କଟକ,୨୨/୧୧: ଓଡ଼ିଶା ରାଜ୍ୟ ମହିଳା କମିସନ ସଦସ୍ୟଙ୍କୁ ବେଆଇନ ଭାବେ ବରଖାସ୍ତ କରାଯାଇଥିବା  ଅଭିଯୋଗ କରି ରୁଜୁ ମାମଲାରେ  ହାଇକୋର୍ଟ ଗୁରୁବାର ରାଜ୍ୟ ସରକାରଙ୍କୁ ଜବାବ ଦାଖଲ ଲାଗି ନୋଟିସ୍‌ କରିଛନ୍ତି । ଆଜିଠାରୁ ଠିକ୍‌ ୧୦ ଦିନ ମଧ୍ୟରେ ରାଜ୍ୟ ସରକାର ଏନେଇ ଜବାବ ରଖିବେ । ମାମଲାର ଶୁଣାଣି ଆସନ୍ତା ଡିସେମ୍ବର  ୧୧ ତାରିଖକୁ ଧାର୍ଯ୍ୟ ହୋଇଛି । ରାଜ୍ୟ  ମହିଳା କମିସନ ସଦସ୍ୟ ପଦରୁ  ବରଖାସ୍ତ ହୋଇଥିବା ବିଜୟା ବରୁୱା,  ବବିତା ସ୍ୱାଇଁ ଏବଂ ସ୍ୱର୍ଣ୍ଣଲତା ସାମଲଙ୍କ  ପକ୍ଷରୁ ଆଗତ ମାମଲାର ଶୁଣାଣି  କରି ବିଚାରପତି ଜଷ୍ଟିସ୍‌ ଏସ୍‌.କେ.  ପାଣିଗ୍ରାହୀ ଏହି ନିର୍ଦ୍ଦେଶ ଦେଇଛନ୍ତି । 

ମାମଲାରୁ ପ୍ରକାଶ,  ଆବେଦନକାରୀମାନଙ୍କୁ ମହିଳା କମିସନ  ସଦସ୍ୟା ଭାବେ ୨୦୨୩ ଏପ୍ରିଲ  ୨୮ରେ ନିଯୁକ୍ତି ମିଳିଥିଲା । ସେମାନଙ୍କ  କାର୍ଯ୍ୟକାଳ ୩ ବର୍ଷ ବୋଲି ମହିଳା ଏବଂ  ଶିଶୁ ବିକାଶ ବିଭାଗ ପକ୍ଷରୁ ପ୍ରକାଶିତ  ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା ।  କିନ୍ତୁ କମିସନ୍‌ ସଦସ୍ୟା ଭାବେ ମାମଲା  ଫଇସଲା ହାର ସନ୍ତୋଷଜନକ ନଥିବା  କାରଣ ଦର୍ଶାଇ ମହିଳା ଏବଂ ଶିଶୁ  ବିକାଶ ବିଭାଗ ଆବଦନକାରୀମାନଙ୍କୁ  କାରଣ ଦର୍ଶାଅ ନୋଟିସ୍‌ କରିଥିଲେ । ଆବେଦନକାରୀମାନେ ନୋଟିସ୍‌ର  ଜବାବ ମଧ୍ୟ ରଖିଥିଲେ । ଏହା ସତ୍ତେ୍ୱ ଗତ ୯ ତାରିଖରେ ବିଭାଗ ପକ୍ଷରୁ  ୩ ଆବେଦନକାରୀଙ୍କୁ ବରଖାସ୍ତ  କରାଯାଇଥିବା ବିଜ୍ଞପ୍ତି ଜାରି କରାଯାଇଥିଲା ।  ଏଭଳି ବେଆଇନ ଆଦେଶକୁ  ରଦ୍ଦ ପାଇଁ ପ୍ରାର୍ଥନା କରି ସେମାନେ  ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । 

ଗୁରୁବାର ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତିରେ  ଦର୍ଶାଯାଇଥିଲା ଯେ, ମହିଳା କମିସନ  ସଦସ୍ୟଙ୍କୁ ମାମଲା ଫଇସଲା ହାର୍‌ କମ୍‌ଥିବା ଆଧାରରେ ବରଖାସ୍ତ କରାଯାଇ  ପାରିବନାହିଁ । ଏହା ଏକ ସ୍ୱୟଂଶାସିତ  ଅନୁଷ୍ଠାନ । ମହିଳା ନିର୍ଯାତନା କିପରି ହ୍ରାସ  ପାଇବ ସେଥିପାଇଁ ଏହି କମିସନ ରାଜ୍ୟ  ସରକାରଙ୍କୁ ବିଭିନ୍ନ ପରାମର୍ଶ ଦେଇଥାଏ ।  ଏହା ଉପରେ ନୀତି ପ୍ରଣୟନ ପାଇଁ ମଧ୍ୟ  କହିଥାଏ । କିନ୍ତୁ ବର୍ତ୍ତମାନର ସରକାର  ସେମାନଙ୍କୁ ବିନା କୌଣସି କାରଣରେ  କାର୍ଯ୍ୟରୁ ବରଖାସ୍ତ କରିଛନ୍ତି । ଯାହାକି  ବେଆଇନ । ତେଣୁ ଏହି ଆଦେଶକୁ ରଦ୍ଦ ପାଇଁ ପ୍ରାର୍ଥନା କରାଯାଇଥିଲା ।  ଅନ୍ୟପକ୍ଷରେ ଆଡ୍‌ଭୋକେଟ୍‌  ଜେନେରାଲ୍‌ ପୀତାମ୍ବର ଆଚାର୍ଯ୍ୟ  ପ୍ରତିଜବାବ ରଖି ରାଜ୍ୟ ସରକାର ଏହି  ନିଷ୍ପତ୍ତିରେ ତ୍ରୁଟିନଥିବା ଦର୍ଶାଇଥିଲେ । ଉଭୟ ପକ୍ଷଙ୍କୁ ଶୁଣିବା ପରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ୍‌ କରିଛନ୍ତି ।