ଭଞ୍ଜନଗର, ୦୧/୧୨: ମୁହଁ ମୋଡିଲା ସମାଜ । ସ୍ୱାମୀ ଛାଡିଦେଲେ ଅଧା ବାଟରେ । ପରିବାରରେ ଜାଗା ମିଳିଲାନି । ଏକା ହୋଇଯିବା ପରେ ବୁଢ଼ି ମାଆ ସାହାରା ହୋଇଛି । ପରିବାର ଠାରୁ ଉଭୟ ମାଆଝିଅ ଅଲାଗା ରହି ବଞ୍ଚିବାକୁ ସଂଘର୍ଷ କରୁଛନ୍ତି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡରେ ଏଚଆଇଭି ଏଡସ୍ ଆକ୍ରାନ୍ତ ମହିଳାଙ୍କ ଦୁଃଖ କାହାଣୀ । ନିଜେ ଏଚଆଇଭି ଏଡସ୍ ଆକ୍ରାନ୍ତ ହୋଇଥିବା ଜାଣିବାପରେ ପ୍ରଥମେ ସେ ଭାଙ୍ଗି ପଡିଥିଲେ । ମେଡିକାଲରେ ସଂଜ୍ଞା ହରାଇ ପଡିଯାଇଥିଲେ । ପରେ ସେ ଯେତେବେଳେ ଭଞ୍ଜନଗର ଏଆର୍ଟି କେନ୍ଦ୍ରକୁ ଆସିଲେ ସେତେବେଳେ ଏଠାରେ କାଉନସେଲିଂ ପରେ ବଞ୍ଚିବାର ଆଶା ସଂଚାର ହେଲା । ଏହା କେବଳ ଏଡସ୍ କାଉନସେଲର୍ ସନୋଜ ମହାନ୍ତିଙ୍କ ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ଅତ୍ୟନ୍ତ ଭାବବିହ୍ୱଳ କଣ୍ଠରେ କହିଛନ୍ତି ଜଣେ ଏଚଆଇଭି ଆକ୍ରାନ୍ତ ସ୍ୱାମୀ ପରିତ୍ୟକ୍ତା ମହିଳା । ଘର ଗଞ୍ଜାମ ଜିଲ୍ଲାରେ ହେଲେ ଏବେ ସେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର ଏକ ପଲ୍ଲୀରେ ରହୁଛନ୍ତି । ପ୍ରତିମାସରେ ନିୟମିତ ଔଷଧ ସେବନ କରୁଛନ୍ତି । ଆଉ ଏବେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ।

ଉକ୍ତ ମହିଳାଙ୍କ କହିବା ପ୍ରକାରେ ସେ ଅତି ଛୋଟ ବୟସରୁ ବିବାହ କଲେ । ସ୍ୱାମୀ ସୁରଟରେ ରହୁଥିଲେ । ହୁଏତ ସେ ସୁରଟରୁ ଏହି ମାରାତ୍ମକ ବ୍ୟାଧି ଧରି ଆଣି ତାଙ୍କ ଦେହରେ ଛାଡିଦେଲେ । ଧୀରେ ଧୀରେ ସେ ଦୁର୍ବଳ ହେବାକୁ ଲାଗିଲେ । ଦେହରେ ଜ୍ୱର ଲାଗି ରହିଲା । କେତେ ଔଷଧ ଖାଇଲେ ବି ଛାଡିଲାନି । ଆଉ ଶେଷରେ ଗାଁ ଆଶା କର୍ମୀଙ୍କ କହିବା ପ୍ରକାରେ ସେ ଫୁଲବାଣୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଚଆଇଭି ପରୀକ୍ଷା କରିଥିଲେ । ଆଉ ରିପୋର୍ଟ ଆସିବାପରେ ସଂପୂର୍ଣ୍ଣ ଭାଙ୍ଗି ପଡିଥିଲେ । ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ଜଣେ ନବ ବିବାହିତା ସମାଜ କଣ ଜାଣିବା ପୂର୍ବରୁ ଏଭଳି ମାରାତ୍ମକ ରୋଗର ଶିକାର ହୋଇଥିଲେ । ଆଉ ଏକଥା ଜଣାପଡିବାପରେ ସ୍ୱାମୀ ତାଙ୍କୁ ଛାଡି ଚାଲିଗଲେ । ପରିବାର ମଧ୍ୟ ଗ୍ରହଣ କଲାନି । ଏବେ ୮୪ବର୍ଷର ବୁଢୀ ମାଆଙ୍କ ସାହାରାରେ ବଞ୍ଚି ରହିଛନ୍ତି ସେ । ହେଲେ ଏବେ ସେ ସଂପୂର୍ଣ୍ଣ ସୁସ୍ଥ ଅଚନ୍ତି । ଆଉ ଏଚଆଇଭି ଏଡସ୍ ସଂକ୍ରମଣ ରୋକିବାକୁ ସେ ସମାଜକୁ ଏକ ସୁନ୍ଦର ବାର୍ତ୍ତା ଦେଇଛନ୍ତି । ବିବାହ ପୂର୍ବରୁ ଜାତକ ମେଳଣ ଯେତିକି ଆବଶ୍ୟକ ନୁହଁ ତାଠାରୁ ଢେର ଅଧିକ ଆବଶ୍ୟକ ଏଚଆଇଭି ପରୀକ୍ଷା କରାଇନେବା ଉଚିତ ବୋଲି ସେ ଉଲ୍ଲେଖ କରିଛନ୍ତି । ଏଥିସହ ରାଜ୍ୟ ସରକାର ଏଚଆଇଭି ଆକ୍ରାନ୍ତଙ୍କୁ ମାସିକ ଏକ ହଜାର ଭତ୍ତା ବଦଳରେ ୩୫୦୦ ଟଙ୍କା ଭତ୍ତା ଦେବାକୁ ସେ ଅନୁରୋଧ କରିଛନ୍ତି। ସେହିପରି ସଚେତନତାର ବାର୍ତ୍ତା ସବୁଠି ଯେପରି ପହଞ୍ଚିବ ସେଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ସେ ଅନୁରୋଧ କରିଛନ୍ତି ।