ବଇଣ୍ଡା ୧୭/୦୮: ଋଣ ଟଙ୍କା ସୁଝି ପାରିଲେନି ବୋଲି ମହିଳାଙ୍କ ଉପରେ ଜୁଲମ୍‌ । ଅକଥନୀୟ ନିର୍ଯାତନା ଦେଲେ ଗାଁର କିଛି ମହିଳା । ବେକରେ ଚପଲ ମାଳ ପିନ୍ଧାଇ ଗାଁ’ରେ ବୁଲାଇଲେ । କିଶୋରନଗର ବ୍ଲକ୍‌ ହଣ୍ଡପା ଥାନା ଇଲାକାରେ ଏହି ଘଟଣା ସାମ୍ନାକୁ ଆସିଛି । ମହିଳାଙ୍କ ଏତଲା ଆଧାରରେ ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।  

ପୁଲିସ୍‌ ସୂଚନା ମୁତାବକ, ପୀଡ଼ିତା ମହିଳା ଗାଁ’ ପାଣ୍ଠିରୁ କିଛି ଟଙ୍କା ଋଣ ଆଣିଥିଲେ । ପ୍ରାୟ ବର୍ଷେ ହେଲା ସେ ଟଙ୍କା ସୁଝୁନଥିଲେ କି କୌଣସି  ସୁଧ ଦେଇନଥିଲେ । ଏନେଇ ଗ୍ରାମର କିଛି ମହିଳା ବୈଠକ କରି ୩୦ ପ୍ରତିଶତ ସୁଧ ସହିତ ମୂଳ ଟଙ୍କା ଦେବାକୁ ଦାବି କରିଥିଲେ। ମାତ୍ର ମହିଳା ଜଣଙ୍କ ଅକ୍ଷମତା  ପ୍ରକାଶ କରିଥିଲେ । ଯାହାକୁ ନେଇ ମହିଳାମାନେ ଉତ୍ତ୍ୟକ୍ତ ହୋଇ ତାଙ୍କୁ ଚପଲ ମାଳ ପିନ୍ଧାଇ ଗାଁ’ ଦାଣ୍ଡରେ ବୁଲାଇବେ ବୋଲି ଧମକ ଦେଇଥିଲେ । ପୀଡ଼ିତା ମହିଳା ସମସ୍ତ ଟଙ୍କା ସୁଝିଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ହେଁ  ଗୁରୁବାର ଦିନ ଗାଁର  ମହିଳାମାନେ ପୁଣିଥରେ ତାଙ୍କୁ ଟଙ୍କା ମାଗିଥିଲେ ।  ଟଙ୍କା ନଦେବାରୁ ତାଙ୍କ ବେକରେ ଚପଲ ମାଳ ପିନ୍ଧାଇ ଗାଁରେ ବୁଲାଇଥିଲେ। ଏମିତିକି ତାଙ୍କୁ ଗାଳିଗୁଲଜ କରିଥିବା ସେ ଏତଲାରେ ଦର୍ଶାଇଛନ୍ତି ।