ଭୁବନେଶ୍ୱର, ୨/୧୨: ଅକାଳରେ ସ୍ୱାମୀ ଚିରଦିନ ପାଇଁ ଛାଡ଼ି ଚାଲିଗଲେ । କୋଳରେ ୨ଟି ଛୋଟ ଛୋଟ ପିଲା । ପ୍ରଶାସନିକ ଦାଓପେଞ୍ଚରେ ଛନ୍ଦି ହୋଇ ପେନସନ ମିଳିଲାନି। ବାଧ୍ୟ ହୋଇ ବାପା, ଭାଇଙ୍କ ଦ୍ୱାରସ୍ଥ ହେଲେ । ତାଙ୍କ ସହଯୋଗରେ କଷ୍ଟେମଷ୍ଟେ ସଂସାର ଚଳୁଛି । ଏତେ ଦୁଃଖକଷ୍ଟ ଓ ଆଗତ ଭବିଷ୍ୟତ ଥାଇ ମଧ୍ୟ ସେ ଏକ ବଡ଼ ନିଷ୍ପତ୍ତି ନେଲେ । ଅର୍ଜିତ ଜମିକୁ ସେ ବୃଦ୍ଧାଶ୍ରମ ନିର୍ମାଣ ପାଇଁ ଏକରକମ ଦାନ ଦେଇଛନ୍ତି । ଚାହିଁଥିଲେ ସେ ଜମିକୁ ବିକି ସେ କୋଟିଏରୁ ଅଧିକ ଟଙ୍କା ପାଇ ପାରିଥାନ୍ତେ । ଭଲରେ ଚଳିଥାନ୍ତେ । ହେଲେ ଦୟାଳୁ ଆତ୍ମାଟି ତାଙ୍କର ଅନ୍ୟର ଦୁଃଖରେ ସମଭାଗୀ । ଅସହାୟ ବୃଦ୍ଧବୃଦ୍ଧାଙ୍କ ଉପକାର କ୍ଷେତ୍ରରେ ଗରିବ ହୋଇ ବି ସମାଜର ସବୁ ବର୍ଗରେ ଉଦାହରଣ ସାଜିଛନ୍ତି ।

ସେବାର ଅନ୍ୟତମ ସ୍ୱରୂପ ସାଜିଥିବା ଏହି ମହିୟସୀ ମହିଳା ହେଉଛନ୍ତି ସ୍ୱର୍ଣ୍ଣଲତା ପ୍ରଧାନ । ବୟସ ୪୦ ଭିତରେ ହେବ । ଶିଶୁପାଳଗଡ଼ରେ ରହୁଛନ୍ତି । ସ୍ୱାମୀ ଉପେନ୍ଦ୍ର ପ୍ରଧାନ ରାଜ୍ୟ ବିଜୁଳି ବିଭାଗରେ କାମ କରୁଥିଲେ । ୫ ବର୍ଷ ତଳେ ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହୋଇ ଅକାଳରେ ଆରପାରିକୁ ଚାଲିଗଲେ । ସ୍ୱର୍ଣ୍ଣଲତାଙ୍କ କୋଳରେ ୨ଟି ଛୋଟ ପିଲା । ଚାକିରି ଫାଇଲରେ ଦୋଷତ୍ରୁଟି ଦର୍ଶାଇ ତାଙ୍କୁ ମିଳିବାକୁ ଥିବା ପେନସନ ଅଟକାଇ ଦେଲେ । ଇତିମଧ୍ୟରେ ସ୍ୱର୍ଣ୍ଣଲତା ସ୍ୱେଚ୍ଛାସେବୀ ସଂଗଠନ ପ୍ରଦୀପ ସେବା ଟ୍ରଷ୍ଟ ସଦସ୍ୟଙ୍କ ସଂସ୍ପର୍ଶରେ ଆସିଥିଲେ । ସେମାନଙ୍କ ସହିତ ମିଶି ଅଚିହ୍ନା ଶବର ସାଥୀ ସାଜିଲେ । ଅସହାୟଙ୍କୁ ସାହାଯ୍ୟ ଆଦି କାମରେ ନିଜକୁ ଉତ୍ସର୍ଗ କରିଦେଲେ । ଗରିବ ଓ ଅସହାୟଙ୍କ ପାଇଁ କିଛି ଗୋଟିଏ କରିବାକୁ ସେ ଏକ ବଡ଼ ନିଷ୍ପତ୍ତି ନେଲେ ।

ଗୁଡ଼ିଆପୋଖରୀ ନିକଟ ପୁରୀଭୁବନେଶ୍ୱର ଜାତୀୟ ରାଜପଥ କଡ଼ରେ ସ୍ୱାମୀ ତାଙ୍କ ନାମରେ କିଣିଥିବା ୯୨ ଡେସିମିଲ ଜମିରେ ଏକ ବୃଦ୍ଧାଶ୍ରମ ନିର୍ମାଣ କରିବାକୁ ସେ ଇଚ୍ଛା ପ୍ରକାଶ କଲେ । ଏହାକୁ ସାକାର କରିବା ପାଇଁ ସେ ପ୍ରଦୀପ ସେବା ଟ୍ରଷ୍ଟ ହାତରେ ଉକ୍ତ ଜମିକୁ ସମର୍ପି ଦେଇଛନ୍ତି । ସ୍ୱର୍ଣ୍ଣଲତା ଓ ଟ୍ରଷ୍ଟ ମଧ୍ୟରେ ଏଥିପାଇଁ ବିଧିବଦ୍ଧ କାଗଜପତ୍ର ସମ୍ପାଦିତ ହୋଇଛି । ଖୁବ୍ ଶୀଘ୍ର ଉକ୍ତ ଜମିରେ ବୃଦ୍ଧାଶ୍ରମ ନିର୍ମାଣ ହେବ ବୋଲି ଟ୍ରଷ୍ଟର ଅଧ୍ୟକ୍ଷ ପ୍ରଦୀପ ପୃଷ୍ଟି କହିଛନ୍ତି । ସେଠାରେ ବୃଦ୍ଧାଶ୍ରମ ନିର୍ମାଣ ହେବା ପରେ ମୋ ସ୍ୱପ୍ନ ସାକାର ହେବ ଓ ଆତ୍ମା ଶାନ୍ତି ପାଇବ ବୋଲି ସ୍ୱର୍ଣ୍ଣଲତା ଖୁସି ମନରେ କହିଛନ୍ତି ।