ଭୁବନେଶ୍ୱର, ୧/୦୩: ଓଡ଼ିଶାରେ ପାଖାପାଖି ୧.୦୩ କୋଟି ଗାଡି ପଞ୍ଜିକୃତ ହୋଇଛି । କିନ୍ତୁ  ୬୧.୫୭ ଲକ୍ଷରୁ ଅଧିକ ଗାଡିର  ବୀମା ନାହିଁ । ଅର୍ଥାତ୍‌, ଦୁର୍ଘଟଣା  ପରେ ପାଖାପାଖି ୫୯% ଗାଡି  ମାଲିକଙ୍କ ଆର୍ଥିକ ବିପଦର ସାମ୍ନା  କରୁଛନ୍ତି । ଆଇନଗତ ସମସ୍ୟା ଭୋଗୁଛନ୍ତି। ଖୁବ୍‌ଶୀଘ୍ର ଏନେଇ ଏକ  ଅନଲାଇନ୍‌ ପୋର୍ଟାଲ୍‌ ଇ-ଡିଏଆର୍‌  (ଇଲେକ୍ଟ୍ରୋନିକ୍‌ ବିସ୍ତୃତ ଦୁର୍ଘଟଣା  ରିପୋର୍ଟ) ଆରମ୍ଭ ହେବାକୁ ଯାଉଛି ।  ଇ-ଡିଏଆର୍‌ ସଡ଼କ ଦୁର୍ଘଟଣା  ତଥ୍ୟର ତୁରନ୍ତ ଦେବ । କ୍ଷତିପୂରଣ  ଦାବିକୁ ତ୍ୱରାନ୍ୱିତ କରିବ । ପୀଡି଼ତଙ୍କ  ପରିବାରକୁ ଅତି ଆବଶ୍ୟକୀୟ  ସହାୟତା ପ୍ରଦାନ କରିବ ।   

ପରିବହନ ବିଭାଗର ପ୍ରମୁଖ  ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ  ଖାରବେଳ ଭବନରେ ବିଭିନ୍ନ ବୀମା  କମ୍ପାନୀର ପ୍ରତିନିଧିମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଆୟୋଜିତ  ହୋଇଥିଲା । ବ୍ୟାପକ ସଚେତନତା ଓ  କାର୍ଯ୍ୟାନୁଷ୍ଠାନ ଜରିଆରେ ଏସବୁ ବୀମା  ଖିଲାପି ଗାଡି଼କୁ ଯଥାଶୀଘ୍ର ବୀମାଭୁକ୍ତ  କରାଇବାକୁ ଆହ୍ୱାନ ଦେଇଥିଲେ ।   ବୀମା ସୁଗମତାକୁ ସୁଦୃଢ଼ କରିବାକୁ  ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଅଧୀନରେ ପାଞ୍ଚଟି ପ୍ରମୁଖ ବୀମା  କମ୍ପାନୀକୁ ତାଲିକାଭୁକ୍ତ କରାଯାଇଛି ।  ପୂର୍ବରୁ ପ୍ରାୟ ୧.୪୫ କୋଟି ଟଙ୍କା  ସମାଧାନ ହୋଇଛି । ଏହାସହ ୬.୭୭  କୋଟି ଟଙ୍କାର ଦାବି ରଖାଯାଇଛି । ବୀମା  ସଂସ୍କାର ପାଇଁ ଏକ କଷ୍ଟାମାଇଜ୍‌ଡ  ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର ବିକଶିତ କରିବାକୁ ଶ୍ରୀମତୀ ପାଢ଼ୀ  ନିର୍ଦ୍ଦେଶ ଦେଇଛନ୍ତି । 

ମୋଟର  ଯାନ ଆଇନ-୧୯୮୮ର ଧାରା ୧୬୪  ଅନୁଯାୟୀ, ଗାଡି଼ ମାଲିକ କିମ୍ବା ଅଧିକୃତ  ବୀମାକାରୀଙ୍କ ମୃତ୍ୟୁ କ୍ଷେତ୍ରରେ ୫  ଲକ୍ଷ ଟଙ୍କା ଏବଂ ଗୁରୁତର ଆଘାତ  ପାଇଁ ପୀଡି଼ତ କିମ୍ବା ସେମାନଙ୍କ  ଆଇନଗତ ଉତ୍ତରାଧିକାରୀଙ୍କୁ ୨.୫  ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ  ବାଧ୍ୟ କରାଯାଇଛି ।ବୈଠକରେ  ଓଏସ୍‌ଆର୍‌ଟିସି ସିଏମଡି ଦୀପ୍ତେଶ  କୁମାର ପଟ୍ଟନାୟକ, କମିଶନର  ଅମିତାଭ ଠାକୁର, କ୍ରୁଟ୍‌ ଏମ୍‌ଡି ଏନ୍‌  ଥିରୁମଲା ନାୟକ ଉପସ୍ଥିତ ଥିଲେ ।