ସିନ୍ଧେକେଲା, ୨୫/୧୦: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ବନାଞ୍ଚଳ ଅନ୍ତର୍ଗତ ସାଲେବରଟ ଗ୍ରାମରେ ପୁଣି ଥରେ ଆତଙ୍କ ଖେଲାଉଛନ୍ତି ମାଙ୍କଡ ୯ ଦିନ ପରେ ପୁଣି ଆରମ୍ଭ ହୋଇଛି ମାଙ୍କଡ଼ଙ୍କ ଉତ୍ପାତ । ଜଣେ ମହିଳା ତାଙ୍କ ଶ୍ୱଶୁରଙ୍କ ପାଇଁ ଖାଦ୍ୟ ନେଇ ଯାଉଥିବା ବେଳେ ଏକ ପାଗଳ ମାଙ୍କଡ଼ ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଛନ୍ତି ।

ସୂଚନା ମୁତାବକ, ସାଲେବରଟ ଗାଁର କାନ୍ତି ପୁଟେଲ ନିଜ ଚାଷ ଜମିକୁ ସକାଳ ୯ ଟାରେ ଶ୍ୱଶୁରଙ୍କ ଖାଇବା ପାଇଁ କିଛି ମୁଢି ଓ ଚା ନେଇ ଯାଉଥିଲେ । ଏହି ସମୟରେ ଗଛରେ ଥିବା ପାଗଳ ମାଙ୍କଡ଼ କାନ୍ତିକୁ ଦେଖି ଗଛ ତଳକୁ ଓହ୍ଲାଇ ଆସି ତାଙ୍କ ବାମ ଗୋଡ଼ ଜଙ୍ଘରେ ଆକ୍ରମଣ କରିଥିଲା । ଯାହା ଫଳରେ ସେ ଗୁରୁତର ହୋଇଥିଲେ । ମାଙ୍କଡ଼ ଅଧିକ ଆକ୍ରମଣ କରିବା ଭୟରେ କାନ୍ତି ଧରିଥିବା କୋଦାଳକୁ ମାଙ୍କଡ଼କୁ ଦେଖାଇଥିଲେ । ଫଳରେ ମାଙ୍କଡ଼ କାନ୍ତିକୁ ଛାଡି ଦେଇ ଗଛକୁ ପଳାଇଥିଲା । ପରେ ଗୁରୁତର ଅବସ୍ଥାରେ କାନ୍ତିଙ୍କୁ ଚିକିତ୍ସା ପାଇଁ ସିନ୍ଧେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ସେଠାରେ ତାଙ୍କୁ ଭ୍ୟାକସିନ୍ ଦେଇ ଘରକୁ ନେଇଛନ୍ତି ପରିବାର ଲୋକ ।

ତେବେ ବାରମ୍ବାର ଏହି ଅଞ୍ଚଳରେ ଏହିଭଳି ଘଟଣା ଘଟୁଥିବା ବେଳେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି । ଗତ ୧୬ ତାରିଖ ଦିନ ପୁଟୁପଡା ଗାଁରେ ଜଣେ ଛାତ୍ରୀ ସ୍କୁଲ ଯିବା ସମୟରେ ମାଙ୍କଡ଼ ଆକ୍ରମଣ କରିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ପ୍ରଥମେ ସିନ୍ଧେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ଟିଟିଲାଗଡ଼ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଇଥିଲା । ଅଧିକ ଗୁରୁତର ହେବା ପରେ ବଲାଙ୍ଗୀର ଭୀମ ଭୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଏହି ଘଟଣା ପରେ ବନ ବିଭାଗ ପହଞ୍ଚି ଦିନ ତମାମ ପୁଟୁପଡା ଗାଁ ଅଞ୍ଚଳରେ ୧୮ ତାରିଖ ଦିନ ମାଙ୍କଡକୁ ଧରିବା ପାଇଁ ଚେଷ୍ଟା କରିଥିଲେ । ଏସିଏଫ ମାନସ ରଞ୍ଜନ ବେହେରା, ରେଞ୍ଜର ପଦ୍ମନାଭ କୁମ୍ଭାର, ଭିଏଏସ ଭବାନୀ ଶଙ୍କର ବେହେରା ଏବଂ ବଲାଙ୍ଗୀର ବନଖଣ୍ଡର ରେପିଡ ରେସପନ୍ସ ଟିମ୍ ପ୍ରମୁଖ ଦିନ ତମାମ କସରତ କରି ମାଙ୍କଡକୁ ଟ୍ରାଙ୍କୁଲାଇଜ୍‌ କରିବା ପାଇଁ ଚେଷ୍ଟା କରିଥିଲେ ହେଁ ମାଙ୍କଡ ଧରିବାରେ ବିଫଳ ହୋଇଥିଲେ। ପରେ ଖଡ଼ିଆଳ ଓ ନବରଙ୍ଗପୁରରୁ ରାପିଡ ରେସପନ୍ସ ଟିମ୍ ଡକାଯାଇଥିଲା। ସେମାନେ ପହଞ୍ଚିବା ପରେ ପୁଣି ଅପରେସନ ଆରମ୍ଭ କରାଯାଇଥିଲା । ହେଲେ କୌଣସି ପ୍ରକାରରେ ମାଙ୍କଡ଼କୁ ଧରିବାରେ ସଫଳ ହେଲା ନାହିଁ ବନ ବିଭାଗ । ଯାହାକୁ ନା ପସନ୍ଦ କରିଛନ୍ତି ଅଞ୍ଚଳବାସୀ । ଆଉ କେତେ ଲୋକ ଗୁରୁତର ହେଲେ ବନ ବିଭାଗର ଚେତା ପଶିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତେଣୁ ତୁରନ୍ତ ଜିଲ୍ଲା ପ୍ରଶାସନ ଏନେଇ ଦୃଷ୍ଟି ଦେଇ ପାଗଳ ମାଙ୍କଡ଼କୁ ଟ୍ରାଙ୍କୁଲାଇଜେସନ କରିବା ପାଇଁ ପୁଟୁପଡା ଓ ସାଲେବରଟ ଗ୍ରାମବାସୀ ଦାବି କରିଛନ୍ତି।