ସୁଚାରୁରୂପେ ଚଳାଇବା ଲାଗି ସବୁ ଦଳର ନେତାଙ୍କ ସହଯୋଗ  ଲୋଡିଥିଲେ । 

ଲୋକସଭାରେ କଂଗ୍ରେସର ଉପନେତା ଗୌରବ  ଗୋଗୋଇ ଆଦାନି ଲାଞ୍ଚ ମାମଲା ଉପରେ ସଂସଦରେ ଚର୍ଚ୍ଚା କରିବା  ଲାଗି ଦାବି କରିଥିଲେ । ଅନ୍ୟତମ କଂଗ୍ରେସ ନେତା ପ୍ରମୋଦ ତିୱାରୀ  କହିଥିଲେ ଆଦାନି ଲାଞ୍ଚ ପ୍ରସଙ୍ଗ ଦେଶର ଅର୍ଥନୀତି ଓ ସୁରକ୍ଷା ସ୍ୱାର୍ଥ  ସହ ଜଡିତ। ତେଣୁ ଏହା ଉପରେ ତୁରନ୍ତ ଆଲୋଚନା ହେବା  ଉଚିତ । ସେହିଭଳି ମଣିପୁର ହିଂସା ପ୍ରସଙ୍ଗରେ ଆଲୋଚନା ଲାଗି  ସେ ଦାବି କରିଥିଲେ । ଟିଡିପି ନେତା ଲବୁ ଶ୍ରୀକ୍ରିଷ୍ଣା ଦେବରାୟଲୁ  ପୋଲାଭରମ ପ୍ରକଳ୍ପ ସମେତ ଅନ୍ୟ ପ୍ରକଳ୍ପ ବହୁଦିନ ଧରି ପଡ଼ିରହିଛି  ଏବଂ ବିପର୍ଯ୍ୟୟ ପରିଚାଳନା ଉପରେ ବିତର୍କ ଲାଗି ଦାବି କରିଥିଲେ ।  ସେହିଭଳି ଡିଏମ୍‌କେର ତିରୁଚି ଶିବା ୱାକଫ ସଂଶୋଧନ ବିଲ୍‌କୁ  ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ । ତେବେ ଗୃହର  ଆଇନ ଅନୁସାରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବ  ବୋଲି ରିଜିଜୁ କହିଛନ୍ତି ।