ଯାଜପୁର, ୨୫/୧୨ : ପୁତ୍ର ସନ୍ତାନ ଜନ୍ମ ପରେ ଚାଲିଗଲା ମା’ର ଜୀବନ। ଭୁଲ ଇଞ୍ଜେକସନ ଯୋଗୁଁ ପ୍ରସୂତି ମହିଳାଙ୍କ ମୃତ୍ୟୁ ଅଭିଯୋଗ । ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ଥିବା ଏକ ଘରେଇ ନର୍ସିଂହୋମରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା। ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ଯାଜପୁର ଥାନାରେ ଲିଖିତ ଅଭିଯୋଗ କଲେ ମୃତକଙ୍କ ପରିବାର।
ଅଭିଯୋଗ ମୁତାବକ ବୁଧବାର ରାତିରେ ବରୀ ରତ୍ନଗିରି ଅଞ୍ଚଳର ସସ୍ମିତା ଜେନା ନାମକ ଗର୍ଭବତୀ ମହିଳାଙ୍କର ଅପରେସନ ବେଡ଼ରେ ମୃତ୍ୟୁ ହୋଇଛି । ଅସ୍ତ୍ରୋପ୍ରଚାର ପରେ ଶିଶୁପୁତ୍ର ଜନ୍ମ ହେଲେ ମଧ୍ୟ ମା‘ର ମୃତ୍ୟୁ ହୋଇଛି । ପ୍ରସୂତି ମହିଳା ମୃତ୍ୟୁକୁ ନେଇ ଘରୋଇ ନର୍ସିଂହୋମରେ ଉତ୍ତେଜନା ପ୍ରକାଶ ପାଇଥିଲା। ଭୁଲ ଇଞ୍ଜେକସନ ଓ ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଉତ୍ତେଜନା ଯୋଗୁଁ ଚିକିତ୍ସାଳୟ ମାଲିକ ବାହାର ଗୁଣ୍ଡା ଲଗାଇ ଠେଲାପେଲା ଓ ଧକ୍କା ମାରି ବାହାର କରିଦେବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।
ଦୁର୍ବୃତ୍ତମାନେ କିଏ ତାଙ୍କ ଫଟୋ ସିସି ଫୁଟେଜରୁ ପୁଲିସ ଚିହ୍ନଟ କରୁ ବୋଲି ଦାବି କରିଛନ୍ତି । ଅନ୍ୟପଟେ ଘରୋଇ ନର୍ସିଂହୋମରେ ସରକାରୀ ଡାକ୍ତରଙ୍କୁ ଘେରି ରହିଛନ୍ତି ସମ୍ପର୍କୀୟ । ଘଟଣାସ୍ଥଳରେ ଯାଜପୁର ଟାଉନ ପୁଲିସ ଉପସ୍ଥିତ ରହି ଘଟଣା ଉପରେ ନଜର ରଖିଛି ।