ରାୟଗଡା,୧୯/୧୧ : ଦମ୍ପତ୍ତିଙ୍କୁ ଆଶ୍ରୟ ଦେବାକୁ କହି ଜଣେ ମହିଳାଙ୍କୁ ଦୁଷ୍କର୍ମ ହୋଇଥିବା ଘଟଣା ଚାଞ୍ଚଲ୍ୟ ଖେଳାଇଛି । ଅଭିଯୋଗ ହେବା ପରେ ପୁଲିସ ତନାଘନା କରିବା ସହ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି।
ସୂଚନାରୁ ଜଣାପଡିଛି କୋରାପୁଟ ଜିଲ୍ଲାର ଏକ ଦମ୍ପତି ତାମିଲନାଡୁ ଦାଦନ ଖଟିବାକୁ ଯାଇ ଟ୍ରେନରେ ରାୟଗଡା ଫେରିଥିଲେ। ଗତକାଲି ରାତି ୮ ଟା ସମୟରେ ନିଜ ଗ୍ରାମକୁ ଯିବା ପାଇଁ ରାୟଗଡା ବସଷ୍ଟାଣ୍ଡଠାରେ ଅପେକ୍ଷା କରିଥିଲେ । ଏହି ସମୟରେ ଜଣେ ଅଜଣା ଯୁବକ ଗାଁକୁ ଗାଡି ମିଳିବ ନାହିଁ ଏବଂ ଏତେ ରାତିରେ କୁଆଡେ ଯିବ ବୋଲି ସେମାନଙ୍କୁ କହିଥିଲେ। ଏଠାରେ ରହିଲେ ତୁମର ଜିନିଷ ଚୋରି ହୋଇଯିବ ବୋଲି କହି ଦମ୍ପତ୍ତିଙ୍କୁ ତାଙ୍କ ଘରେ ରହିବା ପାଇଁ ବାଧ୍ୟ କରିଥିଲେ। ଦମ୍ପତ୍ତି ଓ ଆଶ୍ରୟ ଦେବା ପାଇଁ କହିଥିବା ଯୁବକ ଗୋଟିଏ ସଂପ୍ରଦାୟର ହୋଇଥିବାରୁ ରାୟଗଡା ସହର ସ୍ଥିତ କୋଇଲାପଡା ସାହିରେ ରାତି ରହିବା ପାଇଁ ରାଜି ହୋଇଥିଲେ। ଏହାପରେ ଗୋଟିଏ ଦୋକାନରେ ତାଙ୍କ ସ୍ତ୍ରୀକୁ ବସାଇ ଯୁବକ ଜଣକ ପ୍ରଥମେ ସ୍ବାମୀଙ୍କୁ ଆଣି ଗୋଟିଏ ଜାଗାରୁ ମୁଁ ଜଳଖିଆ ଆଣିବାକୁ ଯାଉଛି କହି ଚାଲି ଯାଇଥିଲେ।
ସ୍ବାମୀ ଜଣଙ୍କ ବହୁ ସମୟ ଅପେକ୍ଷା କରିଥିବାବେଳେ ଯୁବକ ଜଣଙ୍କ ନ ଫେରିବାରୁ ବ୍ୟକ୍ତି ଜଣଙ୍କ ପୁନର୍ବାର ତାଙ୍କ ସ୍ତ୍ରୀ ଅପେକ୍ଷା କରିଥିବା ଦୋକାନକୁ ଫେରିଥିଲେ। କିନ୍ତୁ ତାଙ୍କ ସ୍ତ୍ରୀଙ୍କୁ ଉକ୍ତ ଯୁବକ ଡାକି ନେଇଥିବା ସେଠାରେ ଉପସ୍ଥିତ ଥିବା କିଛି ଲୋକ ପ୍ରକାଶ କରିଥିଲେ। ମହିଳା ଜଣଙ୍କୁ ଉକ୍ତ ଯୁବକ ସେଠାରୁ ନେଇ କୋଇଲାପଡା ସାହି ନିକଟସ୍ଥ ଏକ ଜଙ୍ଗଲରେ ଜବରଦସ୍ତି ଦୁଷ୍କର୍ମ କରିଥିଲେ। ସ୍ତ୍ରୀକୁ ନ ପାଇ ସ୍ବାମୀ ଜଣଙ୍କ ଖୋଜାଖୋଜି କରୁଥିବାବେଳେ ତାଙ୍କ ସ୍ତ୍ରୀ କାନ୍ଦି କାନ୍ଦି ଆସୁଥିବା ଏବଂ ତାଙ୍କ ସହ ହୋଇଥିବା ଦୁଷ୍କର୍ମ ସଂପର୍କରେ ପ୍ରକାଶ କରିଥିଲେ। ଏହି ଘଟଣା ନେଇ ସ୍ବାମୀ ରାୟଗଡ଼ା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଏସଡିପିଓ ଗୌରହରୀ ସାହୁଙ୍କ ନେତୃତ୍ବରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି । ସାଇଣ୍ଟିଫିକ୍ ଟିମ୍ ସହ ମଧ୍ୟ ପହଞ୍ଚି ତଦନ୍ତ କରିଛି ।
ତଦନ୍ତ ସମୟରେ ପୁଲିସ ଅଭିଯୁକ୍ତର ରୁମାଲ ଏବଂ ଏକ ଟୋପିକୁ ଘଟଣାସ୍ଥଳରୁ ଉଦ୍ଧାର କରିଛି । ଅଭିଯୁକ୍ତ ଯୁବକ ଦୀପକ ନାଏକଙ୍କୁ ରାୟଗଡ଼ା ଥାନାରେ ଅଟକ ରଖି ପୁଲିସ ପଚରାଉଚରା କରୁଥିବା ଜଣାପଡ଼ିଛି। ପୁଲିସ ଏହି ଘଟଣାରେ ମାମଲା ରୁଜୁ କରି ପୀଡ଼ିତା ମହିଳାଙ୍କ ଡାକ୍ତରୀ ମାଇନା କରି ତଦନ୍ତ ଜାରି ରଖିଛି । ଘଟଣାର ତଦନ୍ତ ଶେଷ ପରେ ସବୁ ଜଣାପଡ଼ିବ ବୋଲି ଏସଡିପିଓ ଗୌରହରି ସାହୁ କହିଛନ୍ତି।