ପାଟଣାଗଡ, ୧୭।୭(ଆପ୍ର): ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ରେଞ୍ଜ ଅଧିନସ୍ଥ ଗୁଦୁରାମୁଣ୍ଡା ଗାଁ ନିକଟରେ ଥିବା କିରିବାଞ୍ଜି ଜଙ୍ଗଲ ଭିତରେ ଜଣେ ମହିଳାଙ୍କୁ ହାତୀ ଆକ୍ରମଣ କରିଛି। ଏଥିରେ ମହିଳା ଜଣକ ଗୁରୁତର ହୋଇଛନ୍ତି। ମହିଳା ଜଣକ ହେଲେ କତରଲଗା ଗାଁର ଶାନ୍ତି ନାଏକ।
କରମତଳା ଗାଁ ର କିଛି ପରିବାର ଗୁଦୁରାମୁଣ୍ଡା ଗାଁ ମୁଣ୍ଡରେ ଥିବା କେନ୍ଦୁପତ୍ର ଫଡିକୁ ପତ୍ର ବାନ୍ଧିବାକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣ ମହିଳାଙ୍କ ସହ ଶାନ୍ତି ଜଙ୍ଗଲ ଭିତରେ ଥିବା ଏକ ଝରଣାକୁ ଗାଧୋଇବାକୁ ଯାଇଥିଲେ। ଗାଧୋଉଥିବା ସମୟରେ ପଛପଟୁ ଏକ ହାତୀ ଆସି ଶାନ୍ତିକୁ ଟାଣି ଆଣିଥିଲା। ଗାଧେଇବାକୁ ଯାଇଥିବା ସାଥି ମହିଳାମାନେ ଚିତ୍କାର କରିବାରୁ ହାତୀଟି ମହିଳାଙ୍କୁ ଛାଡି ଦେଇ ଏକ ବୁଦା ମୁଳେ ଯାଇ ଠିଆ ହୋଇ ଯାଇଥିଲା। ମହିଳାମାନେ ଶାନ୍ତିକୁ ଉଦ୍ଧାର କରି ସେଠାରୁ ଦୌଡି ପଲାଇ ଆସିଥିଲେ। କିଛି ବାଟ ଆସିବା ପରେ ସେହି ରାସ୍ତାଦେଇ ଜଙ୍ଗଲ ଭିତରୁ ଏକ ୧୩ ଟିକିଆ ହାତୀ ପଲ ଆସୁଥିବା ସେମାନେ ଦେଖିବାକୁ ପାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ମହିଳା ତାଙ୍କ ପିଠିରେ ଶାନ୍ତିକୁ ବୋହି କେନ୍ଦୁପତ୍ର ଫଡି ପର୍ଯ୍ୟନ୍ତ ଆଣିଥିଲେ। ପରେ ପରିବାର ବର୍ଗ ଶାନ୍ତିକୁ ଆମ୍ବୁଲାନ୍ସ ଯୋଗେ ପାଟଣାଗଡ଼ ଡ଼ାକ୍ତରଖାନାକୁ ଆଣିଥିଲେ।