ବେଙ୍ଗାଲୁରୁ: କର୍ଣ୍ଣାଟକରେ ଶନିବାର ଏକ ଦୁଃଖଦ ଘଟଣା ଘଟିଯାଇଛି। ବସ୍‌ରେ ଯାଉଥିବା ବେଳେ ଜଣେ ମହିଳା ଝରକା ବାହାରକୁ ମୁଣ୍ଡ ବାହାର କରି ବାନ୍ତି କରୁଥିଲେ । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ୟାଙ୍କର ତାଙ୍କ ମୁଣ୍ଡକୁ ଧକ୍କା ଦେଇଥିଲା । ଏଥିରେ ମହିଳାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ, ମହିଳା ଜଣଙ୍କ ବସ୍‌ରେ ମହୀଶୂରରୁ ଗୁଣ୍ଡୁଲୁପେଟ୍‌ ଯାଉଥିଲେ ।  ଏହି ସମୟରେ ତାଙ୍କୁ ବାନ୍ତି ଲାଗିବାରୁ ସେ ବସ୍‌ର ଝରକା ବାହାରକୁ ମୁଣ୍ଡ ବାହାର କରିଥିଲେ । ଠିକ୍‌ ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ୟାଙ୍କର ତାଙ୍କ ମୁଣ୍ଡ ସହ ଘସି ହୋଇ ଚାଲିଯାଇଥିଲା । ଘଟଣାସ୍ଥଳରେ ହିଁ ମହିଳା ଯାତ୍ରୀଙ୍କ ଜୀବନ ଚାଲିଯାଇଥିଲା । 

ଏନେଇ ଜଣାପଡ଼ିବା ପରେ ମହୀଶୂରରେ ସରକାରୀ ବସ୍‌ ସେବା ସହ ଜଡ଼ିତ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହା ପୂର୍ବରୁ ଶନିବାର ଭୋର ସମୟରେ ହାଇଦ୍ରାବାଦର ବସବାତାରାକମ୍‌ରେ ଫୁଟ୍‌ପାଥରେ ଶୋଇଥିବା ଲୋକଙ୍କ ଉପରେ ଏକ କାର ମାଡ଼ିଯିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଏନେଇ ବଞ୍ଜାରା ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି । 

ସୂଚନାଯୋଗ୍ୟ, ୨୦୨୨ରେ ଗାଜିଆବାଦର ମୋଦୀନଗରରେ ଜଣେ ଚତୁର୍ଥ ଶ୍ରେଣୀର ଛାତ୍ର ସ୍କୁଲ ବସ୍‌ରେ ଯାଉଥିବା ବେଳେ ଝରକା ପଟେ ମୁଣ୍ଡ ବାହାରକୁ କରିଥିଲେ । ଏହି ସମୟରେ ବାହାରେ ଥିବା ଏକ ଖୁଣ୍ଟରେ ତାଙ୍କ ମୁଣ୍ଡ ମାଡ଼ ହୋଇଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ଜଣଙ୍କ ୧୦ ବର୍ଷୀୟ ଅନୁରାଗ ଭରଦ୍ବାଜ ହୋଇଥିବା ବେଳେ ସେ ବାପା-ମାଙ୍କ ସହ ସୁରଟରେ ରହୁଥିଲେ ।