କୋକସରା,୧୭/୦୭: ସାମାଜିକ ଗଣମାଧ୍ୟମରେ ଠକମାନେ ବିଭିନ୍ନ କମ୍ପାନୀରେ ଚାକିରି କରାଇଦେବା ଆଶା ଦେଖାଇ ବିଜ୍ଞାପନ ଜାଲ ବିଛାଇ ଆସୁଛନ୍ତି । ତେବେ ଚାକିରି ଆଶାୟୀ ଅନେକ ଯୁବପିଢ଼ି ଏହି ଠକମାନଙ୍କଠାରୁ ବର୍ତ୍ତିପାରି ପାରୁନାହାନ୍ତି । ବିଭିନ୍ନ ସମୟରେ ଠକାମୀର ଶିକାର ଓ ଅପହରଣ ଭଳି ଖବର ମଧ୍ୟ ସାମ୍ନାକୁ ଆସୁଛି । ଠିକ୍ ଏପରି ଏକ ଘଟଣା କୋକସରା ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ସହ ଘଟିଛି । ସାମାଜିକ ଗଣମାଧ୍ୟମରେ ଯୁବତୀ ଜଣକ ବିଜ୍ଞାପନ ଦେଖି ଯୋଗାଯୋଗ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଚାକିରି ପାଇଁ ରାଜସ୍ଥାନ ସହରକୁ ଯାଇ ନିର୍ଯାତନା ଶିକାର ହୋଇଛନ୍ତି ।
ସୂଚନାନୁସାରେ, ଯୁବତୀ ଜଣକ ଗତ ୬ ତାରିଖରେ ତଳେ ନିଖୋଜ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ ରାଜସ୍ଥାନରେ ଚାକିରି ପାଇଁ ଯାଇଥିବା ବେଳେ ତାଙ୍କୁ ଆଶା ଦେଖାଇ ଆଣିଥିବା ଯୁବକ ନିର୍ଯାତନା ଦେଇଥିଲେ । ସନ୍ଧାନ ମିଳିବା ପରେ ଝିଅର ମାଆ ଗତ ୧୫ ତାରିଖରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କୁ ଜଣାଇଥିଲେ । ଏନେଇ ବ୍ଳକ ଉପାଧ୍ୟକ୍ଷ ତୁରନ୍ତ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ । ଏହାପରେ ଜିଲ୍ଲା ପୁଲିସ ପ୍ରଶାସନର ସହଯୋଗରେ ରାଜସ୍ଥାନ ପୁଲିସ ସହ ଯୋଗାଯୋଗ କରିଥିଲା । ଏହା ପରେ ଉଦୟପୁର ଥାନା ପ୍ରତାପ ନଗର ପୁଲିସ ଝିଅକୁ ସୁରକ୍ଷିତ ଉଦ୍ଧାର କରି ଯୁବକଙ୍କୁ ଗିରଫ କରିଛି । ଆଜି ଫ୍ଳାଇଟ୍ ଯୋଗେ ଯୁବତୀଙ୍କୁ ନିଜ ଗାଁକୁ ଅଣାଯାଉଥିବା ସୂଚନା ମିଳିଛି । ଝିଅ ଘରକୁ ଫେରୁଥିବା ଖବର ପାଇ ପରିବାର ସମେତ ଅଞ୍ଚଳବାସୀ ବ୍ଳକ୍ ଉପାଧ୍ୟକ୍ଷଙ୍କ ମାନବିକତାଙ୍କୁ ପ୍ରଶଂସା କରିବା ସହ କୃତଜ୍ଞତା ଜଣାଇଛନ୍ତି ।