ଆଠଗଡ଼, ୨୩/୦୩ : ମାଙ୍କଡ଼ ଆକ୍ରମଣରେ ମହିଳା ମୃତ। ଆଠଗଡ଼ ଥାନା ରାଜନଗର ଗାଁରେ ମାଙ୍କଡ଼ ଆକ୍ରମଣରେ ଜଣେ ମହିଳା ମୃତ୍ୟୁ ହୋଇଛି। ମୃତ ମହିଳା ଜଣଙ୍କ ରାଜନଗର ଗାଁର ସୁଲୋଚନା ସାହୁ (୬୧ ବର୍ଷ)। ରବିବାର ଅପରାହ୍ନରେ ସୁଲୋଚନା ଛାତ ଉପରକୁ ଯାଇଥିବା ବେଳେ ତାଙ୍କୁ ଏକ ମାଙ୍କଡ଼ ଆକ୍ରମଣ କରିଥିଲା। ଫଳରେ ସେ ଛାତ ଉପରୁ ତଳକୁ ଖସି ପଡ଼ିଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ସେତେବେଳକୁ ସୁଲୋଚନାଙ୍କ ମୃତ୍ୟୁ ହୋଇ ସାରିଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆକ୍ରୋଶ ବଢିଛି।

ଏନେଇ ମୃତ ସୁଲୋଚନାଙ୍କ ପରିବାର ଲୋକେ  ଆଠଗଡ଼ ରେଞ୍ଜର ସୁଷମା ସାହୁଙ୍କ ନିକଟରେ ଅଭିଯୋଗ  କରିଥିଲେ । ହେଲେ ରେଞ୍ଜର ମୃତକଙ୍କ ପରିବାରକୁ  ଆଶ୍ୱାସନା ଦେବା ପରିବର୍ତ୍ତେ ମାଙ୍କଡ଼ ଆକ୍ରମଣ  ବେଳେ କିଛି ଫୋଟା ଉଠାଇଛ କି ବୋଲି ଅଜବ ପ୍ରଶ୍ନ କରିଥିଲେ । କେମିତି ଜାଣିଲ ମାଙ୍କଡ଼ ଆକ୍ରମଣ କରିଛି  ବୋଲି ଓଲଟା ପ୍ରଶ୍ନ ପଚାରିଥିଲେ । ଫଳରେ ରେଞ୍ଜ  କାର୍ଯ୍ୟାଳୟରେ କିଛି ସମୟ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଲୋକେ ରେଞ୍ଜ୍‌ ଅଧିକାରୀଙ୍କ କାର୍ଯ୍ୟାଳୟ  ସମ୍ମୁଖରେ ବିକ୍ଷୋଭ କରିବା ସହ ବିଭିନ୍ନ ନାରାବାଜି କରିଥିଲେ । 

ଆଠଗଡ଼ ସଦର ରେଞ୍ଜ୍‌ରେ ମାଙ୍କଡ଼  ଉତ୍ପାତ ବୃଦ୍ଧି ପାଉଥିବା ବେଳେ ଗତ କିଛି ଦିନ  ଭିତରେ ମାଙ୍କଡ଼ ଆକ୍ରମଣରେ ୬ରୁ ୭ଜଣ ଆହତ  ହୋଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଆଠଗଡ଼  ଥାନା ଅଧିକାରୀ ସୁମତି କୁମାରୀ ମହାନ୍ତି, ଏସଆଇ  ଦିଲ୍ଲୀପ କୁମାର ବେହେରାଙ୍କ ସମେତ ଅନ୍ୟ ପୁଲିସ  କର୍ମଚାରୀ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା  କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ପରେ  ଜିଲ୍ଲା ପରିଷଦ ସଭ୍ୟ ବଳଭଦ୍ର ବାଘଙ୍କ ସମେତ ଏକ  ପ୍ରତିନିଧି ମଣ୍ଡଳୀ ଆଲୋଚନା କରି ଉଭୟ ପୁଲିସ  ଏବଂ ବନ ବିଭାଗର ରିପୋର୍ଟ ପ୍ରଦାନ ପରେ ମୃତକଙ୍କ  ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦିଆଯିବ ବୋଲି  ପ୍ରତିଶ୍ରୁତି ଦେଇଥିଲେ । ଏହା ସହିତ ଉକ୍ତ ମାଙ୍କଡ଼କୁ  ତୁରନ୍ତ କାବୁ କରିବା ପାଇଁ ସାଧାରଣରେ ଦାବି ହୋଇଛି ।.

ଏହି ଖବରଟିକୁ ପଢନ୍ତୁ- କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ସଙ୍କଟ, ୮ ଗୁଣା ବଢିଗଲା କୋଇଲା ଦର, କାଠ ୬ ଖଣ୍ଡକୁ ୩୨୦ ଟଙ୍କା