ମାଲକାନଗିରି /ଚିତ୍ରକୋଣ୍ଡା, ୧୭/୫(ଆପ୍ର): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅଧିନସ୍ଥ ସ୍ପିଲୱେ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ ଏବଂ ଦୁଇଜଣ ଆହତ ହୋଇଛନ୍ତି।
ସୂଚନା ମୁତାବକ ଚିତ୍ରକୋଣ୍ଡା ସ୍ପିଲୱେ ନିକଟରେ ଉଭୟ ପଟୁ ଆସୁଥିବା ଏକ ବାଇକ ଓ ପିକଅପ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକରେ ବସିଥିବା ଜଣେ ମହିଳା ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ବାଇକରେ ସ୍ୱାଭିମାନ ଅଞ୍ଚଳ ଡୋଲିଆମ୍ବ ଗ୍ରାମର କମଲୁ ଲୋଚନ ଖରା, ତାଙ୍କ ସ୍ତ୍ରୀ ହସମତି ଖରା ଏବଂ ଅନ୍ୟ ଜଣେ ମିଶି ଡାଇକ-୩ ଆଡୁ ଏକ ପୂଜା କାମ ସାରି ଘରକୁ ଫେରୁଥିଲେ। ସାମ୍ନାପଟରୁ ପିକଅପ ଗାଡି ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ମହିଳା ହସମତି ଖରା (୨୮) ଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁହେଁ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ମୃତକ ମହିଳାଙ୍କ ୩ଟି ଝିଅ ଥିବା ବେଳେ ସେମାନେ ମା’ଛେଉଣ୍ଡ ହୋଇ ଯାଇଥିବାରୁ ଡୋଲୀଆମ୍ବ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି। ଚିତ୍ରକୋଣ୍ଡା ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ମୃତ ଶରୀର ଜବତ କରି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇ ତଦନ୍ତ ଆରମ୍ଭ କରିଛି।