ନୂଆଦିଲ୍ଲୀ: ବାଂଲାଦେଶରେ ଶେଖ ହସିନାଙ୍କ ସରକାରର ପତନ ପରଠାରୁ ହିନ୍ଦୁ ମାନେ ସେଠାରେ କ୍ରମାଗତ ଭାବେ ଅତ୍ୟାଚାରର ସମ୍ମୁଖୀନ ହେଉଛନ୍ତି। ଏହି ଘଟଣାକୁ ନେଇ ଭାରତ ସହିତ ଏହାର ସମ୍ପର୍କ ମଧ୍ୟ ଖରାପ ହେବାରେ ଲାଗିଛି। ଆଉ ଏବେ ବାଂଲାଦେଶର ଅନ୍ତରୀଣ ସରକାର କହିଛନ୍ତି ଯେ, ଭାରତ ସମେତ ସମସ୍ତ ଦେଶ ସହିତ ପାରସ୍ପରିକ ସମ୍ମାନ ଏବଂ ସମାନତା ଉପରେ ଆଧାର କରି ଏହା ଦୃଢ ସମ୍ପର୍କ ଚାହୁଁଛି। ଢାକା ଟ୍ରିବ୍ୟୁନ୍ ଖବରକାଗଜ ରିପୋର୍ଟ ମୁତାବକ, ବୈଦେଶିକ ବ୍ୟାପାର ପରାମର୍ଶଦାତା ମହମ୍ମଦ ତାହିଦ୍ ହୁସେନ୍ ରାୟପୁରାରେ ଅଧିକାରୀ, ସାମ୍ବାଦିକ, ନେତା ଏବଂ ବୁଦ୍ଧିଜୀବୀଙ୍କ ସହ ଦୁଇଟି ଅଲଗା ଅଲଗା ବୈଠକରେ ଏହି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ବାଂଲାଦେଶ ଭଲ ସମ୍ପର୍କ ପାଇଁ ଇଚ୍ଛା ପ୍ରକାଶ କରି ଭାରତକୁ ଏକ ବାର୍ତ୍ତା ପଠାଇଛି, କିନ୍ତୁ ଏହା ପାରସ୍ପରିକ ସ୍ୱାର୍ଥ ଉପରେ ଆଧାରିତ ହେବା ଉଚିତ।
ହୁସେନ୍ କହିଛନ୍ତି ଯେ, ସମ୍ମାନ ଏବଂ ସମାନତା ଆଧାରରେ ବାଂଲାଦେଶ ସମସ୍ତ ଦେଶ ସହ ଭଲ ସମ୍ପର୍କ ଚାହୁଁଛି ଏବଂ ସରକାର ଏହି ଲକ୍ଷ୍ୟ ଦିଗରେ କାର୍ଯ୍ୟ କରୁଛନ୍ତି। ଛାତ୍ରମାନଙ୍କ ସମେତ ଜନସାଧାରଣଙ୍କ ସମସ୍ୟାକୁ ସମାଧାନ କରିବା ଏବଂ ନିରପେକ୍ଷ ନିର୍ବାଚନ ସୁନିଶ୍ଚିତ କରିବା ପାଇଁ ସଂସ୍କାର କାର୍ଯ୍ୟକାରୀ କରିବା ସହିତ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ପ୍ରତିବଦ୍ଧତା ଉପରେ ହୁସେନ୍ ଗୁରୁତ୍ୱାରୋପ କରିଥିଲେ। ସେ କହିଛନ୍ତି ଯେ ଏହି ସଂସ୍କାର ପରେ ରାଜନୈତିକ ଶକ୍ତି ନିର୍ବାଚିତ ନେତାମାନଙ୍କୁ ହସ୍ତାନ୍ତର କରାଯିବ।